ବ୍ୟବଚ୍ଛେଦ ନହୋଇ ଦୁଇଦିନ ପଡ଼ିରହିଲା ଶବ

ତେଲକୋଇ: ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତର ନଥିଲେ। ଯେଉଁ ଡାକ୍ତର ଥିଲେ ସେମାନଙ୍କ ପାଖରେ ଶବ ବ୍ୟବଚ୍ଛେଦ କରିବା କ୍ଷମତା ନାହିଁ। ଏଭଳି ସ୍ଥିତି ଦୀର୍ଘ ଦୁଇଦିନ ଧରି ଡାକ୍ତରଖାନା ବାରଣ୍ଡାରେ ପଡ଼ିରହିଲା ଶବ। ଶେଷରେ ଉପଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଅନ୍ୟ ଡାକ୍ତରଖାନାରୁ ଡାକ୍ତର ଆସି ଶବ ବ୍ୟବଚ୍ଛେଦ କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ।

ଶୁକ୍ରବାର ଅପରାହ୍‌ଣ ୪ଟାବେଳେ ତେଲକୋଇ ଥାନା ଅନ୍ତର୍ଗତ କୃଷ୍ଣପୁର ଗ୍ରାମର ରାଜନ ନାଏକ (୪୫)ଙ୍କୁ ହତ୍ୟା କରାଯାଇଥିଲା। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ତେଲକୋଇ ଡାକ୍ତରଖାନା ପଠାଇଥିଲା। ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରୀତୀଷ ଆଚାର୍ଯ୍ୟ କୌଣସି କାମରେ ବାହାରକୁ ଯାଇଥିଲେ। ଡାକ୍ତରଖାନାରେ ଜଣେ ଆୟୁଷ ଡାକ୍ତର ଓ ଡିଏମ୍‌ଏଫ୍‌ରୁ ନିଯୁକ୍ତ ହୋଇଥିବା ଜଣେ ଅବସରପ୍ରାପ୍ତ ଡାକ୍ତର ରୋଗୀସେବା କରୁଥିଲେ। ଉଭୟଙ୍କ ପାଖରେ ଶବ ବ୍ୟବଚ୍ଛେଦ କ୍ଷମତା ନଥିଲା। ଫଳରେ ଶବ ବ୍ୟବଚ୍ଛେଦ ସମ୍ଭବ ହୋଇପାରି ନଥିଲା। ଦୀର୍ଘ ୪୪ ଘଣ୍ଟା ଧରି ଡାକ୍ତରଖାନା ବାରଣ୍ଡାରେ ଶବ ପଡ଼ି ରହିଥିଲା। ଆଜି କେନ୍ଦୁଝର ଉପଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ ତେଲକୋଇ ଗସ୍ତରେ ଆସିଥିବା ବେଳେ ଶବ ବ୍ୟବଚ୍ଛେଦ ଅସୁବିଧା ତଥା ଡାକ୍ତରଖାନାର ସମସ୍ୟା ସମ୍ପର୍କରେ ଆଇନଜୀବୀ ଜମ୍ବେଶ୍ଵର ପ୍ରଧାନ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉପଜିଲ୍ଲାପାଳ ଡାକ୍ତରଖାନା ପରିଦର୍ଶନ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଦକ୍ଷେପ ନେଇଥିଲେ। ମଧ୍ୟାହ୍ନ ୧୨ଟାବେଳେ କରଦାଙ୍ଗି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅଭି‌ଷେକ ସାହୁ ତେଲକୋଇରେ ପହଞ୍ଚି ଶବ ବ୍ୟବଚ୍ଛେଦ କରିଥିଲେ।

ସୂଚନାଯୋଗ୍ୟ, ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ବେଳେ ସହଯୋଗ କରିବା ପାଇଁ ସ୍ଥାୟୀ ସଫେଇ କର୍ମଚାରୀ ନାହାନ୍ତି। ଶବ ସଂରକ୍ଷିତ ରଖିବା ପାଇଁ ଶୀତତାପ ନିୟନ୍ତ୍ରିତ ବିଶିଷ୍ଟ ଗୃହ ନାହିଁ। ସେହିପରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ମାତ୍ର ଡାକ୍ତରଙ୍କ ଶବ ବ୍ୟବ‌ଚ୍ଛେ କରିବା କ୍ଷମତା ରହିଛି। ସେ କୌଣସି କାମରେ ବାହାରକୁ ଗଲେ ଶବ ବ୍ୟବଚ୍ଛେଦ ହୋଇପାରୁନି। ସେହିପରି ଶବ ସଂରକ୍ଷିତ ରଖିବା ପାଇଁ ଗୃହ ନ ଥିବାରୁ ଶବ ଗୁଡ଼ିକୁ ଡାକ୍ତରଖାନା ବାରଣ୍ଡାରେ ରଖାଯାଉଛି। ଫଳରେ ପରିବେଶ ପ୍ରଦୂଷିତ ହେଉଛି। ତୁରନ୍ତ ଜିଲ୍ଲା ପ୍ରଶାସନ ଏଠାରେ ଆଉଜଣେ ସ୍ଥାୟୀ ଡାକ୍ତର, ସୁଇପର ଓ ଶବ ସଂରକ୍ଷଣ ଗୃହ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଅନ୍ୟପକ୍ଷରେ ମୃତ୍ୟୁର ଦୁଇଦନି ପରେ ଶବ ବ୍ୟବଚ୍ଛେଦ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହାଦ୍ବାରା ମୃତକଙ୍କ ପରିବାରର ମାନସିକ, ପାରମ୍ପରିକ ଓ ସାମାଜିକ ସ୍ଥିତି କ୍ଷୁଣ୍ଣ ହୋଇଛି। ଏଭଳି ଦାୟିତ୍ବହୀନ କାର୍ଯ୍ୟ ପାଇଁ ଦାୟୀ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇନଜୀବୀ ଜମ୍ବେଶ୍ଵର ପ୍ରଧାନ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର