ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ଗଭରା ଗାଁରେ ବିନୋଦ ବରିହା (୧୭ବର୍ଷ) ନାମକ ଜଣେ ନାବାଳକଙ୍କ ମୃତଦେହ ବୁଧବାର ଗାଁ ପୋଖରୀରୁ ଉଦ୍ଧାର କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ପାରିପାରିର୍ଶ୍ବିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି। ପୁଲିସର ସୂଚନା ଅନୁଯାୟୀ, ଗଭରା ଗାଁର ବିନୋଦ ବୁଧବାର ଗାଧୋଇବା ପାଇଁ ପୋଖରୀକୁ ଯାଇଥିଲେ। ବହୁ ସମୟ ଯାଏ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ‌ସନ୍ଧ୍ୟାରେ ତାଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ।

Advertisment

ରାତି ୮ଟାରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ମୃତଦେହ ପୋଖରୀରେ ଭାସୁଥିବା ବେଳେ ତାଙ୍କ ଅଣ୍ଟାରେ ଥିବା ଲୁଗାରେ ସେ ଧରିଥିବା ମାଛଗୁଡ଼ିକ ଥିବା ଦେଖିବାକୁ ମିଳିଥିଲା। ସେହିପରି ତାଙ୍କ ଶରୀରର ୩-୪ଟି ସ୍ଥାନରେ ଗଭୀର ଆଘାତ ଥିବା ଓ ପୋଖରୀ ନିକଟରେ ରକ୍ତ ଛିଟା ପଡ଼ିଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କଲେ ତାଙ୍କୁ ପିଟି ପିଟି ହତ୍ୟା କରିବା ପରେ ପୋଖରୀରେ ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଉଛି। ଗୁରୁବାର ସକାଳେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।