ପୁରୀ : ଦିନେ କି ସପ୍ତାହେ ନୁହେଁ, ମୃତ୍ୟୁର ୬ ମାସ ପରେ ଦାହ ହେଲା ଶବ। ଆଇନଗତ ଲଢ଼େଇ ଓ କମ୍ପାନିର ଜିଦ୍ ଯୋଗୁ ୬ ମାସ ୯ ଦିନ ପରେ ପୁରୀ ସ୍ବର୍ଗଦ୍ବାରରେ ଶବଦାହ ସହ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ପରିବାର ଲୋକେ। ଅଭାବୀ ପରିବାରର ନ୍ୟାୟିକ ଲଢ଼େଇ ଓ ଦଗାଦିଆ କମ୍ପାନିର ସମ୍ବେଦନହୀନ କାର୍ଯ୍ୟ ଯୋଗୁ ଶବ ବି ନିର୍ଯାତିତ ହୋଇଛି। ଏହି ୖତଭାଗ୍ୟ ବ୍ୟକ୍ତି ଜଣକ ହେଉଛନ୍ତି ବାବୁଲି ବିଶ୍ବାଳ। ସ୍ବାମୀଙ୍କ ମୃତ୍ୟୁର ୬ ମାସ ପରେ ଶବକୁ ମଶାଣି ନେବା ସମ୍ଭବ ହୋଇନଥିବାରୁ ଅଦେଖା ଲୁହରେ ଭିଜୁଥିବା ବାବୁଲିଙ୍କ ପତ୍ନୀ ସାବିତ୍ରୀରେ ସ୍ବାମୀଙ୍କୁ ପାଖରେ ସିନା ପାଇଲେ, କିନ୍ତୁ ଶବ ରୂପରେ।
ଖୋର୍ଦ୍ଧା ଜିଲ୍ଲା, ବାଣପୁର ବ୍ଲକ୍ କୁମାରଙ୍ଗ ଶାସନ ବୀରକେଶପୁରର ବାବୁଲି ବିଶ୍ବାଳ (୪୮) ୧୦ ବର୍ଷ ହେଲା ଓମାନ ଚାଲିଯାଇଥିଲେ। ଓମାନର ସୁଲତାନେଟରେ ‘ଅଲ ଅଦରକ ଟ୍ରେଡିଂ ଆଣ୍ଡ୍ କଣ୍ଟ୍ରାକ୍ଟିଂ’ କମ୍ପାନିରେ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ପ୍ରତି ବର୍ଷ ଘରକୁ ଆସୁଥିଲେ। ମାତ୍ର ଗତ ୩ ବର୍ଷ ହେଲା ଘରକୁ ଆସିବା ବନ୍ଦ କରିଦେଇଥିଲେ। କିନ୍ତୁ ଘର ସହ ନିୟମିତ ବ୍ୟବଧାନରେ ଫୋନ୍ ଯୋଗେ କଥା ହେଉଥିଲେ। ଗତ ବର୍ଷ ନଭେମ୍ବର ୯ ତାରିଖରେ ଘର ଲୋକଙ୍କ ସହ ରାତିରେ କଥା ହୋଇଥିଲେ। କିନ୍ତୁ ପରଦିନ ଅର୍ଥାତ୨୦୨୨ ନଭେମ୍ବର ୧୦ ତାରିଖରେ ଖବର ଆସିଲା, ବାବୁଲି ଆତ୍ମହତ୍ୟା କରିଛନ୍ତି। କମ୍ପାନିର ମ୍ୟାନେଜର କହିଲେ, ତୁରନ୍ତ ଶବ ନେବାକୁ ବ୍ୟବସ୍ଥା କର। ଏଣେ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ବାବୁଲିଙ୍କ ପତ୍ନୀ ସଂଯୁକ୍ତା ବିଶ୍ବାଳ ଆବାକ୍ ହୋଇଯାଇଥିଲେ। ସ୍ବାମୀଙ୍କ ମୃତ୍ୟୁ ପରେ ଗୋଟିଏ ପୁଅ ଓ ୩ ଝିଅଙ୍କ ପେଟକୁ କିଭଳି ଆହାର ଦେବେ ସେଇ ଚିନ୍ତା ତାଙ୍କୁ ଝୁଣି ପକେଇଥିଲା। ସଂଯୁକ୍ତା ସ୍ବାମୀଙ୍କ ମୃତ୍ୟୁକୁ ଗ୍ରହଣ କରିପାରୁନଥିଲେ। ତଥାପି ପିଲାମାନଙ୍କ ମୁହଁକୁ ଚାହିଁ ଶବ ଫେରାଇବା ସହ କିଛି ଆର୍ଥିକ ସହାୟତା ଦାବି କଲେ। କିନ୍ତୁ ଯେଉଁ କମ୍ପାନିକୁ ସେ ୧୦ ବର୍ଷ ସମର୍ପିତ କରିଦେଇଥିଲେ, ସେ କମ୍ପାନି ବାବୁଲିଙ୍କ ପରିବାରକୁ ଆର୍ଥିକ ସହାୟତା ଦେବାକୁ ମନା କରିଦେଲା ଶବ ନନେଲେ ପୋତି ଦେବାକୁ ଧମକ ଦେଲା ବୋଲି ବାବୁଲିଙ୍କ ପୁଅ କିଶାନ ବିଶ୍ବାଳ କହିଛନ୍ତି।
କିଶାନଙ୍କ କହିବା ଅନୁଯାୟୀ ମୃତ୍ୟୁର ପୂର୍ବଦିନ ରାତିରେ ଭଲରେ କଥା ହୋଇଥିବା ତାଙ୍କ ବାପା ଆତ୍ମହତ୍ୟା କରିବାର କୌଣସି କାରଣ ନଥିଲା। ତେଣୁ ସେ ଓ ତାଙ୍କ ପରିବାର ବାପାଙ୍କର ଶବ ବ୍ୟବଚ୍ଛେଦ ଦାବି କରିଥିଲେ। କିନ୍ତୁ ଶବ ବ୍ୟବଚ୍ଛେଦ କରିବା ନେଇ କମ୍ପାନି ସହମତ ହୋଇନଥିଲା। କମ୍ପାନିଠାରୁ ନିରାଶ ହେବା ପରେ ବାଣପୁର ଥାନାରେ ସଂଯୁକ୍ତା ଅଭିଯୋଗ କରିଥିଲେ। କିନ୍ତୁ କିଛି ସୁଫଳ ମିଳିଲା ନାହିଁ। ସ୍ଥାନୀୟ ସମାଜସେବୀ ବାବୁଲି ସାହୁଙ୍କ ସହଯୋଗରେ ଶବକୁ ଆଣି ଶେଷକୃତ୍ୟ କରିବା ପାଇଁ ମନସ୍ଥ କଲେ। ଓମାନ୍ ଦୂତାବାସ ସହ ଯୋଗାଯୋଗ କରିବା ପରେ ଶବ ସିନା ଓଡ଼ିଶାକୁ ଫେରି ଆସିଛି, କିନ୍ତୁ ବେସାହାରା ହୋଇଯାଇଥିବା ପରିବାରକୁ ନ୍ୟାୟ ମିଳିନାହିଁ।