୪ ଦିନ ଡାକ୍ତରଖାନାରେ ପଡ଼ିରହିଲା ଶବ

ବୁର୍ଲା : ଅନ୍ତେବାସୀ ମୃତ୍ୟୁର ୪ ଦିନ ପରେ ବି ଶବ ସତ୍କାର କରିବାକୁ କୁନ୍ଥୁ କୁନ୍ଥୁ ବୈଜାମୁଣ୍ଡା ଭିକ୍ଷୁକ ଆଶ୍ରୟସ୍ଥଳୀ କର୍ତ୍ତୃପକ୍ଷ। ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ନିରାଶ୍ରୟ ତଥା ଭିକ୍ଷୁକଙ୍କ ଉତ୍ତମ ଦେଖାଶୁଣା କରିବା ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବୈଜାମୁଣ୍ଡା ଗ୍ରାମରେ ଏକ ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଥିଲା। ଏହାର ପରିଚାଳନା ଦାୟିତ୍ଵ ବହନ କରୁଥିବା ଓଡ଼ିଶା ପତିତ ଉଦ୍ଧାର ସମିତି (ଓୟୁପିଏସ୍) ସଂସ୍ଥା ଠିକ୍ ଭାବରେ ପରିଚାଳନା କରୁନଥିବା ଅଭିଯୋଗ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଉକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ଅନ୍ତେବାସୀଙ୍କୁ ଶେଷ ମୁହୂର୍ତ୍ତରେ ଡାକ୍ତରଖାନାରେ ଭର୍ତ୍ତିକରି ଚାଲି ଯାଉଥିବା ଅଭିଯୋଗ ହେଉଛି। ତାଙ୍କ ଦେଖାଶୁଣା କରିବା ପାଇଁ ଥରୁଟିଏ ମଧ୍ୟ ଡାକ୍ତରଖାନାକୁ ଆସୁନଥିବା ଅଭିଯୋଗ ହେଉଛି। ଏପରିକି ଜଣେ ଅନ୍ତେବାସିନୀଙ୍କ ମୃତ୍ୟୁର ୪ ଦିନ ପରେ ମଧ୍ୟ ଶବ ସତ୍କାର ପାଇଁ ମେଡ଼ିକାଲ୍ ଫାଣ୍ଡି ପକ୍ଷରୁ ବାରମ୍ବାର ଫୋନ୍ କଲେ ମଧ୍ୟ ଓୟୁପିଏସ୍ କର୍ମଚାରୀ ସହଯୋଗ କରୁନଥିବା ଅଭିଯୋଗ ହେଉଛି।

ଗତ ୨୬ ଡିସେମ୍ବରରେ ମହିଳା ମେଡ଼ିସିନ୍ ବିଭାଗରେ ଭର୍ତ୍ତି ହୋଇଥିବା ଆଶ୍ରୟସ୍ଥଳୀର ଅନ୍ତେବାସିନୀ ମାଳତୀ ଭୋଇ ( ୬୦ ) ସୋମବାର ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ଏ ସଂକ୍ରାନ୍ତରେ ଖବର ପାଇ ଆଶ୍ରୟସ୍ଥଳୀର କର୍ମଚାରୀ ରାଜେନ୍ଦ୍ର ସାହୁ ତା’ ପର ଦିନ ମେଡ଼ିକାଲ୍ ଫାଣ୍ଡିକୁ ଆସିଥିଲେ। ହେଲେ, ଶବ ସତ୍କାର ପାଇଁ ଆଗ୍ରହ ଦେଖାଇଲେ ନାହିଁ। ଆଜି ମୃତ୍ୟୁର ୪ ଦିନ ପରେ ଆଶ୍ରୟସ୍ଥଳୀର କୌଣସି କର୍ମଚାରୀ କି ଡିଏସ୍‌ଏସ୍‌ଓ କେହି ନ ଆସିବାରୁ ବାଧ୍ୟ ହୋଇ ମେଡ଼ିକାଲ୍ ଫାଣ୍ଡି ଅଧିକାରୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସମ୍ବଳ’କୁ ଶବ ସତ୍କାର ପାଇଁ ଅନୁରୋଧ କରିଥିଲେ। ଆଜି ସମ୍ବଳ ପକ୍ଷରୁ ମାଳତୀଙ୍କର ଶବ ସତ୍କାର କରାଯାଇଛି। ଭିକ୍ଷୁକ ଆଶ୍ରୟସ୍ଥଳୀ କାମର ତଦାରଖ କରିବା ଡିଏସ୍‌ଏସ୍‌ଓଙ୍କର ଉପରେ ଦାୟିତ୍ଵ ନ୍ୟସ୍ତ ରହିଛି। କିନ୍ତୁ, ବିଭାଗୀୟ ଅବହେଳା ଯୋଗୁଁ ଆଶ୍ରୟସ୍ଥଳୀ ପରିଚାଳନା ଠିକ୍ ଭାବରେ ହୋଇପାରୁ ନଥିବା ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର