ପଞ୍ଚଭୂତ‌ରେ ଲୀନ ହେଲା ପ୍ରଫୁଲ୍ଲ କରଙ୍କ ମରଶରୀର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

ପୁରୀ: ବିଶିଷ୍ଟ ସଂଗୀତଜ୍ଞ, ସାହିତ୍ୟିକ ତଥା ସ୍ତମ୍ଭକାର ପ୍ରଫୁଲ୍ଲ କରଙ୍କ ମରଶରୀର ଆଜି ସ୍ବର୍ଗଦ୍ବାରରେ ପଞ୍ଚଭୂତରେ ଲୀନ ହୋଇଛି। ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ବଡ଼ପୁଅ ମହାଦୀପ କର ମୁଖାଗ୍ନି ଦେଇଛନ୍ତି। ସାନପୁଅ ମହାପ୍ରସାଦ, ଝିଅ ସଂଧ୍ୟାଦୀପା, ଜ୍ବାଇଁ ରାଜୀବଲୋଚନ ରଥ, ବଡ଼ବୋହୂ ସଂଧ୍ୟାରାଣୀ ଓ ସାନବୋହୂ ସଂଯୁକ୍ତାଙ୍କ ସହ ଆତ୍ମୀୟସ୍ବଜନଙ୍କ ଉପସ୍ଥିତିରେ ଶୋକାକୁଳ ପରିବେଶ ମଧ୍ୟରେ ସ୍ବର୍ଗତ କରଙ୍କ ଅନ୍ତିମ ସଂସ୍କାର କରାଯାଇଛି। ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଇନମନ୍ତ୍ରୀ ପ୍ରତାପ ଜେନା, ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ, ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ପୂର୍ବତନ ସାଂସଦ ତଥାଗତ ଶତପଥୀ ପ୍ରମୁଖ ସ୍ବର୍ଗଦ୍ବାରଠାରେ ତାଙ୍କ ଶେଷଦର୍ଶନ କରିବା ସହ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଶତାଧିକ ଶୁଭେଚ୍ଛୁ, ସାହିତ୍ୟିକ, କଳାପ୍ରେମୀ, ବୁଦ୍ଧିଜୀବୀ ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଶବ ଶୋଭାଯାତ୍ରାରେ ବହୁ ଲୋକ ସାମିଲ୍‌ ହୋଇ ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

ଆଜି ଅପରାହ୍ଣ ପ୍ରାୟ ୨ଟାରେ ସ୍ବର୍ଗତ କରଙ୍କ ମରଶରୀର ଏକ ଶୋଭାଯାତ୍ରା ସହ ପୁରୀଠାରେ ପହଞ୍ଚିବା ପରେ ବଡ଼ଦାଣ୍ଡ ଦେଇ ସିଂହଦ୍ବାରରେ ପହଞ୍ଚିଥିଲା। ଶ୍ରୀକ୍ଷେତ୍ର କଳା ପ୍ରକାଶିକାର ସଭାପତି ଥିଲେ ପ୍ରଫୁଲ କର। ଏଣୁ ସ୍ବର୍ଗତ କରଙ୍କ ମରଶରୀର ଟାଉନ ଥାନା ନିକଟରେ ପହଞ୍ଚିବା ପରେ ଶ୍ରୀକ୍ଷେତ୍ର କଳା ପ୍ରକାଶିକାର ସମ୍ପାଦକ ସୋମନାଥ ଗୁରୁ, ସହସମ୍ପାଦକ ହରିହର ଗୁରୁ, କୋଷାଧ୍ୟକ୍ଷ ପ୍ରସନ୍ନ ମିଶ୍ର, ବିଶ୍ୱଜିତ ମିଶ୍ର, ରାମଚନ୍ଦ୍ର ଦାସମହାପାତ୍ର, ଶ୍ୟାମପ୍ରକାଶ ସେନାପତି, ଜ୍ଞାନବ୍ରତ ରଥ, ବଦ୍ରି ମିଶ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ଅନୁଷ୍ଠାନ ପକ୍ଷରୁ ସଂକୀର୍ତ୍ତନ ସହକାରେ ଶୋଭାଯାତ୍ରାରେ ମରଶରୀରକୁ ସିଂହଦ୍ବାର ଦେଇ ସ୍ବର୍ଗଦ୍ବାର ପର୍ଯ୍ୟନ୍ତ ନିଆଯାଇଥିଲା। ଏହି ଅବସରରେ ତାଙ୍କ ପୈତୃକ ଘର ଦୋଳମଣ୍ଡପସାହି ନାରାୟଣୀ ଛକଠାରେ ସାହି କମିଟିର ସଭାପତି ପୂର୍ବତନ ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସମହାପାତ୍ର, ସମ୍ପାଦକ ଅନନ୍ତ ତିଆଡ଼ି, ବରିଷ୍ଠ ସେବାୟତ ବିଶ୍ବାବସୁ ବିନାୟକ ଦାସମହାପାତ୍ରଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ମରଶରୀରରେ ମହାପ୍ରଭୁଙ୍କ ଶୀରି କପଡ଼ା ପକାଇବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରେ ମୋଚିସାହି, ଟାଉନ୍‌ ହଲ ଛକ, ହରିହର ଛକଠାରେ ବି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଯାଇଥିଲା। ସ୍ବର୍ଗଦ୍ବାରରେ ମରଶରୀର ପହଞ୍ଚିବା ପରେ ସେଠାରେ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି ଡ. କେ. ବିଶାଳ ସିଂହ, ଉପଜିଲ୍ଲାପାଳ ଭବତାରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର