ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୌରାଧ୍ୟକ୍ଷ ହେମନ୍ତ କୁମାର ସାହୁଙ୍କ ସାନ ଭାଇ ପ୍ରମୋଦ କୁମାର ସାହୁ (୪୩)ଙ୍କ ମୃତଦେହ ବକ୍ତାରପୁର ନିକଟସ୍ଥ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରୁ ଉଦ୍ଧାର କରାଯାଇଛି। ଗତକାଲି ରାତି ୮ଟାରୁ ସେ ନିଖୋଜ ଥିଲେ। ଅପରାହ୍ନରେ ମୃତଦେହ ମିଳିବା ପରେ ପଟ୍ଟାମୁଣ୍ଡାଇ ପୁଲିସ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହଯୋଗରେ ତଦନ୍ତ ଆରମ୍ଭ କରିଛି। ପ୍ରମୋଦଙ୍କ ମୃତ୍ୟୁକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି।

Advertisment

ଖବର ଅନୁଯାୟୀ ପ୍ରମୋଦ ପଟ୍ଟାମୁଣ୍ଡାଇ ପଂଜାବ ନ୍ୟାସନାଲ ବ୍ୟାଙ୍କରେ ଚାକିରି କରିଥିଲେ। ଗତକାଲି ସଂଧ୍ୟାରେ ସେ ତାଙ୍କ ଘର ପୌରାଞ୍ଚଳ ଅନ୍ତର୍ଗତ ବକ୍ତାରପୁର ଗାଁରେ ଥିବା ହନୁମାନ ମୂର୍ତ୍ତି ନିକଟରେ ବସିଥିବା ଲୋକେ ଦେଖିଥିଲେ। ସେଠାରେ କିଛି ସମୟ ବସିବା ପରେ ସେ ବକ୍ତାରପୁର କେନାଲ ପୋଲ ନିକଟରେ ରାତି ସାଢ଼େ ୭ଟା ସମୟରେ ବୁଲାବୁଲି କରୁଥିଲେ। ରାତି ୮ଟା ପରେ ତାଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ହୋଇଯାଇଥିଲା। ଘର ଲୋକେ ସେଠାକୁ ଆସି ଖୋଜାଖୋଜି କରିଥିଲେ ହେଁ ତାଙ୍କୁ ପାଇ ନଥିଲେ। ରାତି ୧୦ଟା ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକଙ୍କ ମଧ୍ୟରେ ଆଶଙ୍କା ବଢିଥିଲା। ରାତିତମାମ ଘର ଲୋକେ ବନ୍ଧୁ ଘର ସହ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ।

ଶୁକ୍ରବାର ସକାଳୁ ଦମକଳ ବାହିନୀ ଆସି ସେ ବୁଲାବୁଲି କରୁଥିବା ସ୍ଥାନ ନିକଟରେ ଯାଇଥିବା ପଟ୍ଟାମୁଣ୍ଡାଇ କେନାଲ ଭିତରେ ଖୋଜାଖୋଜି କରିଥିଲେ। ହେଲେ, ପ୍ରମୋଦଙ୍କ କୌଣସି ସନ୍ଧାନ ମିଳି ନଥିଲା। ଆଜି ସକାଳେ ପ୍ରମୋଦଙ୍କ ନିଖୋଜ ସମ୍ପର୍କରେ ତାଙ୍କ ଭାଇ ହେମନ୍ତ କୁମାର ସାହୁ ପଟ୍ଟାମୁଣ୍ଡାଇ ଥାନାରେ ଏତଲା ଦେଇଥିଲେ। ଅପରାହ୍ନରେ ପ୍ରମୋଦଙ୍କ ମୃତଦେହ ବକ୍ତାରପୁର ବଙ୍ଗଳା ନିକଟରେ କେନାଲରେ ଭାସୁଥିବା ଦେଖିବାକୁ ମିଳିଥିଲା। ଖବରପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ଓ ସଂଧାନୀ କୁକୁର ସହାୟତାରେ ଛାନ୍‌ଭିନ୍ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପରେ ଶେଷକୃତ୍ୟ ସଂପନ୍ନ ହୋଇଛି। ତାଙ୍କ ମୃତ୍ୟୁକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।