ଭୁବନେଶ୍ବର: ଗଦ୍ୟ ଓ ଗଣତନ୍ତ୍ର ମଧ୍ୟରେ ଅତୁଟ ସମ୍ପର୍କ ରହିଛି। ଗଦ୍ୟ ସମୃଦ୍ଧ ହେଲେ, ଗଣତନ୍ତ୍ର ସମୃଦ୍ଧ ହେବ। ସରଳ, ସାବଲୀଳ ଗଦ୍ୟ ଗୋଟିଏ ଭାଷାକୁ ସମୃଦ୍ଧ କରିଥାଏ। ଆଜି ଯୁବପିଢ଼ି ନିଜ କଥାଟିକୁ ବୁଝୁଛନ୍ତି କିନ୍ତୁ ତାକୁ ସରଳ ଗଦ୍ୟରେ ଲେଖିବା ବା ଜଣାଇବା ପାଇଁ ସାମର୍ଥ୍ୟ ତାଙ୍କ ପାଖରେ ନାହିଁ। ବହୁତ କିଛି ଜାଣି ଓ ବହୁତ କିଛି ଆବେଗର ଅଧିକାରୀ ହୋଇ ମଧ୍ୟ ତାକୁ ପ୍ରକାଶ କରିପାରୁନାହାନ୍ତି। ଫଳରେ ଗଣତନ୍ତ୍ର ଯେତିକି ସୁଦୃଢ଼ ହେବା କଥା, ତାହା ‌ହୋଇପାରୁନାହିଁ। ଆଜି ‘ସମ୍ବାଦ ଭବନ’ରେ ବରିଷ୍ଠ ପ୍ରଶାସକ ତଥା ସଂସ୍କୃତି ବିଭାଗର ନିର୍ଦେଶକ ରଂଜନ ଦାସଙ୍କ ପ୍ରଥମ ଗଳ୍ପ ସଂକଳନ ‘ଛାଇ ଆଲୁଅର ଖେଳ’ର ଉନ୍ମୋଚନ ପର୍ବ ଅବସରରେ ‘ସମ୍ବାଦ’ର ସଂପାଦକ ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।

Advertisment

ସେ ପୁଣି କହିଥିଲେ ଯେ ପ୍ରଶାସନ ଓ ସାହତ୍ୟ ଭିତରେ ନିବିଡ଼ ସମ୍ପର୍କ ରହିଛି। ପ୍ରଶାସନରେ ଥାଇ ମଧ୍ୟ ଗାଳ୍ପିକ ରଂଜନ ଦାସଙ୍କ ପାଖରେ ସମାଲୋଚନା କରିବାର ଯେଉଁ ସାହସ ଅଛି, ଆମେ ସ୍ବାଧୀନ ହୋଇ ମଧ୍ୟ ଅନେକ ସମୟରେ ତାହା କରିପାରୁ ନାହୁଁ ବୋଲି ସେ କହିଥିଲେ। ଯଦି ସବୁ ଜିଲ୍ଲାପାଳଙ୍କ ମଧ୍ୟରେ ସେତିକି ସମ୍ବେଦନଶୀଳତା ରହନ୍ତା, ନିଶ୍ଚିତ ସମାଜକୁ ସୁଫଳ ମିଳନ୍ତା ବୋଲି ସେ କହିଥିଲେ। ଏଭଳି ଗପ ସମସ୍ତ ପ୍ରଶାସକ ପଢ଼ିବା ଦରକାର। ପ୍ରଶାସକମାନେ ବହୁ ସମୟରେ ଧର୍ମ ସଂକଟର ସମ୍ମୁଖୀନ ହୁଅନ୍ତି। ହେଲେ ବର୍ତ୍ତମାନ ଅନେକ ପ୍ରଶାସକ ସେଭଳି ଅବସ୍ଥାରେ ନାହାନ୍ତି। କାରଣ ପ୍ରଶାସକଙ୍କ ମଧ୍ୟରେ ଅହଂକାର ବଢ଼ିଯାଇଛି। ରାଜନୈତିକ ବ୍ୟକ୍ତିମାନଙ୍କ ଦୁର୍ବଳତା ଏହି ପ୍ରଶାସକୀୟ ଅହଂକାରକୁ ବଢ଼ାଇ ଦେଇଛି ବୋଲି ସେ କହିଥିଲେ। ଏହି ଅହଂକାର ଗଣତନ୍ତ୍ରର ସବୁଠୁ ବଡ଼ ଅପକାର କରିବାକୁ ଯାଉଛି ବୋଲି ମଧ୍ୟ ଶ୍ରୀ ପଟ୍ଟନାୟକ ଚେତାଇ ଦେଇଥିଲେ।

ସଂସ୍କୃତି ବିଭାଗର ନିର୍ଦେଶକ ତଥା ଲେଖକ ରଂଜନ ଦାସ କହିଛନ୍ତି ଯେ ଗପ ଲେଖିବା ଏତେଟା ସହଜ ନୁହେଁ। ଏଥିପାଇଁ ସାଧନା, ଉଦ୍ୟମ, ଭାବନା ଏବଂ ସାହସ ଆବଶ୍ୟକ। ଗପ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଠିକଣା ପରିଣତିରେ ନପହଞ୍ଚାଇଲେ, ଗପ କଇଁନ୍ଥା ବାଇଗଣ ଭଳି ହୋଇଥାଏ। ତେଣୁ ସାଧନା, ଭାବନା, ଉଦ୍ୟମ ଓ ସାହସର ସମନ୍ବୟ ରହିବା ଦରକାର ବୋଲି ସେ କହିଥିଲେ। ପୁସ୍ତକର ସମୀକ୍ଷା କରି ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର କହିଛନ୍ତି ଯେ ଛାଇଆଲୁଅର ଖେଳ, ଅନ୍‌ଲକ୍‌, ଫେୟାର୍‌ ୱେଲ୍‌ ଭଳି ଗପଗୁଡ଼ିକ ଜୀବନର ବିଭିନ୍ନସ୍ତରରେ ଘଟୁଛି।

ପ୍ରତିଗଳ୍ପରେ ସକରାତ୍ମକ କଥା ରହିଛି। ୧୧ଟି ଗଳ୍ପରେ ମଣିଷ ଭିତରେ ଥିବା ଭଲପଣିଆ କିଭଳି ବାହାରକୁ ଆଣିହେବ, ସେଇ ପ୍ରୟାସ ପ୍ରତି ଗଳ୍ପରେ ରହିଛି। ବିଶିଷ୍ଟ କଥାକାର ତଥା ସମ୍ବାଦ ଫିଚର୍‌ ସମ୍ପାଦକ ଗୌରହରୀ ଦାସ କହିଥିଲେ ଯେ ଯଦି ମଣିଷ ‌ଲକ୍ଷେ ବର୍ଷ ବଞ୍ଚନ୍ତା, ତେବେ ଗଳ୍ପ ଲେଖିବାକୁ ପଡ଼ନ୍ତାନି। କାରଣ ଜୀବନରେ ସୀମିତ ଆୟୂଷ ଭିତରେ ସମସ୍ତ ଅନୁଭବ ଓ ଅନୁଭୂତିକୁ ସଂଗ୍ରହ କରିବା ସହଜ ନୁହେଁ। ଏଥିପାଇଁ ସାହିତ୍ୟ ପାଖକୁ ଫେରିବାକୁ ପଡ଼େ। ଜୀବନରେ ହାର୍‌ଜିତ୍‌ ଠାରୁ ଆରମ୍ଭ କରି ଭୁଲ୍‌ ଠିକ୍‌, ମଣିଷ ଜାତିର କ’ଣ କ୍ଷତି ଘଟିଛି ସବୁ ସାହିତ୍ୟରୁ ଜାଣିହୁଏ। ତେଣୁ ସାହିତ୍ୟ ହେଉଛି ସଭ୍ୟତାର ଏକ ସାମୁହିକ ସଙ୍କଳନ ଓ ସାହିତ୍ୟ ହେଉଛି ସବୁ କାଳର ଖବର ବୋଲି ଶ୍ରୀ ଦାସ କହିଛନ୍ତି। ଆମ ଓଡ଼ିଶାର ସମ୍ପାଦକ ସ୍ବରାଜ ମିଶ୍ର କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ଯୁବ ଗାଳ୍ପିକ କ୍ଷେତ୍ରବାସୀ ନାଏକ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ ଗାଳ୍ପିକ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର, ଅରବିନ୍ଦ ରାୟ, କ୍ଷୀରୋଦ ଦାସ, ଚିତ୍ତରଂଜନ ଚିରଂଜିତ୍‌, ରାଜେନ୍ଦ୍ର ରାଉଳ, ଧୃତିକାମ ମହାନ୍ତି, ବିଶିଷ୍ଟ ସ୍ତମ୍ଭକାର ଅଭିରାମ ବିଶ୍ବାଳ, ବିଶିଷ୍ଟ ଶିଶୁ ସାହିତ୍ୟିକ ମାନସ ସାମଲ, ବନୋଜ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।