କୋରେଇ: କୋରେଇ ଥାନା ଅନ୍ତର୍ଗତ ଧନେଶ୍ବର ପଞ୍ଚାୟତ ମୃତ୍ୟୁଞ୍ଜୟପୁର ବାଡ଼ା ଗ୍ରାମରେ ଛିଡ଼ି ପଡ଼ିଥିବା ଏକ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଗୋଟିଏ ଷଣ୍ଢର ମୃତ୍ୟୁ ହୋଇଛି। ତାର ଛିଡ଼ିବାର ୨୪ ଘଣ୍ଟା ପରେ ମରାମତି ପାଇଁ ଆସିଥିବା ବିଦ୍ୟୁତ୍‌ କର୍ମଚାରୀଙ୍କୁ ଗ୍ରାମବାସୀ ଆଜି ବହୁ ସମୟ ପର୍ଯ୍ୟନ୍ତ ଘେରିଥିଲେ। ବିଦ୍ୟୁତ୍‌ ବିଭାଗର ଅବହେଳା ପାଇଁ ଷଣ୍ଢର ମୃତ୍ୟୁ ହୋଇଥିବା ଗ୍ରାମବାସୀ କହିବା ସହ ଜରୁରୀ ସମୟରେ ଫୋନ୍‌ କଲେ ବିଭାଗୀୟ ଅଧିକାରୀ ଫୋନ୍‌ ଉଠାଉନଥିବା ଅଭିଯୋଗ କରିଛନ୍ତି।

Advertisment

ଗତକାଲି ସନ୍ଧ୍ୟାରେ ହୋଇଥିବା ଝଡ଼ତୋଫାନରେ ମୃତ୍ୟୁଞ୍ଜୟପୁର ବାଡ଼ା ଗ୍ରାମର ପ୍ରତିହାରୀ ସାହି ନିକଟରେ ଥିବା ଏକ ଏଲଟି ଲାଇନ୍‌ ତାର ଛିଡ଼ି ପଡ଼ିଥିଲା। ଗତକାଲି ବିଦ୍ୟୁତ୍‌ ସରବରାହ ନଥିବାରୁ ଏହା ଜଣାପଡ଼ିନଥିଲା। ଆଜି ସକାଳୁ ଛିଡ଼ି ପଡ଼ିଥିବା ବିଦ୍ୟୁତ୍‌ ତାରକୁ ଦେଖି ସ୍ଥାନୀୟ ଅଞ୍ଚଳର ବିଦ୍ୟୁତ୍‌ ସୁରକ୍ଷା ଓ ମରାମତି ପାଇଁ ଥିବା ବିଭାଗୀୟ କର୍ମଚାରୀଙ୍କୁ ଯୋଗଯୋଗ କରିଥିଲେ। ଏହି କର୍ମଚାରୀମାନେ ମରାମତି ଉପରେ ଗୁରୁତ୍ବ ଦେଇନଥିଲେ। ଛିଡ଼ି ପଡ଼ିଥିବା ତାରକୁ ନଯୋଡ଼ି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ କରି ଦିଆଯାଇଥିଲା।

ତଳେ ପଡ଼ିଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବର୍ଷା ପାଣି ଜମିଥିବା ଧାନବିଲରୁ ଧୂଆଁ ବାହାରିବା ସହ ପାଣିରୁ ହଳଦିଆ ରଙ୍ଗର ଫେଣ ବାହାରିଥିଲା। ସାହିବାସୀ ଏସମ୍ପର୍କରେ ଜଣାଇବା ପାଇଁ ବିଭାଗୀୟ ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀଙ୍କୁ ବାରମ୍ବାର ଫୋନ୍‌ କରିଥିଲେ ବି ଉଠାଇନଥିଲେ। ଅପରାହ୍ଣରେ ସେହି ବିଦ୍ୟୁତ୍‌ ତାରରେ ଲାଗି ଷଣ୍ଢର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହାପରେ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିବାରୁ ଲୋକେ ସେମାନଙ୍କୁ ଘେରି ବିଳମ୍ବିତ ରାତି ପର୍ଯ୍ୟନ୍ତ ଅଟକ ରଖିଥିଲେ। ବିଭାଗୀୟ ଯନ୍ତ୍ରୀ ଘଟଣାସ୍ଥଳକୁ ଆସିବାକୁ ଗ୍ରାମବାସୀ ଅଡ଼ି ବସିଥିଲେ। ପରେ ଅଟକ ଥିବା କର୍ମଚାରୀମାନେ ଛିଡ଼ିଥିବା ତାରକୁ ମରାମତି କରିଥିଲେ। ବିଳମ୍ବିତ ରାତିରେ ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିଲେ ମଧ୍ୟ ସମ୍ପୃକ୍ତ କର୍ମଚାରୀଙ୍କୁ ଲୋକମାନେ ଛାଡ଼ି ନଥିଲେ।