ଜଳେଶ୍ବର: ଦୀର୍ଘ ୨୪ଦିନ ଧରି ଜଳେଶ୍ବରସ୍ଥିତ ଜିକେ ଭଟ୍ଟର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣେ ଅପରିଚିତା ଓ ଅସହାୟ ମହିଳାଙ୍କ ଗତକାଲି ଦେହାନ୍ତ ହୋଇଯାଇଛି। ଦେହାନ୍ତ ପରେ ଜଳେଶ୍ବରର ବହୁ ନିର୍ବାଚିତ ପ୍ରତିନିଧି ଓ ସମାଜସେବୀ ଉକ୍ତ ମହିଳାଙ୍କ ଶବ ସତ୍କାର କରି ମହାନତା ଦେଖାଇଛନ୍ତି। ପରିଚୟ ନଥିବା ଏହି ମହିଳା ଜଣକ ଜଳେଶ୍ବର ଷ୍ଟେସନ ଓ ସହର ମଧ୍ୟରେ ଦୀର୍ଘବର୍ଷ ଧରି ଭିକ୍ଷା ବୃତ୍ତି କରି ଚଳୁ ଥିବା ବେଳେ ବାସନ୍ତୀ ମାଉସୀ ଭାବେ ଲୋକେ ତାଙ୍କୁ ଡାକିଥାନ୍ତି। ଗତ ମେ ମାସ ଶେଷ ସପ୍ତାହରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ି ଯିବାରୁ ସେ କେବଳ ଗୋଟିଏ ସ୍ଥାନରେ ପଡ଼ି ରହିଥିଲେ। ତେବେ ଜଳେଶ୍ବର ୬ ନମ୍ବର ୱାର୍ଡର କାଉନସିଲର ଓ ଅନ୍ୟ କେତେକ ସମାଜସେବୀ ତାଙ୍କୁ ଉଦ୍ଧାର କରି ଜଳେଶ୍ବର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସେହିଦିନଠାରୁ ସେଠାରେ ସେ ଚିକିତ୍ସାଧୀନ ଥିଲେ।
ଗତକାଲି ତାଙ୍କର ମୃତ୍ୟୁ ହେବା ପରେ ୬ ନମ୍ବର ୱାର୍ଡର କାଉନସିଲର ଶ୍ରୀ ଦାସ ଖବର ପାଇ ସେଠାରେ ପହଞ୍ଚିବା ସହ ଜଳେଶ୍ବର ନଗରପାଳ ପ୍ରତୀପ କୁମାର ପ୍ରଧାନଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ଫଳରେ ବାସନ୍ତୀ ମାଉସୀଙ୍କ ଶବ ସତ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନାରୁ ୩୦୦୦ ଟଙ୍କା ମଞ୍ଜୁର ହୋଇଥିଲା। ପରେ ବାସନ୍ତୀ ମାଉସୀଙ୍କ ଶବ ସତ୍କାର ପାଇଁ ୧୫ ନମ୍ବର ୱାର୍ଡର ନହଞ୍ଜରାସ୍ଥିତ ଶ୍ମଶାନଗୃହକୁ ନିଆଯାଇ ସେଠାରେ ସତ୍କାର କରାଯାଇଥିଲା। ମେ ଆଇ ହେଲ୍ପ ୟୁ ଫାଉଣ୍ଡେସନର କର୍ମକର୍ତ୍ତା ଜଗନ୍ନାଥ ପରିଡ଼ା ମୁଖାଗ୍ନି ଦେଇଥିଲେ। ଶବସତ୍କାର କାର୍ଯ୍ୟରେ ଶ୍ରୀ ଦାସଙ୍କ ସହ ନଗରପାଳ ପ୍ରତୀପ କୁମାର ପ୍ରଧାନ, ଭୋଲା ଭଣ୍ଡାରି ସାମାଜିକ ସଙ୍ଗଠନର ହରିଶଙ୍କର ପଣ୍ଡା, ବିଶ୍ୱରଞ୍ଜନ ଦାସ, ସମରବଲ୍ଳଭ ଦାସ, ୧୬ ନମ୍ବର ୱାର୍ଡର କାଉନସିଲରଙ୍କ ପ୍ରତିନିଧି ଜଗଦୀଶ ନନ୍ଦୀ, ଅଧ୍ୟାପକ ସଂଗ୍ରାମ ନାୟକ, ବିଜେପି ନେତା ଆଦିତ୍ୟ ନାରାୟଣ ପାତ୍ର, ଗୋପୀନାଥ ଦାସ, ଶ୍ୟାମସୁନ୍ଦର ଦତ୍ତ ପ୍ରମୁଖ ଉପସ୍ଥିତ ହୋଇ ଶବ ସତ୍କାରରେ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/balasore-dddd.jpg)