ସୋର: ପ୍ରେମୀଯୁଗଳଙ୍କ ବିବାହ ହେଉଥିଲା। ଉଭୟଙ୍କ ପରିବାରର ସଦସ୍ୟ ଓ ସାଙ୍ଗସାଥୀ ଉପସ୍ଥିତ ଥିଲେ। ହେଲେ ହଠାତ୍‌ ବିବାହ ସ୍ଥଳ ଛାଡ଼ି ବର ଫେରାର୍‌ ହୋଇଯାଇଛନ୍ତି। ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ୍‌ ପଳସା ଅଞ୍ଚଳର ଜଣେ ଯୁବକ ସେହି ବ୍ଲକ୍‌ ଅଧୀନ ଗୁହାଳଗଡ଼ିଆ ଅଞ୍ଚଳର ଜଣେ ଯୁବତୀଙ୍କୁ ଦୀର୍ଘ ୩ ବର୍ଷ ହେବ ପ୍ରେମ କରୁଥିଲେ। ହେଲେ ଯୁବକ ଜଣକ ବିବାହ ନ କରି ସମୟ ଗଡ଼ାଇ ଚାଲିଥିଲେ। ୩ ଦିନ ତଳେ ପ୍ରେମିକା ଘରଲୋକ ସଂପୃକ୍ତ ଯୁବକଙ୍କୁ ଧରି ନେଇ ଘରେ ରଖିଥିଲେ।

Advertisment

ଉଭୟ ପରିବାର ସଦସ୍ୟଙ୍କ ବୁଝାମଣା ପରେ ପ୍ରେମିକ ଓ ପ୍ରେମିକାଙ୍କ ବିବାହ ସ୍ଥିର ହୋଇଥିଲା। ସେମାନଙ୍କ ଆଜି ସୋରରେ ବିବାହ ହେବାର ଥିଲା। ବିବାହ ସ୍ଥଳରେ ଉଭୟଙ୍କ ପରିବାର ସଦସ୍ୟ ଓ ସାଙ୍ଗସାଥୀ ଉପସ୍ଥିତ ଥିଲେ। ତେବେ ବର ପାନ ଆଣିବା ବାହାନାରେ ବିବାହ ସ୍ଥଳରୁ ଜଣେ ସାଙ୍ଗଙ୍କ ସ୍କୁଟିରେ ବସି ଚମ୍ପଟ ମାରିଥିଲେ। ଏପରି ସମୟରେ ବର ବାପା କନିଆ ଘରଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ। ଏନେଇ ଖଇରା ଥାନାରେ ଲିଖିତ ଅଭିଯୋଗ କରିବେ ବୋଲି କହି ପ୍ରେମିକାଙ୍କ ପରିବାର ଲୋକ ଫେରିଯାଇଥିବା ଜଣାପଡ଼ିଛି।