ରାଇଘର : ଅପହରଣ ନୁହେଁ, ଦୁର୍ଘଟଣା! ୪ ଓଡ଼ିଆ ନିଖୋଜ ଘଟଣାର ପର୍ଦ୍ଦାଫାସ କରିଛି ଛତିଶଗଡ଼ ପୁଲିସ। ସୋମବାର ସକାଳେ ଏକ ପରିତ୍ୟକ୍ତ କୂଅ ଭିତରୁ କାର୍ ସହିତ ୪ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଦୁର୍ଘଟଣା ପରେ କୂଅ ଭିତରକୁ କାର୍ ଖସି ପଡ଼ିବାରୁ ଶ୍ବାସରୁଦ୍ଧ ହୋଇ ସମସ୍ତେ ମୃତ୍ୟୁବରଣ କରିଥିବା ପୁଲିସ ଅନୁମାନ କରୁଛି। ଏହି ଘଟଣା ପରିବାର ଲୋକଙ୍କୁ ସ୍ତବ୍ଧ କରି ଦେଇଥିବା ବେଳେ ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।
ମୃତକମାନେ ହେଲେ, ରାଇଘର ତହସିଲ୍ ସୁପରଭାଇଜର୍ ସପନ ସରକାର, ପତ୍ନୀ ରୀତା ସରକାର, ଶାଳକ ବିଶ୍ୱଜିତ ଅଧିକାରୀ ଓ ସଂପର୍କୀୟ ହଜାରୀ ଢାଲି। ଶନିବାର ରାତି ପ୍ରାୟ ସାଢ଼େ ୧୦ଟାରେ ସପନ ଓ ଅନ୍ୟମାନେ ଛତିଶଗଡ଼ର କାଂକେର ଛାଡ଼ିଥିଲେ। ଜଣେ ସମ୍ପର୍କୀୟଙ୍କ ବିବାହ ଉତ୍ସବକୁ ଯୋଗଦେବା ପାଇଁ ସମସ୍ତେ ସେଠାକୁ ଯାଇଥିଲେ। ଫେରୁଥିବା ବେଳେ ହଠାତ୍ ସେମାନଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଗତକାଲି ସପନଙ୍କ ପୁଅ ନବଜିତ୍ କାଂକେର ଥାନାରେ ଏତଲା ଦେବାପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଫୋନ୍ ନମ୍ବର ଟ୍ରାକ୍ କରିବାରୁ କାଂକେର ସହରଠାରୁ କିଛି କିଲୋମିଟର ଦୂରରେ ଫୋନ୍ ବନ୍ଦ ହୋଇଯାଇଥିବା ଜଣାପଡ଼ିଥିଲା। ତେଣୁ ପ୍ରାଥମିକ ଅନୁସନ୍ଧାନରୁ କେହି ଅପହରଣ କରିଥିବା ପୁଲିସ ଅନୁମାନ କରିଥିଲା। ସେହି ଦିଗରେ ପୁଲିସ ତଦନ୍ତ ଆରମ୍ଭ କରି ପୂରା ଜୋର୍ ଲଗାଇ ଦେଇଥିଲେ ସୁଦ୍ଧା କୌଣସି ସୁରାକ୍ ମିଳିନଥିଲା।
ତେବେ ଫୋନ୍ ବନ୍ଦ ହୋଇଥିବା ସ୍ଥାନଠାରୁ କିଛି କିଲୋମିଟର ପରିଧିରେ ପୁଲିସର ଏକାଧିକ ଟିମ୍ ଯାଞ୍ଚ୍ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିଲେ। ଶେଷରେ କାଂକେରଠାରୁ ୮କିଲୋମିଟର ଦୂରରେ ପୁଲିସକୁ ପ୍ରଥମ ସୁରାକ୍ ମିଳିଥିଲା। ଗୋଟିଏ ସ୍ଥାନରେ କାର୍ ଚକ ରାସ୍ତାରେ ଘସି ହୋଇଥିବା ଚିହ୍ନ ପୁଲିସ ଟିମ୍ ଦେଖିଥିଲେ। ରାସ୍ତାକଡ଼ରେ ଗୋଟିଏ ଖଜୁରୀ ଗଛ ଭାଙ୍ଗିଥିବା ନଜରକୁ ଆସିଥିଲା। ଅଳ୍ପଦୂରରେ ଗୋଟିଏ ବ୍ୟାଗ୍ ବୁଦାରୁ ପୁଲିସକୁ ମିଳିଥିଲା।
ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିବା ସତ୍ତ୍ବେ କାର୍ର ଚିହ୍ନବର୍ଣ୍ଣ ମିଳିନଥିଲା। ନିକଟସ୍ଥ ପରିତ୍ୟକ୍ତ କୂଅରେ କାର୍ ଖସି ପଡ଼ିଥିବା ସନ୍ଦେହ କରି ଅଗ୍ନିଶମ ବିଭାଗର ସହଯୋଗ ନିଆଯାଇଥିଲା। ଦମକଳ ବାହିନୀ କୂଅ ଭିତରେ କାର୍କୁ ଠାବ କରିବାରୁ କ୍ରେନ୍ ଲଗାଇ ବାହାର କରାଯାଇଥିଲା।
ଜାତୀୟ ରାଜପଥ ହୋଇଥିବାରୁ କୌଣସି ଦ୍ରୁତଗାମୀ ଭାରୀଯାନ୍ ସପନଙ୍କ କାର୍କୁ ଧକ୍କା ଦେଇଥିବା ପୁଲିସ ଆଶଙ୍କା କରୁଛି। ଧକ୍କା ହେବାପରେ କାର୍ ଡିକି ଖୋଲି ଯିବାରୁ ଗୋଟିଏ ବ୍ୟାଗ୍ ବାହାରକୁ ଚାଲି ଆସିଥାଇପାରେ। ଅନ୍ୟପଟେ ସପନ ନିୟନ୍ତ୍ରଣ ହରାଇବାରୁ ରାସ୍ତାପାର୍ଶ୍ବରେ ଗୋଟିଏ ଖଜୁରୀ ଗଛରେ କାର୍ ଧକ୍କା ହୋଇଛି। ଏହାପରେ କାର ସଂପୂର୍ଣ୍ଣ ଭାରସାମ୍ୟ ହରାଇ ରାସ୍ତାରୁ କିଛି ଫୁଟ୍ ଉପରକୁ ଉଠିଯାଇ ପ୍ରାୟ ୮ମିଟର ଦୂରରେ ଥିବା ପରିତ୍ୟକ୍ତ କୂଅକୁ ଖସି ପଡ଼ିଥାଇପାରେ। ବନ୍ଦ କାର୍ରେ ଶ୍ବାସରୁଦ୍ଧ ହୋଇ ୪ଜଣଙ୍କ ମୃତ୍ୟୁ ହୋଇଥିବା ପୁଲିସ ସୂଚନା ଦେଇଛି।