ଦୁର୍ଘଟଣାରେ ବାଳକ ମୃତ, ବାପା-ମା’ ଗୁରୁତର

ଅତାବିରା : ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ ସରଣ୍ଡା ଶିବ ମନ୍ଦିର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣାରେ ୧୧ ବର୍ଷ ବୟସର ବାଳକର ମୃତ୍ୟୁ ଘଟିଛି। ମୃତ ବାଳକର ବାପା-ମା’ ଗୁରୁତର ଆହତ ହୋଇ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଜାତୀୟ ରାଜପଥ ମରାମତି ଦାୟିତ୍ବରେ ଅଶୋକା ବିଲ୍‌ଡ୍‌କନର ତ୍ରୁଟି ଯୋଗୁଁ ରାସ୍ତା ମରଣଯନ୍ତା ପାଲିଟିଥିବା ଅଭିଯୋଗ କରି ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ପରେ ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥକୁ ଅପରାହ୍ନ ୪ଟାରେ ଅବରୋଧ କରିଥିଲେ।

ବରଗଡ଼ ଜିଲ୍ଲା ଭେଡ଼େନ ଥାନା ଅନ୍ତର୍ଗତ ରେମଣ୍ଡା ଗ୍ରାମର ଦିଲ୍ଲୀପ ସାହୁ, ପତ୍ନୀ ମାମି ସ‌ାହୁ ଓ ପୁଅ ସ୍ବୟଂ ସାହୁ ସମ୍ବଲପୁର ପଟୁ ନିଜ ବାଇକ୍‌ (ଓଡି ୧୬ ୟୁ ୫୭୪୫)ରେ ଘରକୁ ଫେରୁଥିଲେ। ସରଣ୍ଡା ମନ୍ଦିର ଛକ ନିକଟରେ ରାସ୍ତା କଡ଼ରେ ଥିବା ବ୍ରିଜ୍‌ରେ ବାଡ଼େଇ ହୋଇଥିଲେ। ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଗ୍ରାମବାସୀ ଅତାବିରା ଡାକ୍ତରଖାନାକୁ ପଠାଇଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସ୍ବୟଂଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ବାଳକର ବାପା ଦିଲ୍ଲୀପଙ୍କ ଗୋଡ଼ ଭାଙ୍ଗିଯାଇଥିବା ବେଳେ ମା’ ମାମିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସଡ଼କ ଦୂରବସ୍ଥା ପାଇଁ ଦୁର୍ଘଟଣା ଦର୍ଶାଇ ଗ୍ରାମବାସୀ ରାସ୍ତାରୋକ କରିଥିଲେ।

ଖବର ପାଇ ଅତାବିରା ଆଇଆଇସି ଅନିଲ ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଗୋଡ଼ଭଗା ଫାଣ୍ଡି ଅଧିକାରୀ ବିପିନ ବାଗ ଓ ଅତାବିରା ଏସ‌୍ଆଇ ଅନିମା ଏକ୍କା ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। ବହୁ ସମୟ ଆଲୋଚନା ପରେ ଫାଣ୍ଡି ଅଧିକାରୀ ରାସ୍ତାରୋକ ହଟାଇବାକୁ ଅନୁରୋଧ କରିଥିଲେ। ଆଜିଠାରୁ ଲିଙ୍କ୍‌ ରାସ୍ତା କାମ ସମୂର୍ଣ୍ଣ କରିବା ପରେ ଅନ୍ୟ ସାଇଟ୍‌ ରାସ୍ତା କାମ ଆରମ୍ଭ କରିବାକୁ ଫୋନ୍‌ ମାଧ୍ୟମରେ ଏନ୍‌ଏଚ୍‌ ପ୍ରକଳ୍ପ ଅଧିକାରୀ ଉମାକାନ୍ତ ବାରିକ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା। ରାସ୍ତାରୋକ ଯୋଗୁଁ ଫୋର୍‌ଲେନ୍‌ ରାସ୍ତାରେ ଗାଡ଼ିଗୁଡ଼ିକ ଅଟକି ରହିଥିବାରୁ ୨ଟି ଆମ୍ବୁଲାନ୍ସ ବି ଅଧଘଣ୍ଟା ଯାଏ ଯାଇପାରି ନଥିଲା। ଆନ୍ଦୋଳନକାରୀମାନେ ଗୋଟିଏ ରାସ୍ତାରେ ଥିବା ଗାଡ଼ିଗୁଡିକୁ ଛାଡ଼ି ଆମ୍ବୁଲାନ୍ସ ଯିବାର ସୁବିଧା କରିଥିଲେ।

ସମ୍ବନ୍ଧିତ ଖବର