ବ୍ରଜରାଜନଗର: ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ସେଠାରେ ରଥ ନିର୍ମାଣ କାମ ଜୋରସୋରରେ ଚାଲିଛି। ତେବେ ଶ୍ରୀକ୍ଷେତ୍ର ରଥଯାତ୍ରା ପାଇଁ ୩ ରଥରେ ବ୍ୟବହୃତ ବ୍ରେକ ସିଷ୍ଟମ୍ ନିର୍ମାଣ କାମ ଚାଲିଛି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ। ରଥଟଣା ସମୟରେ ଭିଡ଼ ମଧ୍ୟରେ ନିୟନ୍ତ୍ରଣ ପାଇଁ ଏହି ସିଷ୍ଟମ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

Advertisment

ବ୍ରଜରାଜନଗରର ଇଂ. ଅଶ୍ୱିନୀ ମିଶ୍ର ନୂତନ ଜ୍ଞାନ କୌଶଳ ପ୍ରୟୋଗ କରି ଏହି କାର୍ଯ୍ୟ କରୁଛନ୍ତି। ତାଙ୍କୁ ଜଗୁ ବେନିଆ ଓ ତାଙ୍କ ଟିମ୍‌ ସହଯୋଗ କରୁଛନ୍ତି। ୧୭ ବର୍ଷ ହେବ ଅଶ୍ୱିନୀ ଏହି କାର୍ଯ୍ୟ କରିଆସୁଛନ୍ତି। ପୂର୍ବରୁ ରଥଟଣା ସମୟରେ ବ୍ରେକ୍ ଦେବାପରେ ମଧ୍ୟ ରଥ କିଛି ବାଟ ଆଗକୁ ଚାଲି ଯାଉଥିଲା। ତେଣୁ ନୂତନ କୌଶଳରେ ବ୍ରେକ୍ ସିଷ୍ଟମ୍ ନିର୍ମାଣ ପାଇଁ ଇଂ. ଶ୍ରୀ ମିଶ୍ର ପୁରୀ ମନ୍ଦିର ପ୍ରଶାସକଙ୍କୁ ଏକ ପ୍ରସ୍ତାବ ଦେଇଥିଲେ। ୨୦୦୮ ମସିହାରେ ତାଙ୍କୁ ଏହି କାମପାଇଁ  ଅନୁମତି ମିଳିଥିଲା। ସେହିଦିନ ଠାରୁ ଇଂ. ମିଶ୍ର ଓ ତାଙ୍କ ଟିମ୍‌ ଏହା କରିଆସୁଛନ୍ତି।

ସୂଚନା ଅନୁସ‌ାରେ, ଏହି ବୈଷୟିକ କୌଶଳ ପାଇଁ ରବର ଓ ନାଇଲନ ଲେୟାର ଥିବା ବେଲ୍ଟ ଆବଶ୍ୟକ ହୋଇଥାଏ। ୩ ରଥପାଇଁ ମୋଟ ୨୪ ଖଣ୍ଡ ବେଲ୍ଟ ଦରକାର। ପ୍ରତି ବେଲ୍ଟର ଲମ୍ବା ୧ଫୁଟ, ଚଉଡ଼ା ୯ଇଞ୍ଚ, ମୋଟେଇ ୧୬ ମିଲିମିଟର ରହିଥାଏ। ଏହାସହିତ ୧୫ କେଜି ନିହାଣ କଣ୍ଟା, ୫ କେଜି ଜୁଖିଆ କଣ୍ଟା ଓ ୩ କେଜି ୱାସର ବ୍ୟବହାର ହୋଇଥାଏ। ଏ ସବୁକୁ ନିଜେ ଇଂ. ମିଶ୍ର ଯୋଗାଡ଼ କରି ତାକୁ ବ୍ୟବସ୍ଥିତ କରିଥା’ନ୍ତି। ଆଜି ଇଂ. ମିଶ୍ରଙ୍କ ସହିତ ଜଗୁ ବେନିଆ, ପ୍ରଶାନ୍ତ ବେନିଆ, ତ୍ରିଲୋଚନ ବଢ଼େଇ, ଧନୀରାମ ବାଗ ବ୍ରେକ୍‌ ସିଷ୍ଟମ୍ ନେଇ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି।