ଲକ୍ଷ୍ମୀପୁର/କାକିରିଗୁମା : ୪ ମାସ ପରେ ଜଣେ ମହିଳାଙ୍କ ଶବକୁ ଏକ ପାଇଖାନା ଟାଙ୍କିରୁ ଉଦ୍ଧାର କରାଯାଇଛି। ସ୍ବାମୀ ହତ୍ୟାକରିବା ପରେ ଟାଙ୍କିରେ ଫିଙ୍ଗିଦେଇ ଦୀର୍ଘଦିନ ଧରି ଯେଉଁ ଅଭିନୟ କରି ଆସୁଥିଲେ, ତାହାର ମଧ୍ୟ ଅବସାନ ଘଟିଛି। ଅଭିଯୁକ୍ତ ସ୍ବାମୀକୁ ପୁଲିସ୍ ଗିରଫ କରିବା ସହିତ ଘଟଣାର ତଦନ୍ତ ଚଳାଇଛି। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ଅନ୍ତର୍ଗତ କାକିରିଗୁମ୍ମା ଅଞ୍ଚଳରେ ଘଟିଥିବା ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।
ମୃତ ମହିଳା ହେଉଛନ୍ତି, ଗୌରୀ ସାହୁ। ୪ମାସ ତଳେ ଗୌରୀଙ୍କ ସହ ସ୍ବାମୀ ଦଶରଥ ସାହୁଙ୍କର ପ୍ରବଳ ପାଟିତୁଣ୍ଡ ହୋଇଥିଲା। ଏହିସମୟରେ ଉତ୍ତ୍ୟକ୍ତ ହୋଇ ଦଶରଥ ଗୌରୀଙ୍କୁ ହତ୍ୟା କରିଥିଲେ। ପୁଲିସ୍ କହୁଛି, ଦୁଇ ବର୍ଷ ତଳେ ଗୌରୀଙ୍କ ମାନସିକ ରୋଗ ବାହାରିଥିଲା। ସ୍ବାମୀ ଔଷଧ ଦେଲେ ତାହାକୁ କାଳେ ସେ ଖାଉ ନଥିଲେ। ତେଣୁ ବଚସା ହେବାରୁ ଦଶରଥ ଠେଲି ଦେଇଥିଲେ। କାନ୍ଥରେ ଗୌରୀଙ୍କ ମୁଣ୍ଡ ପିଟି ହୋଇଯିବାରୁ ମୃତ୍ୟୁ ହୋଇଯାଇଥିଲା। ଏହିଭଳି ଏକ ହତ୍ୟାକାଣ୍ଡ ପରେ ବି ସେ ଆଦୌ ହଡ଼ବଡ଼େଇ ନଥିଲେ। ଏହି ଘଟଣା ଯେପରି ପ୍ରଘଟ ହେବନାହିଁ, ସେଥିପାଇଁ ଯୋଜନା କରିଥିଲେ। ପାଇଖାନା ଟାଙ୍କିରେ କଣା କରି ସେଥିରେ ଶବକୁ ଫୋପାଡ଼ି ଦେଇଥିଲେ। ସାହି ପଡ଼ିଶା କିମ୍ବା ପରିବାର ଲୋକଙ୍କୁ ମଧ୍ୟ ଏହାର ସାମାନ୍ୟ ସୁରାକ ମିଳି ନଥିଲା। ଯଦି କେହି ଗୌରୀଙ୍କ ସଂପର୍କରେ ପଚାରୁଥିଲା, ତେବେ ମାନସିକ ସ୍ଥିତି ଠିକ୍ ନଥିବାରୁ କେଉଁ ଆଡ଼େ ଚାଲି ଯାଇଥିବା କହି ପ୍ରସଙ୍ଗକୁ ଏଡ଼ାଇ ଯାଉଥିଲେ ଦଶରଥ। ଗୌରୀଙ୍କ ବାପା ଏବଂ ଭାଇଙ୍କୁ ମଧ୍ୟ ୩ମାସ ଧରି ଅନ୍ଧାରରେ ରଖିଥିଲେ। ସୂଚନା ଅନୁସାରେ, ପ୍ରାୟ ମାସକ ତଳେ (ଅଗଷ୍ଟ ୨ତାରିଖ) ବନ୍ଦିକାର ଗାଁରେ ରହୁଥିବା ଗୌରୀଙ୍କ ବାପା ଡମ୍ବରୁଧର ସାହୁ ଝିଅକୁ ଦେଖିବା ପାଇଁ କାକିରିଗୁମ୍ମା ଆସିଥିଲେ। ଝିଅ ସଂପର୍କରେ ପଚାରିବାରୁ ଜ୍ବାଇଁ ଦଶରଥ ୩ମାସ ହେଲା ଗୌରୀ ନିଖୋଜ ଥିବା କହିଥିଲେ। ଏତେ ଦିନ ଧରି ଝିଅ ନିଖୋଜ ଥିବା ସତ୍ତ୍ବେ ତାଙ୍କୁ କୌଣସି ସୂଚନା ଦିଆଯାଇ ନଥିବାରୁ ମନସ୍ଥାପରେ ଘରକୁ ଫେରି ଆସିଥିଲେ।
ଦିନ ପରେ ଦିନ ଗୌରୀଙ୍କ ପତ୍ତା ନ ମିଳିବାରୁ ଗୌରୀଙ୍କ ପରିବାର ଏ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ। ଗୋଟିଏପଟେ, ପୁଲିସ୍ ତଦନ୍ତ ପ୍ରକ୍ରିୟା ଆଗଉ ନ ଥିବାବେଳେ ଅନ୍ୟପଟେ ପତ୍ନୀଙ୍କ ସନ୍ଧାନ ପାଇଁ ଦଶରଥ ବି ଆଗ୍ରହ ପ୍ରକାଶ କରୁନଥିଲେ। ଯାହାକୁ ନେଇ ଗୌରୀଙ୍କ ବାପଘର ଲୋକଙ୍କ ମନରେ ସନ୍ଦେହ ହୋଇଥିଲେ। ମିଳିଥିବା ସୂଚନା ଅନୁସାରେ, ଗୌରୀଙ୍କ ଦୁଇ ଭାଇ ଏବଂ ସଂପର୍କୀୟ କାକିରିଗୁମ୍ମା ଯାଇ ଦଶରଥଙ୍କୁ ଭେଟିଥିଲେ। ଜୋର୍ ଦେଇ ପଚାରିବାରୁ ଦଶରଥ ସବୁ କଥା ମାନି ଯାଇଥିଲେ। ସ୍ବୀକାରୋକ୍ତିକୁ ମୋବାଇଲ କ୍ୟାମେରାରେ ରେକର୍ଡ କରିବା ସହିତ ଦଶରଥଙ୍କୁ ପୁଲିସ ଜିମାରେ ଦେଇଥିଲେ।
ରବିବାର ସକାଳେ ଲକ୍ଷ୍ମୀପୁର ଏସ୍ଡିପିଓ ଅଶ୍ବିନୀ କୁମାର ନାୟକ, ମାଜିଷ୍ଟ୍ରେଟ୍ ଭାବେ ଲକ୍ଷ୍ମୀପୁର ତହସିଲଦାର ବନ ବିହାରୀ ଦିଣ୍ଡା, କାକିରିଗୁମ୍ମା ଥାନା ଆଇଆଇସି ଉଲ୍ଲାସ ରାଉତ, କୋରାପୁଟ ସାଇଣ୍ଟିଫିକ୍ ଟିମ୍ ଏବଂ ଆଇଆରବିଏନ୍ ଯବାନ ପହଞ୍ଚିଥିଲେ। ଅଭିଯୁକ୍ତର ଉପସ୍ଥିତିରେ ସିନ୍ ରିକ୍ରିଏସନ୍ କରାଯାଇଥିଲା। ଏହାପରେ ମେସିନ୍ ଲଗାଇ ପାଇଖାନା ଟାଙ୍କି ଭାଙ୍ଗି ପାଣି ନିଷ୍କାସନ କରାଯାଇଥିଲା। କୋରାପୁଟରୁ ଆସିଥିବା ପାଇଖାନା ଟାଙ୍କି ସଫେଇ କର୍ମଚାରୀ ଗୌରୀଙ୍କ ଗଳିତ ଶବ ବାହାରକୁ କାଢ଼ିଥିଲେ।
ତେବେ, ମା’ ଏତେ ଦିନ ଧରି ନିଖୋଜ ଥିବା ସତ୍ତ୍ବେ ପୁଅ ଓ ଝିଅ କେମିତି ଚୁପ୍ ରହିଲେ ବୋଲି ଗୌରୀଙ୍କ ପରିବାର ଲୋକ ପ୍ରଶ୍ନ ଉଠାଇଛନ୍ତି। ପୁଅର ବୟସ ୨୪ବର୍ଷର ହୋଇଥିବାବେଳେ ଝିଅର ବୟସ ୨୦ବର୍ଷ।