ଯୁବତୀଙ୍କୁ ରାଜସ୍ଥାନରେ ବିବାହ କରିଦେଲେ ଦଲାଲ

ଯୁବତୀଙ୍କ ଭଉଣୀ ଥାନାରେ ଦ୍ବାରସ୍ଥ

ରାଉରକେଲା: ବାସନ୍ତୀ କଲୋନି ମାଲଗୋଦାମରେ ଜଣେ ଯୁବତୀଙ୍କୁ ଦୁଇ ଜଣ ଦଲାଲ ରାଜସ୍ଥାନରେ ଜୋରଜବରଦସ୍ତ ବିବାହ କରି ଦେଇଥିବା ଅଭିଯୋଗ ହୋଇଛି।  ଯୁବତୀଙ୍କୁ ଫେରାଇ ଆଣିବା ସହ ଦଲାଲଙ୍କୁ ଗିରଫ ଦାବିରେ ଉଦିତନଗର ଥାନାରେ ଦ୍ବାରସ୍ଥ ହୋଇଛନ୍ତି ତାଙ୍କ ଭଉଣୀ। ସ୍ଥାନୀୟ ଅଞ୍ଚଳର ପୂର୍ବତନ କାଉନସିଲର ସମରପ୍ରିୟ ତନ୍ତୀ, ମଧୁସୂଦନ  ଭୋଇନା, ଅଶୋକ ଗିରିଙ୍କ ସହ ଯୁବତୀଙ୍କ ଭଉଣୀ ଉଦିତନଗର ଥାନାରେ ଲିଖିତ ଏତଲା ଦେଇଛନ୍ତି। ଲିଖିତ ଅଭି‌ଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି।

ଲିଖିତ ଅଭିଯୋଗ ଅନୁଯାୟୀ ମା‌ଲଗୋଦାମ ହନୁମାନ ବନ୍ଦିର ପାଖ ବସ୍ତିରେ ତିନି ଭଉଣୀ ରହନ୍ତି। ତିନି ଭଉଣୀଙ୍କ ମଧ୍ୟରୁ ବଡ ଭଉଣୀ ମାନସିକ ରୋଗୀ। ବାପା-ମା’ ନଥିବାରୁ ଦୁଇ ଭଉଣୀ ବଡ ଭଉଣୀଙ୍କର ଚିକିତ୍ସା କରି ପାରୁ ନଥିଲେ। ଏହାର ସୁଯୋଗ ନେଇ ସ୍ଥାନୀୟ ଅଞ୍ଚଳର ଦୁଇ ଯୁବକ ସେମାନଙ୍କ ଘରେ ପହଞ୍ଚିଥିଲେ। ଦୁଇ ଭଉଣୀଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ରାଞ୍ଚିରେ ବଡଭଉଣୀଙ୍କୁ ଚିକିତ୍ସା କରାଇବାକୁ କହିଥିଲେ। ଦୁଇ ଭଉଣୀ ରାଜି ଦୁଇ ଯୁବକଙ୍କ କଥାରେ ରାଜି ହୋଇଥିଲେ। ଗତ ୨୦୨୨ ଜାନଆରି ୨୬ରେ ତିନି ଭଉଣୀ ଦୁଇ ଯୁବକଙ୍କ ସହ ମିଶି ରାଞ୍ଚି ହସ୍ପିଟାଲକୁ ଯାଇଥିଲେ। ମାନସିକ ରୋଗୀ ବଡଭଉଣୀଙ୍କର ଚିକିତ୍ସା କରିଥିଲେ। ସେଠାରେ ଦୁଇ ଯୁବକ ସାନ ଭଉଣୀଙ୍କୁ ରାଜସ୍ଥାନ ଯୋଧପୁରରେ ବିବାହ କରାଇ ଦେବାକୁ ମଝିଆ ଭଉଣୀଙ୍କୁ ପ୍ରସ୍ତାବ ଦେଇଥିଲେ।

ସାନ ଭଉଣୀ ବିବାହ ‌ହେଲେ ତାଙ୍କ ପରିବାର ଲୋକ ତମ ବଡ ଭଉଣୀ ଚିକିତ୍ସା ଖର୍ଚ୍ଚ ସମ୍ପୂର୍ଣ୍ଣ ବହନ କରିବେ ବୋଲି ମଧ୍ୟ କହିଥିଲେ। ଏମିତି ବୁଝାସୁଝା କରି ଦୁଇ ଯୁବକ ସାନ ଭଉଣୀଙ୍କୁ ରାଜସ୍ଥାନ ନେଇ ଯାଇଥିଲେ। ସେଠାରେ ତା’ର ଅନିଚ୍ଛା ସତ୍ବେ ଜୋରଜବରଦସ୍ତ ଜଣେ ଯୁବକଙ୍କ ବିବାହ କରାଇ ଦେଇଥିଲେ। କିଛି ଦିନ ପରେ ଶ୍ବଶୁର ଘର ଲୋକ ତାଙ୍କୁ ଉଭୟ ମାନସିକ ଓ ଶାରିରୀକ ନିର୍ଯାତନା ଦେବାର ଆରମ୍ଭ କରି ଦେଇଥିଲେ। ନିର୍ଯାତନା ସହ୍ୟ ନ କରି ପାରି ବିବାହିତ ସାନ ଭଉଣୀ ତାଙ୍କ ମଝିଆ ଭଉଣୀଙ୍କୁ ଫୋନ କରି ଘଟଣା ସଂକ୍ରାନ୍ତରେ କହିଥିଲେ।

ସମ୍ବନ୍ଧିତ ଖବର