ସଂପର୍କୀୟଙ୍କ ଜାମିନକୁ ଜଗିଲା ଶବ! ଜେଲରୁ ବାହାରି ତିନି ଦିନ ପରେ ନେଲେ

ବଲାଙ୍ଗୀର: ମୁଁ ଶବ କହୁଛି…। ମୋର ମୃତ୍ୟୁ ଗତ ଆଠ ତାରିଖ ସକାଳ ସାଢ଼େ ୧୦ଟାରେ ହୋଇଥିଲା। ହେଲେ ମୋର ଦାହସତ୍କାର ହୋଇପାରୁନି। ହସପିଟାଲ ମର୍ଗରେ ତିନିଦିନ ହେଲା ପଡ଼ିରହିଛି। ସଂପର୍କୀୟ ଆସିଲେ ମୋର ଦାହସତ୍କାର ହେବ। ଏକଥା ହୁଏତ କାଳ୍ପନିକ। କିନ୍ତୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଉତ୍ତେଜନା ପରବର୍ତ୍ତୀ ଘଟଣାରେ ଏଭଳି କିଛି ହୋଇଛି। ସଂପର୍କୀୟଙ୍କ ଜାମିନକୁ ତିନି ଦିନ ଧରି ଶବ ଜଗିଲା ପରେ ମର୍ଗରୁ ବାହାରିଛି। ସଂପର୍କୀୟ ଜାମିନରେ ଆସି ଶବକୁ ସତ୍କାର ପାଇଁ ଗାଁକୁ ନେଇଛନ୍ତି। ଡାକ୍ତରଖାନାରେ ହୋଇଥିବା ଉତ୍ତେଜନାର ପୂରା ଘଟଣାରେ ଏଭଳି କିଛି ଘଟିଛି।

ଘଟଣାରୁ ପ୍ରକାଶ ଯେ ଗତ ୭ ତାରିଖ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଭୁର୍ସିପାଲି ଗାଁର ୨୪ ବର୍ଷୀୟ ଯୁବକ ମିଟୁ ବେହେରାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରିବାର ଲୋକଙ୍କ କହିବାନୁସାରେ, ରକ୍ତ ଦେବା ପାଇଁ କହିଥିଲେ ଡାକ୍ତର। ହେଲେ ରକ୍ତଦାତା ମହଜୁଦ ଥିଲେ ବି ରକ୍ତ ସଂଗ୍ରହ କରିଦିଆ ନଯିବାରୁ ୮ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଉ ଏହାକୁ ନେଇ ହସପିଟାଲରେ ହୋହଲ୍ଲା ହୋଇଥିଲା। ମୃତକଙ୍କ ପରିବାର ଲୋକ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ।

ଆଉ ପୁଲିସ ଖବର ପାଇ ପହଞ୍ଚିବା ପରେ ମେଡିସିନ ମେଲ୍‌ ୱାର୍ଡରେ ଲାଠିଚାର୍ଜ କରିବା ଯାଏ କଥା ଯାଇଥିଲା। ପୂରା ଡାକ୍ତରଖାନା ରଣକ୍ଷେତ୍ର ପାଲଟିଥିଲା। ପୁଲିସ ଗୋଡ଼ାଇ ଗୋଡ଼ାଇ ଉତ୍ତ୍ୟକ୍ତ ଯୁବକମାନଙ୍କୁ ମାଡ଼ ମାରିଥିଲା ଓ ଗିରଫ କରିଥିଲା। ଏପରିକି ପୁଲିସ ମାଡ଼ରେ ମୃତକ ପରିବାରର ଜଣକର ହାତ ଭାଙ୍ଗିଥିବା ବେଳେ ଆଉ ଜଣେ ଆହତ ହୋଇଥିଲେ।

ଏହି ଘଟଣାରେ ଡାକ୍ତରଖାନା କର୍ତ୍ତୃପକ୍ଷ ଥାନାରେ ଏତଲା ଦେବା ପରେ ପୁଲିସ ମୃତକ ପରିବାରର ୧୦ ଜଣଙ୍କୁ କୋର୍ଟ ଚାଲାଣ କରିଥିଲା। ତେଣୁ ଦଶ ଜଣ ଜେଲରେ ଥିବାରୁ ପରିବାର ଲୋକ ଶବ ଉଠାଇବାକୁ ମନା କରିଦେଇଥିଲେ। ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅଡୁଆ ବଢ଼ିଥିଲା। ଡାକ୍ତରଖାନା ଅଧୀକ୍ଷକ ଜରୁରୀକାଳୀନ ବୈଠକ ଡାକି ଆଲୋଚନା କରିଥିଲେ। ଘଟଣାରେ ମୃତକ ପରିବାରର ଗିରଫ ବ୍ୟକ୍ତିଙ୍କ ଦଫା କୋହଳ କରିବାକୁ ପୁଲିସକୁ ପରେ ଲିଖିତ ଜଣାଇଥିଲେ। କିନ୍ତୁ ମାମଲା କୋର୍ଟକୁ ଯାଇସାରିଥିବାରୁ ଜାମିନକୁ ହିଁ ଅପେକ୍ଷା ରହିଥିଲା। ଶେଷରେ ବୁଧବାର ମୃତକ ପରିବାରର ଜେଲ ଯାଇଥିବା ଦଶ ଜଣଙ୍କୁ ଜାମିନ ମିଳିଥିଲା। ସେମାନେ ବାହାରିବା ପରେ ଶବକୁ ମର୍ଗରୁ ଗାଁକୁ ନେଇଛନ୍ତି।

ଏଣୁ ତିନି ଦିନ ଧରି ଜାମିନ ଅପେକ୍ଷାରେ ଶବ ମର୍ଗରେ ପଡ଼ିରହିଥିଲା। ସମଗ୍ର ଘଟଣାରେ କିନ୍ତୁ ସଂପର୍କୀୟମାନେ ନ୍ୟାୟ ଦାବି କରିଛନ୍ତି। ସେମାନଙ୍କୁ ମାଡ଼ ମାରିଥିବା ପୁଲିସ ଓ ଚିକିତ୍ସାରେ ଅବହେଳା କରିଥିବା ଡାକ୍ତର, ନର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଏହା ପୂର୍ବରୁ ବି ଡାକ୍ତରଖାନାରେ ଅନେକ ଏଭଳି ଘଟଣାମାନ ହେଉଛି। ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ନେଇ ଉତ୍ତେଜନା ବହୁବାର ହେଲାଣି। ବହୁ କ୍ଷେତ୍ରରେ ଡାକ୍ତରଖାନାରେ ଅବସ୍ଥାପିତ ଡାକ୍ତର ଓ ନର୍ସଙ୍କ ଦୁର୍ବ୍ୟବହାରର ଶିକାର ଅନେକ ହୁଅନ୍ତି। ଏଣୁ ଡାକ୍ତରଖାନା କର୍ତ୍ତୃପକ୍ଷ ଆଗକୁ କେମିତି ଏଭଳି ଘଟଣା ନହେବ ତାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର