ଅନୁଗୁଳ: ଇତିହାସର ପୁନର୍ଲିଖନ ନୁହେଁ, ବରଂ ସମସ୍ତେ ଆଞ୍ଚଳିକ ଇତିହାସ ଜାଣିବା ଉଚିତ। କେବଳ କିମ୍ବଦନ୍ତି ପଢ଼ି ଆମେ ଇତିହାସ ଜାଣିଛୁ ବୋଲି କହିପାରିବା ନାହିଁ। ଇତିହାସ ଏଭଳି ଲେଖାଯିବା ଦରକାର ଯାହା ଆମକୁ ଉତ୍ସାହିତ କରିବ। ଆଞ୍ଚଳିକ ଇତିହାସ ଜାଣିଲେ, ହଜିଲା ଅତୀତକୁ ଖୋଜି ପାଇବା ସହଜ ହୋଇପାରିବ। ଆଜି ଅନୁଗୁଳ ପୌରପାଳିକା ସଭାଗୃହରେ ଆୟୋଜିତ ‘ଅନୁଗୋଳ ଇତିହାସ’ ପୁସ୍ତକ ଉନ୍ମୋଚନ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ଆମ ଓଡ଼ିଶା’ ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି। ସେ କହିଛନ୍ତି ଯେ ଯେଉଁ ଜାତି ରାଗେ ନାହିଁ ବା ଚିଡ଼େ ନାହିଁ ସେ ଆଗକୁ ଯାଇପାରିବ ନାହିଁ। ଯେଉଁଠି ଭୟଗ୍ରାସ କରେ, ପ୍ରଶ୍ନକୁ ଗ୍ରହଣ କରାଯାଏନି ଏବଂ ଉତ୍ତର ଦେବାକୁ ସାହସ କୁଳେନି ସେଠାରେ ବୌଦ୍ଧିକ ଅଧୋଗତି ଓ ଅବକ୍ଷୟ ହୋଇଥାଏ।
ମହାରାଜା ସୋମନାଥ ସିଂହ ଜଗଦ୍ଦେବ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ପୁସ୍ତକ ଉନ୍ମୋଚନ ସମାରୋହରେ ମୁଖ୍ୟବକ୍ତା ଭାବେ ପ୍ରଫେସର ନାରାୟଣ ଚୌଧୁରୀ, ସମ୍ମାନିତ ଅତିଥି ଭାବେ ଅନୁଗୁଳ ପୌରାଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତ ଓ କର୍ମବୀର କଳିଙ୍ଗକେଶରୀ ପ୍ରଭାସ ସାହୁ ପ୍ରମୁଖ ଯୋଗଦେଇ ଅନୁଗୁଳର ଇତିହାସ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଶେଷ ସ୍ବାଧୀନ ରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ପରାକ୍ରମ ଓ ବ୍ରିଟିଶ ଶାସନ କାଳଖଣ୍ଡର ଉଦାହରଣ ଦେଇ ଅତିଥିମାନେ ଇତିହାସର ରୋମନ୍ଥନ କରିଥିଲେ। ପୂର୍ବତନ ଜିଲ୍ଲାପାଳ ହେମନ୍ତ କୁମାର ଦାଶ ଏଥିରେ ସଭାପତିତ୍ବ କରିଥିଲେ। ତାଳଚେର ରାଜାଙ୍କ ରାଜଗୁରୁ ଗୋବିନ୍ଦ ରାଜଗୁରୁ ଏହି ‘ଅନୁଗୋଳ ଇତିହାସ’ ପୁସ୍ତକ ରଚନା କରିଛନ୍ତି। ଏଥିରେ ରାଜାରାଜୁଡ଼ା ଅମଳରେ ଅନୁଗୁଳର ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ମାନଚିତ୍ର କିପରି ଥିଲା ତାହାକୁ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି। ଅନୁଗୋଳ, ଅନୁଗୁଳ ଓ ଅନଗୁଳ ଭଳି ବିଭିନ୍ନ ନାମ କେଉଁଠୁ ଓ କିପରି ଆରମ୍ଭ ହେଲା ତାହାକୁ ଲେଖକ ଶ୍ରୀ ରାଜଗୁରୁ ପାଠକଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି। ଖାସ୍କରି ଏହି ପୁସ୍ତକରେ ଅନୁଗୁଳର ଇତିହାସ ସମ୍ବନ୍ଧରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ରହିଛି, ଯାହା ଆଗାମୀ ପିଢ଼ି ଅନୁଗୁଳ ବାବଦରେ ଜାଣିବା ଆବଶ୍ୟକ ବୋଲି ଶ୍ରୀ ରାଜଗୁରୁ ତାଙ୍କ ଲେଖକୀୟ ବକ୍ତବ୍ୟରେ କହିଛନ୍ତି।
ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସ୍ମୃତି କମିଟି ପକ୍ଷରୁ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକଙ୍କୁ ‘ଓଡ଼ିଆ ରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଡ. ଧରଣୀଧର ନାଥ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ କମିଟି ସମ୍ପାଦକ ବନବିହାରୀ ପଟ୍ଟନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। କୋଷାଧ୍ୟକ୍ଷ ହେମନ୍ତ କୁମାର ଦାସ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇଂ ରାଜକିଶୋର ଦାସ, ଅଧ୍ୟାପକ ବିଶ୍ବରଞ୍ଜନ ପ୍ରଧାନ, ପ୍ରାଧ୍ୟାପକ କୁମୁଦ ଚନ୍ଦ୍ର ଦାଶ, ତୀର୍ଥବାସୀ ସାହୁ, ଅକ୍ଷୟ ସିଂହ, ପାବକ ଗଡ଼ନାୟକ, ସୁକାନ୍ତି ଦାସ, ସ୍ନେହଲତା ସିଂହ, ଶରତ ମାଝୀ, ପ୍ରଭାକର ସ୍ବାଇଁ, ପ୍ରାଣବନ୍ଧୁ ମୁଦୁଲି, ଡ. ସତ୍ୟନାରାୟଣ ସିଂହ ସାମନ୍ତ, ପୂର୍ଣ୍ଣଚନ୍ଦ୍ର ରାଉତ, ବ୍ରଜବନ୍ଧୁ ସାହୁ, କାଳୀଚରଣ, ପ୍ରଦୀପ ପ୍ରଧାନ, ପ୍ରାଧ୍ୟାପକ କୁଳମଣି ନାୟକ, ଶୈଳବାଳା ମିଶ୍ର, ବସନ୍ତ ଦାସ, ରବିନାରାୟଣ ଧର, ବିଷ୍ଣୁଚରଣ ସାହୁ, ଦୀପକ ସାହୁ, ହଳଧର ରାଜଗୁରୁଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।