କଟକ : ଶିକ୍ଷାବର୍ଷ ଅଧା ହେବାକୁ ବସିଲାଣି। ତଥାପି ହାଇସ୍କୁଲ ପିଲାଙ୍କୁ ସମସ୍ତ ପାଠ୍ୟପୁସ୍ତକ ମିଳିନାହିଁ। ଏଯାଏ ଉଭୟ ନବମ ଓ ଦଶମ ଶ୍ରେଣୀର ଭୂଗୋଳ ଓ ଅର୍ଥନୀତି ଏବଂ ଜୀବବିଜ୍ଞାନ ପୁସ୍ତକ ବଜାରକୁ ଆସିନାହିଁ। କିନ୍ତୁ, ବଜାରରେ ଟେଷ୍ଟପେପର୍ ଉପଲବ୍ଧ ହୋଇସାରିଲାଣି। ଫଳରେ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏହା ଦ୍ବନ୍ଦ୍ବ ସୃଷ୍ଟିକରିଛି।
ସୂଚନା ଅନୁସାରେ, ରାଜ୍ୟରେ ହାଇସ୍କୁଲ ପାଠ୍ୟପୁସ୍ତକ ପ୍ରଣୟନ ଓ ପ୍ରକାଶନ ଦାୟିତ୍ବ ତୁଲାଇଥିବା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) କର୍ତ୍ତୃପକ୍ଷ ଏହି ୪ଟି ବହି ଏପର୍ଯ୍ୟନ୍ତ ଛାପିନାହାନ୍ତି। ବୋର୍ଡ କର୍ତ୍ତୃପକ୍ଷ ଚଳିତ ଶିକ୍ଷାବର୍ଷରେ ପ୍ରତି ପାଠ୍ୟପୁସ୍ତକରେ ଗୋଟିଏ ଲେଖାଏଁ ନୂଆ ବିଷୟ ଯୋଡ଼ିଥିବା ବେଳେ ଏଯାଏ ତାହାକୁ ଛାପି ପିଲାଙ୍କୁ ଦେଇନାହାନ୍ତି। କିନ୍ତୁ, ଏବେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଟେଷ୍ଟ୍ପେପର ବଜାରରେ ମିଳୁଛି। ସବୁଠୁ ଆଶ୍ଚର୍ଯ୍ୟ କଥା, ବୋର୍ଡ ପ୍ରଣୟନ କରିଥିବା ନୂଆ ବିଷୟକୁ ୱେବ୍ସାଇଟରେ ଛାଡ଼ି ନ ଥିବା ଅଥବା ପିଲାଙ୍କୁ ଦେଇ ନ ଥିବାବେଳେ ତାହା ଟେଷ୍ଟପେପରରେ ସ୍ଥାନ ପାଇଥିବା ଦେଖିବାକୁ ମିଳିଛି। ଏଭଳି ସ୍ଥିତି ରାଜ୍ୟର ୧୨ଲକ୍ଷ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଦ୍ବନ୍ଦ୍ବରେ ପକାଉଛି। ଅନ୍ୟପକ୍ଷରେ ଶିକ୍ଷାବର୍ଷ ଅଧା ହେବାକୁ ବସିଥିବା ବେଳେ ପାଠ୍ୟପୁସ୍ତକ ନ ମିଳିବାକୁ ନେଇ ଅଭିଭାବକ ଉଦ୍ବେଗ ପ୍ରକାଶ କରିଛନ୍ତି। ବୋର୍ଡ କର୍ତ୍ତୃପକ୍ଷ କହିବା ଅନୁଯାୟୀ ନୂଆ ବହି ଛପା ଯିବ ନାହିଁ, ନୂଆ ବିଷୟକୁ ବୁକଲେଟ୍ ଆକାରରେ ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯିବ।
ନବମ, ଦଶମ ଭୂଗୋଳ, ଜୀବବିଜ୍ଞାନ ବଜାରକୁ ଆସିନି
ଦ୍ବନ୍ଦ୍ବରେ ଛାତ୍ରଛାତ୍ରୀ, ଚିନ୍ତାରେ ଅଭିଭାବକ
ଖୁବ୍ଶୀଘ୍ର ମିଳିବ ନୂଆ ବିଷୟର ବୁକଲେଟ୍: ବୋର୍ଡ କର୍ତ୍ତୃପକ୍ଷ
ଶିକ୍ଷାବର୍ଷ ଆରମ୍ଭରୁ ପିଲାଙ୍କୁ ପାଠ୍ୟପୁସ୍ତକ ଦିଆଯିବା କଥା। କିନ୍ତୁ ଚଳିତ ଶିକ୍ଷାବର୍ଷରେ ପାଠପଢ଼ା ଆରମ୍ଭ ହୋଇଯାଇଥିବା ବେଳେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦୁଇଟି ଗୁରୁତ୍ବପୂର୍ଣ୍ଣ ପୁସ୍ତକ ଭୂଗୋଳ ଓ ଅର୍ଥନୀତି ଏବଂ ଜୀବବିଜ୍ଞାନ ଦିଆଯାଇନାର୍ହି। ବୋର୍ଡ କର୍ତ୍ତୃପକ୍ଷ ପ୍ରତି ବହିରେ ଗୋଟିଏ ଲେଖାଏଁ ନୂଆ ବିଷୟ ଯୋଡ଼ିଥିବା ବେଳେ ନୂଆ ପୁସ୍ତକ ଛାପିନାହାନ୍ତି। ବୋର୍ଡ ବହି ଛାଡ଼ି ନଥିବାରୁ ବଜାରରେ ଏହା ମିଳୁନାହିଁ। ଫଳରେ ଛାତ୍ରଛାତ୍ରୀ ଏହାକୁ ପାଇନଥିବା ଜଣାପଡ଼ିଛି।
ପାଠ୍ୟପୁସ୍ତକ ଛପା ଦାୟିତ୍ବରେ ଥିବା ଡେପୁଟି ସେକ୍ରେଟାରି ଯୋଶେଫ୍ ଚନ୍ଦ୍ର ଦାସ କହିଛନ୍ତି, ନବମ ଓ ଦଶମ ଶ୍ରେଣୀର ଭୂଗୋଳ ଓ ଅର୍ଥନୀତି, ଜୀବବିଜ୍ଞାନ ଦୁଇଟି ପୁସ୍ତକ ଯାହା ଚଳୁଛି, ତାହା ଏବର୍ଷ ଚଳିବ। କିନ୍ତୁ ଭୂଗୋଳରେ ଓ ଜୀବବିଜ୍ଞାନରେ ଯେଉଁ ଗୋଟିଏ ଗୋଟିଏ ନୂଆ ବିଷୟ ଯୋଗ କରାଯାଇଛି, ତାହାକୁ ପ୍ରିଣ୍ଟ୍ କରି ବୁକ୍ଲେଟ୍ ଆକାରରେ ପିଲାଙ୍କୁ ଯୋଗାଇ ଦିଆଯିବ। ଏହି କାମ ଚାଲିଛି, ଖୁବ୍ଶୀଘ୍ର ପିଲାଙ୍କୁ ଏହା ମିଳିବ ଓ ନୂତନ ବିଷୟକୁ ମଧ୍ୟ ବୋର୍ଡ ୱେବ୍ସାଇଟ୍ରେ ଛଡାଯିବ ବୋଲି ଡେପୁଟି ସେକ୍ରେଟାରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି।
ବହି ଛପା ନ ହୋଇ ଟେଷ୍ଟ ପେପର କିପରି ବଜାରରୁ ଆସିଲା ପ୍ରସଙ୍ଗରେ ଶ୍ରୀ ଦାସ କହିଛନ୍ତି ଯେ, ବୋର୍ଡ ଟେଷ୍ଟ ପେପର ଛାପୁନାହିଁ, ସେମାନେ କ’ଣ ଛାପିଲେ, ସେ ବିଷୟରେ ବୋର୍ଡ କର୍ତ୍ତୃପକ୍ଷ କିଛି କହିପାରିବେ ନାହିଁ ବୋଲି ଡେପୁଟି ସେକ୍ରେଟାରୀ ଶ୍ରୀ ଦାସ କହିଛନ୍ତି।