ମଳୟ ରଞ୍ଜନ ସାହୁ

Advertisment

ରାଉରକେଲା : ନୂଆ ଆଶା ଓ ଅନେକ ସମ୍ଭାବନାକୁ ନେଇ ପାଦ ଥାପିଛି ବର୍ଷ ୨୦୨୪। ହେଲେ ସ୍ବାଧୀନତାର ୭୮ ବର୍ଷ ପରେ ମଧ୍ୟ ଓଡ଼ିଶା ସୀମା ଆରପଟ ଝାଡ଼ଖଣ୍ଡର ଅନେକ ଗାଁର ଚିତ୍ର ବଦଳିନି। ଶିକ୍ଷା, ସ୍ବାସ୍ଥ୍ୟ ଆଦି ମୌଳିକ ସୁବିଧା ପାଇଁ ସେମାନେ ଓଡ଼ିଶା ଉପରେ ନିର୍ଭରଶୀଳ। ଓଡ଼ିଶା ମାଟି ନ ଛୁଇଁଲେ ସେଠାରେ ଚଳିବା କେବଳ କଷ୍ଟକର ନୁହେଁ, ଅସମ୍ଭବ ମଧ୍ୟ। ନକ୍ସଲ ଉପଦ୍ରୁତ ଏସବୁ ଗାଁ, ଭୟ ଓ ଆତଙ୍କର ବାତାବରଣ ମଧ୍ୟରେ ବିକାଶକୁ ଏକପ୍ରକାର ପାସୋରିି ପକାଇଛି। ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ, ବିଶ୍ରା ଓ ବୀରମିତ୍ରପୁରକୁ ଲାଗିଛି ଏପରି ୩୦ରୁ ଅଧିକ ଗାଁ। ସେଠାକାର ଲୋକଙ୍କ ଘର ଝାଡ଼ଖଣ୍ଡରେ, କିନ୍ତୁ ଜୀବନଜୀବିକା ସବୁ ଓଡ଼ିଶାରେ। ବୁଲୁନ୍ଦା, ରୁଙ୍ଘି, ଫଟକା, ରାଏକେଲା, ହୁର୍ଦା, ଓଡ଼ଗାଁ, ଗେନମେର, ଡଙ୍ଗାପାନି, ପରବା, ମାରାନି, ଜରମଣ୍ଡା, କୋହିପାଟ, ଟେମ୍ବର ଓ ଚାନମାଏ ଆଦି ଏମିତି ଅନେକ ଗାଁ ରହିଛି। ଝାଡ଼ଖଣ୍ଡର ପାରୋଡ଼ିହି, ମକରଣ୍ଡା, ସମଠା, ଶାଗଯୋଡ଼ି, ରେଡ଼ା, ଧାନପାଲି, ପାଞ୍ଚପହିଆ, ଲାଇଲୋଇ, ଫୁଲବାରି, ପ୍ରଧାନପାଲି, ବିକାଳକୁଦର, ଅଭୟପୁର, ପୋଟକା, ପୁରାନାଡ଼ିହି, ନୱାଡ଼ିହି ଓ ଡୋମଲାଇ ଭଳି ୨୦ରୁ ଅଧିକ ଗାଁ ସୁନ୍ଦରଗଡ଼ର ବିଶ୍ରା ବ୍ଲକ ଅନ୍ତର୍ଗତ ଜରେଇକେଲାକୁ ଲାଗିଛି। ଏହି ୨୦ଟି ଗାଁରେ ୧୨ ହଜାରରୁ ଅଧିକ ଲୋକ ବସବାସ କରନ୍ତି।

ସେମିତି ନୂଆଗାଁ ସୀମାକୁ ଲାଗିଥିବା ୧୪ରୁ ଅଧିକ ଗାଁରେ ରହନ୍ତି ପ୍ରାୟ ୧୦ ହଜାର ଲୋକ। କିଛି ଲୋକ ଛୋଟଛୋଟ ବ୍ୟବସାୟ ମଧ୍ୟ କରନ୍ତି। ଆହୁରି ଶହଶହ ଲୋକ ରାଉରକେଲାରେ କୋଠାବାଡ଼ି ଓ ରାସ୍ତା ନିର୍ମାଣ କାମକରି ପରିବାର ଚଳାନ୍ତି। ନୂଆଗାଁର କାତେପୁର, ନୂଆଗାଁ, ସୋରଡ଼ା, ହାତୀବାରି, ପୁରୁଣାପାଣି ସାପ୍ତାହିକ ହାଟ, ବିଶ୍ରାର ଜରେଇକେଲା, ଭାଲୁଲତା ଆଦି ହାଟରେ ଏମାନଙ୍କର ଦୈନନ୍ଦିନ ବେପାର। ପର୍ବପର୍ବାଣି, ବିବାହ, ବ୍ରତ ଆଦି ସାମାଜିକ କାର୍ଯ୍ୟକ୍ରମରେ ଜିନିଷପତ୍ର ପାଇଁ ଏମାନଙ୍କ ପ୍ରମୁଖ ବଜାର ହେଉଛି ରାଉରକେଲା। ପ୍ରାଥମିକ ଶିକ୍ଷା ହେଉ ଅବା ଉଚ୍ଚ ଶିକ୍ଷା, ଓଡ଼ିଶା ଉପରେ ପୂରାପୂରି ନିର୍ଭରଶୀଳ। ଓଡ଼ିଶାର ସୀମାନ୍ତ ବିଦ୍ୟାଳୟ ଗୁଡ଼ିକରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବହୁ ଝାଡ଼ଖଣ୍ଡୀ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଅଧିକାଂଶ ପିଲା ବିଶ୍ରା କଲେଜକୁ ମଧ୍ୟ ପାଠ ପଢ଼ିବାକୁ ଆସୁଛନ୍ତି। ନୂଆଗାଁ ବ୍ଲକ୍‌ ଚିତାପେଡ଼ି ପଞ୍ଚାୟତ ପନିଆସାଲ ପ୍ରାଥମିକ ବିଦ୍ୟାଳୟରେ ଝାଡ଼ଖଣ୍ଡର ହୃଦା, ରୁଙ୍ଘି, ବୁଲୁଣ୍ଡା ଆଦି ଅଞ୍ଚଳର ଶତାଧିକ ପିଲା ଓଡ଼ିଆରେ ପାଠ ପଢ଼ୁଛନ୍ତି। ସ୍ବାସ୍ଥ୍ୟସେବା ପାଇଁ ରାଉରକେଲା ସରକାରୀ ହସ୍ପିଟାଲ, ଇସ୍ପାତ ଜେନେରାଲ ହସ୍ପିଟାଲ ସମେତ ରାଉରକେଲାର ଘରୋଇ କ୍ଲିନିକ୍, ଘରୋଇ ହସ୍ପିଟାଲ ଉପରେ ଏହି ଗାଁଗୁଡ଼ିକର ଲୋକ ସମ୍ପୂର୍ଣ୍ଣ ନିର୍ଭରଶୀଳ।