ଜମନକିରା/ ଗୁଣ୍ଡୁରୁଚୂଆ : ସମ୍ବଲପୁର ଜିଲ୍ଲା ଜମନକିରା ଥାନା ବଡ଼ମାଳ ପଞ୍ଚାୟତ ଅନ୍ତର୍ଗତ ରାଉତପଡ଼ାରେ ସାମାନ୍ୟ ଘରୋଇ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ମାରି ପୋତି ଦେବା ଭଳି ଅଭାବନୀୟ ଘଟଣା ଘଟିଯାଇଛି। ତେବେ ଘଟଣାର ୪୫ ଦିନ ପରେ ଏହି ଘଟଣାର ପର୍ଦ୍ଦାଫାସ ହୋଇଛି। ପୁଲିସ ମାଟି ତଳୁ ଶବ ଉଦ୍ଧାର କରିବା ସହ ଅଭିଯୁକ୍ତ ସ୍ବାମୀ ରଞ୍ଜନ ବାଡ଼ିଙ୍ଗ (୩୬)ଙ୍କୁ ଗିରଫ କରିଛି।

Advertisment

ଜମନକିରା ଥାନା ରାଉତପଡାର ରଞ୍ଜନ ଗତ ସେପ୍ଟେମ୍ବର ୬ ତାରିଖ ରାତିରେ ମଦ ପିଇ ମାତାଲ ଅବସ୍ଥାରେ ଘରକୁ ଫେରିଥିଲା। ତାର ସ୍ତ୍ରୀ ସାବିତ୍ରୀ (୩୫) ମଦପିଇ ଘରକୁ ଆସିବାରୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଉଗ୍ରରୂପ ଧାରଣ କରିଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ରଞ୍ଜନ ସ୍ତ୍ରୀ ସାବିତ୍ରୀକୁ ପିଟି ପିଟି ମାରି ଦେଇଥିଲା। ସ୍ତ୍ରୀ ମରିଯିବା ପରେ ଘର ପାଖରେ ଗାତ ଖୋଳି ପୋତି ଦେଇଥିଲା। ଏହି ଘଟଣା ପରଠୁ ସାବିତ୍ରୀକୁ ଦେଖିବାକୁ ନ ପାଇ ପାଖପଡ଼ିଶା ରଞ୍ଜନକୁ ପଚାରିଥିଲେ। ତେବେ ସାବିତ୍ରୀ ତା’ ମା’ ଘରକୁ ଯାଇଥିବା କହିଥିଲା। ଦିନ ଗଡ଼ି ଚାଲିଲା, ଲୋକଙ୍କ ମନରେ ସନ୍ଦେହ ହେଲା। ପଡ଼ିଶା ଲୋକ ଏ ନେଇ ତାଙ୍କ ମା’ ଘରକୁ ପଚାରିଥିଲେ। ତେ‌ବେ ସାବିତ୍ରୀ ତାଙ୍କ ମା’ ଘର କିମ୍ବା କୌଣସି ବନ୍ଧୁବାନ୍ଧବ ଘରକୁ ଯାଇ ନଥିବା ଜଣାପଡ଼ିଥିଲା। ଗତ ୧୯ ତାରିଖରେ ସାବିତ୍ରୀଙ୍କ ମା’ ଘର ଲୋକ ଜମନକିରାର ଛେମଣ୍ଡାରୁ ଆସି ଥାନାରେ ଏତଲା ଦେଇଥିଲେ। ଅଭିଯୋଗକୁ ଆଧାର କରି ଥାନା ଅଧିକାରୀ ପ୍ରେମଜିତ ଦାଶ ତଦନ୍ତ ଆରମ୍ଭ କରିଥିଲେ।

ପ୍ରଥମେ ରଞ୍ଜନଙ୍କୁ ତାଙ୍କ ସ୍ତ୍ରୀକୁ ଧରି ଥାନାକୁ ଆସିବାକୁ କହିଥିଲେ। ମାତ୍ର ତାଙ୍କ ସ୍ତ୍ରୀ ଘରଛାଡ଼ି ଚାଲିଯାଇଥିବା ରଞ୍ଜନ କହିଥିଲା। ଗୁରୁବାର ଏକ ପୁଲିସ ଦଳ ତାଙ୍କ ଗାଁକୁ ତଦନ୍ତ ପାଇଁ ଯାଇଥିଲେ। ରଞ୍ଜନ ସେମାନଙ୍କୁ ଭୁଆଁ ବୁଲାଇ ଫେରାଇ ଦେଇଥିଲା। ପରେ ପୁଣି ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମ‌େ ମାଜିଷ୍ଟ୍ରେଟ ଦାୟିତ୍ବରେ ଗୋପୀନାଥ ଖାଖା, କୁଚିଣ୍ଡା ଏସ୍‌ଡିପିଓ ରାଜକିଶୋର ମିଶ୍ର, ଜମନକିରା ପୁଲିସ ଟିମ୍, ବିଜୟା ଲକ୍ଷ୍ମୀ ତିର୍କୀଙ୍କ ନେତୃତ୍ଵରେ ସାଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନଙ୍କୁ ଦେଖି ଅଭିଯୁକ୍ତ ରଞ୍ଜନ ଦୌଡ଼ି ପଳାଇବାକୁ ଚେଷ୍ଟା କରିଥିଲା। ମାତ୍ର ପୁଲିସ ତାକୁ ଗୋଡ଼ାଇ ଧରିଥିଲା। ରଞ୍ଜନଙ୍କୁ ଜେରା କରିବା ପରେ ସେ ସବୁ କଥା ଓଗାଳି ଥିଲା। ତା’ର ସୂଚନା ଆଧାରରେ ପୁଲିସ ମାଟି ଖୋଳି ଶବ ବାହାର କରିବା ସହ ବ୍ୟବଚ୍ଛେଦ ପାଇଁ କୁଚିଣ୍ଡା ଡାକ୍ତରଖାନାକୁ ପଠାଇଥିଲା। ଏଥିସହ ପୁଲିସ ରଞ୍ଜନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ଅଧିକ ତଦନ୍ତ ଜାରି ରଖିଛି।