ଝାରସୁଗୁଡ଼ା : ବିଜୁ ଏକ୍ସପ୍ରେସ୍ ୱେର ବଡ଼ମାଳ ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ଛକ ନିକଟରେ ପାର୍କିଂ ହୋଇଥିବା ଏକ ଟ୍ରକ୍ରୁ ରବିବାର ରାତି ପ୍ରାୟ ୯.୩୦ମି.ରେ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଉକ୍ତ ଟ୍ରକ୍ର ଚାଳକ ଓ ତାଙ୍କ ଘର ତାମିଲନାଡ଼ୁରେ ବୋଲି ଜଣାପଡ଼ିଛି। ସୂଚନା ପାଇ ବଡ଼ମାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଆସନ୍ତାକାଲି ଶବର ପଞ୍ଚାନାମା କରାଯିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ତେବେ ମୃତକଙ୍କ ମୁହଁ ଓ ମୁଣ୍ଡର ବିଭିନ୍ନ ସ୍ଥାନରୁ ରକ୍ତ ବାହାରିଥିବା ଦୃଶ୍ୟ ଦେଖିବାକୁ ମିଳିଥିବାରୁ ଏହା ଏକ ହତ୍ୟାକାଣ୍ଡ ହୋଇଥାଇ ପାରେ ବୋଲି ଆଶଙ୍କା କରାଯାଉଛି।
ସୂଚନା ଅନୁସାରେ, ବିଜୁ ପଟ୍ଟନାୟକ ଛକ ପାର୍ଶ୍ବରେ ପାର୍କିଂ ହୋଇଥିବା ଏକ ଟ୍ରକ୍ରୁ ଦୁର୍ଗନ୍ଧ ବାହାରୁଥିଲା। ଏହି ଖବର ଜଣାପଡ଼ିବା ପରେ ଟ୍ରକର ଚାଳକଙ୍କୁ ଝାରସୁଗୁଡ଼ାରେ ଥିବା ହେଲପର ଫୋନ୍ କରିଥିଲେ। କିନ୍ତୁ ଚାଳକ ଫୋନ୍ ଉଠାଇ ନଥିଲେ। ଏହାପରେ ଉକ୍ତ ଟ୍ରାନ୍ସପୋର୍ଟ କମ୍ପାନିର କର୍ମଚାରୀ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ଟ୍ରକ ଚାଳକଙ୍କ ମୃତ୍ୟୁ ହୋଇସାରିଥିବା ଓ ଟ୍ରକ୍ କ୍ୟାବିନ୍ରେ ତାଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ବଡ଼ମାଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଛି। ତେବେ ଶବଟି ଫୁଲି ଯାଇଥିବା ବେଳେ ପଚିବା ଆରମ୍ଭ ହୋଇଥିବାରୁ ଚାଳକଙ୍କ ମୃତ୍ୟୁକୁ ଅନ୍ୟୁନ ୨ ଦିନ ହୋଇସାରିଥିବା ସନ୍ଦେହ କରାଯାଉଛି। ଖବର ଲେଖାହେବା ଯାଏ ମୃତକଙ୍କ ପରିଚୟ ମଧ୍ୟ ମିଳିପାରି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/dead-fff.jpg)