ନୂଆପଡ଼ା/ସିନାପାଲି: ନୂଆପଡ଼ା ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜିଲ୍ଲାର ସିନାପାଲି ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିଲା। ଶବ ନେବାକୁ ମହାପ୍ରୟାଣ ଗାଡ଼ି ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ଶେଷରେ ଷ୍ଟ୍ରେଚର୍‌ରେ ଶବକୁ ଧରି ୮ କିମି ଯିବା ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

Advertisment

ସୂଚନାମତେ, ସିନାପାଲି ବ୍ଲକ୍‌ ନୀଲଜି ପଞ୍ଚାୟତ ଗଡ଼ରାମାଲ ଗ୍ରାମର ଲମ୍ବୋଦର ସାଙ୍କ ସ୍ତ୍ରୀ ସରସ୍ୱତୀ ସା (୬୯)ଙ୍କ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସରସ୍ବତୀଙ୍କ ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଶବକୁ ଘରକୁ ନେବାପାଇଁ ମହାପ୍ରୟାଣ ଗାଡ଼ିକୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ‌ହେଲେ, ତାହା ହୋଇପାରି ନଥିବା ସହ ବେସରକାରୀ ଭାବେ ମଧ୍ୟ କୌଣସି ଗାଡ଼ି ଯୋଗାଡ଼ ହୋଇପାରି ନଥିଲା। ରାତି ୮ଟାରେ ସରସ୍ବତୀଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ସାଢ଼େ ୧୨ଟା ପର୍ଯ୍ୟନ୍ତ ଶବ ପଡ଼ି ରହିଥିଲା।
ଶେଷରେ ନିରାଶ ହୋଇ ପରିବାର ଲୋକେ ହସ୍‌ପିଟାଲର ଏକ ଷ୍ଟ୍ରେଚର୍‌ ଆଣି ୮ କିଲୋମିଟର ଦୂର ନିଜ ଗାଁକୁ ଶବ ନେଇଥିଲେ। ତେବେ ଏହି ଘଟଣା ପରେ ରାଜ୍ୟ ସରକାରଙ୍କ ମହାପ୍ରୟାଣ ଗାଡ଼ି ଏକ ପ୍ରହସନପାଲିଟିଥିବା ଅଭିଯୋଗ ହେଉଛି।

ଏ ସମ୍ପର୍କରେ ସିଡିଏମ୍‌ଓ ଚୌଧୁରୀ ଶୋଭାରାଣୀ ମିଶ୍ର କହିଛନ୍ତି ଯେ, ରୋଗୀଙ୍କୁ ନେବାପାଇଁ ଆମ ପକ୍ଷରୁ ଗାଡ଼ିର ବ୍ୟବସ୍ଥା କରାଯାଇଥିଲା। ହେଲେ, ସେମାନେ ଅନ୍ୟ ଲୋକଙ୍କ କଥାରେ ପଡ଼ି ଷ୍ଟ୍ରେଚର୍‌ରେ ନେଇ ଯାଇଥିଲେ। ସିନାପାଲି ସ୍ବାସ୍ଥ୍ୟ‌କେନ୍ଦ୍ରରେ ମହାପ୍ରୟାଣ ଗାଡ଼ି ଦିଆଯାଇ ନାହିଁ। ହେଲେ, ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସବୁପ୍ରକାର ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି।