ଝଡ଼ବର୍ଷାରେ ଭୂମିହୀନ ଆଦିବାସୀଙ୍କୁ ବେଦଖଲ କଲା ନିଷ୍ଠୁର ପ୍ରଶାସନ

ହାଇକୋର୍ଟଙ୍କୁ ଅବମାନନା, ମାନବାଧିକାର କମିସନ୍‌ରେ କ୍ଷତିଗ୍ରସ୍ତ

ଭୁବନେଶ୍ବର: ଜଙ୍ଗଲ ସଂପଦ ତଥା ବନ୍ୟ ପ୍ରାଣୀଙ୍କ ସୁରକ୍ଷା ଦୃଷ୍ଟିରୁ ସମ୍ବେଦନଶୀଳ ଜଙ୍ଗଲ ଅଞ୍ଚଳରେ ଆଦିବାସୀ ଓ ପାରମ୍ପରିକ ବନବାସୀଙ୍କ ସ୍ଥାୟୀ ବସତି ନିମନ୍ତେ ସରକାର ‌ଜଙ୍ଗଲ ଜମି ଅଧିକାର ଆଇନ ପ୍ରଣୟନ କରି ସେମାନଙ୍କୁ ପଟ୍ଟା ଦେଉଛନ୍ତି। ଅଥଚ କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକର ଉପାନ୍ତ ଇଲାକାରେ ପୁରୁଷ-ପୁରୁଷ ଧରି ରହି ଆସୁଥିବା ଭୂମିହୀନ ଆଦିବାସୀ ପରିବାରଙ୍କୁ ସ୍ଥାନୀୟ ପ୍ରଶାସନ ନିର୍ଦ୍ଦୟ ଭାବେ ଭିଟାମାଟିରୁ ଉଚ୍ଛେଦ କରିଛନ୍ତି।

ସମ୍ପୃକ୍ତ ଆଦିବାସୀ ପରିବାର ମଧ୍ୟରୁ ସରକାର କାହାକୁ ଲିଜ୍ ସୂତ୍ରରେ ଜମି ଦେଇଥିଲେ ତ ପୁଣି କିଏ ବିଧିବଦ୍ଧ ବିକ୍ରି କବଲାରେ ଜମି ହାସଲ କରିଥିଲେ। ସତୁରୀ ଦଶକରୁ ସେଠାରେ ଛପର ଘର ଖଣ୍ଡିଏ କରି ପୁରୁଷାନୁକ୍ରମେ ରହି ଆସିଥିବା ଏହି ଜନଜାତି ବର୍ଗର ପରିବାରଙ୍କ ଘରକୁ ପ୍ରଶାସନ ବିନା ନୋଟିସ୍‌ରେ ଭାଙ୍ଗି ଚୁରମାର କରିଥିଲେ ୨୦୧୮ ମସିହା ସେପ୍ଟେମ୍ବର ୬ରେ; ଯେତେବେଳେ ଲଘୁଚାପଜନିତ ଭୟଙ୍କର ଝଡ଼ବର୍ଷା ଲାଗି ରହିଥିଲା। ପ୍ରଶାସନର ଆଳ ଥିଲା-ଆନନ୍ଦପୁର ବ୍ୟାରେଜ୍ ଡିଭିଜନ୍‌ର କେନାଲ ଯିବା ରାସ୍ତାରେ ସେମାନେ ଜବରଦଖଲରେ ଅଛନ୍ତି। ତେଣୁ କ୍ଷତିପୂରଣ ଓ ଥଇଥାନ ବିନା ସେମାନଙ୍କୁ ବେଦଖଲ କରାଗଲା। ଆନନ୍ଦପୁର ପ୍ରଶାସନର ଏଭଳି ଅମାନବୀୟ ପଦକ୍ଷେପ ସମ୍ପର୍କରେ ସେମାନେ ଜିଲ୍ଲାପାଳଙ୍କଠାରୁ ଆରମ୍ଭ କରି କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀମାନଙ୍କୁ ଗୁହାରୀ କରିଥିଲେ ସତ, ମାତ୍ର କେହି କର୍ଣ୍ଣପାତ କରିନଥିଲେ। ଶେଷରେ ସେମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ମାନ୍ୟବର ହାଇକୋର୍ଟ ସେମାନଙ୍କ ଲିଜ୍ ପଟ୍ଟା ଓ କବଲା ଦଲିଲ୍ ଦେଖି କ୍ଷତିଗ୍ରସ୍ତ ଆଦିବାସୀମାନଙ୍କୁ ୬ ସପ୍ତାହ ମଧ୍ୟରେ ନ୍ୟାୟ ଦେବାକୁ ୨୦୧୯ ଜାନୁଆରି ୪ରେ ପ୍ରକଳ୍ପର ଭୂଅର୍ଜନ ଅଧିକାରୀଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଲେ। ଇତିମଧ୍ୟରେ ୩ ବର୍ଷ ଅତିକ୍ରାନ୍ତ ହେଲାଣି, ଅଥଚ ବାସ୍ତୁହରା ଦରିଦ୍ର ଆଦିବାସୀ ଓ ହରିଜନଙ୍କୁ ଏ ପର୍ଯ୍ୟନ୍ତ ନ୍ୟାୟ ମିଳିଲା ନାହିଁ। ପ୍ରଭାବଶାଳୀ ବ୍ୟକ୍ତିବିଶେଷ ବିପୁଳ ସରକାରୀ ଜମି ଜବରଦଖଲ କରିଥିଲେ ମଧ୍ୟ ସେମାନଙ୍କୁ ବେଦଖଲ କରାଯାଇପାରୁ ନାହିଁ, ଅଥଚ ଗରିବ ତଥା ଭୂମିହୀନ ଅନୁସୂଚିତ ବର୍ଗଙ୍କ ନିରୀହତାର ସୁଯୋଗ ନେଇ ଆନନ୍ଦପୁର ପ୍ରଶାସନ ସେମାନଙ୍କୁ କ୍ଷତିପୂରଣ ଦେଲେନାହିଁ କି ଥଇଥାନ ମଧ୍ୟ କରିଲେ ନାହିଁ। ଦୀର୍ଘ ୪ ବର୍ଷର ଆଇନଗତ ଲଢ଼େଇରେ ପେଶି ହେଉଥିବା ଏହି କ୍ଷତିଗ୍ରସ୍ତମାନେ ଶେଷର ମାନବାଧିକାର ସୁରକ୍ଷା ଆୟୋଗଙ୍କ ଦ୍ବାରସ୍ଥ ହୋଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଘସିପୁରା ଥାନା ଅନତର୍ଗତ କୁମୁଣିଆ ଗାଁର ପ୍ରାଣନାଥ ନାଇକ (୭୨ ବର୍ଷ) ବାଥୁଡ଼ି ସମ୍ପ୍ରଦାୟର। ତାଙ୍କ ପରିବାର ଭୂମିହୀନ ଥିବାରୁ ଆନନ୍ଦପୁର ତହସିଲ୍ ଲିଜ୍ କେସ୍ ନଂ ୭/୧୯୭୩-୭୩ରେ ସରକାରଙ୍କ ଯୋଜନା ଅନୁଯାୟୀ ସେମାନଙ୍କୁ କୁମୁଣିଆ ଗାଁର ପ୍ଲଟ୍ ନଂ-୨୨ରେ ୨.୧୧ ଏକର ଜମି ଲିଜ୍ ପଟ୍ଟା ମିଳିଥିଲା। ସେଠାରେ ସେଥିରୁ ସ୍ବଳ୍ପ ଜମିରେ ସେମାନେ କଚ୍ଚା ଘର କରିବା ସହ ପରେ ତାହାକୁ ଆଜ୍‌ବେଷ୍ଟ ଛପର କରିଥିଲେ। ଆନନ୍ଦପୁର ବ୍ୟାରେର କେନାଲ ଗତିପଥ ଦର୍ଶାଇ ପ୍ରଶାସନ ଗତ ୨୦୧୮ ସେପ୍ଟେମ୍ବର ୬ରେ ପୁଲିସ୍ ଲଗାଇ ସେମାନଙ୍କ ଘରକୁ ଧୂଳିସାତ କରିଥିଲେ। ବାଥୁଡ଼ି ସମ୍ପ୍ରଦାୟର ରବିନ୍ଦ୍ର ନାୟକ (୬୫ ବର୍ଷ)ଙ୍କ ବାପା ମାଧବ ୧୯୭୦ରେ ଘସିପୁରା ଥାନା ତ୍ରିଲୋଚନପୁର ଗାଁର କୃଷ୍ଣ ପାତ୍ରଙ୍କଠାରୁ ୧.୧୪ ଏକର ଜମି ବିଧିବଦ୍ଧ ବିକ୍ରି କବଲା ସୂତ୍ରରେ କିଣିଥିଲେ।

ସେତେବେଳେ ଆଦିବାସୀଙ୍କୁ ହରିଜନଙ୍କ ଜମି ହସ୍ତାନ୍ତର ପ୍ରକ୍ରିୟାରେ କଟକଣା ଥିବାରୁ ତାହାର ପଟ୍ଟା ବାହାରି ନାହିଁ, ମାତ୍ର ରବିନ୍ଦ୍ରଙ୍କ ପରିବାର ସେହି ଜମିରେ ଘର କରି ଦୀର୍ଘ ୪୮ ବର୍ଷ ଧରି ରହି ଆସିଥଲେ। ନୋଲ ଗତିପଥରେ ପଡୁଥିବାରୁ ପ୍ରଶାସନ ପଟ୍ଟା ନଥିବା ଦର୍ଶାଇ ବିନା ନୋଟିସ୍‌ରେ ସେମାନଙ୍କ ଘରକୁ ୨୦୧୮ ସେପ୍ଟେମ୍ବର ୬ର ଝଡ଼ବର୍ଷା ବେଳେ ଭାଙ୍ଗି ଦେଇ ଏହି ଗରିବ ପରିବାରକୁ ବାସ୍ତୁହରା କରିଦେଲେ। ସେହିପରି ଘସିପୁରା ଥାନା କୁମୁଣିଆ ଗାଁର ଭୂମିହୀନ ବାଥୁଡ଼ି ପରିବାରର ବିଧବା ମାରିସ ନାଇକ (୫୨ ବର୍ଷ) ଦୀର୍ଘ ୩୦ ବର୍ଷ ଧରି ଘର କରି ରହି ଆସୁଥିଲେ।

କେନାଲ୍ ଗତିପଥ କହି ସେହି ଝଡ଼ବର୍ଷା ଦିନ ତାଙ୍କ ଘରକୁ ଭୂଲୁଣ୍ଠିତ କଲେ ପ୍ରଶାସନ। ସେହି ଗ୍ରାମର ଭୂମିହୀନ ବାଥୁଡ଼ି ସମ୍ପ୍ରଦାୟର ବିଦା ନାଇକ (୪୭ ବର୍ଷ)ଙ୍କ ପରିବାର ଦୀର୍ଘ ୩୦ ବର୍ଷ ଧରି ସରକାରୀ ଜମିରେ ଘର କରି ରହି ଆସୁଥିଲେ। ବିନା ନୋଟିସ୍‌ରେ ପ୍ରଶାସନ ତାଙ୍କ ଘରକୁ ସେହି ଝଡ଼ବର୍ଷା ଦିନ ଭାଙ୍ଗି ଦେଇଥିଲେ। ଦୁର୍ବିପାକ ବେଳେ ଦୁର୍ଦ୍ଦଶାଗ୍ରସ୍ତଙ୍କୁ ରିଲିଫ୍ ଦିଆଯାଏ, ମାତ୍ର ନିଷ୍ଠୁର ପ୍ରଶାସନ ସେମାନଙ୍କୁ ମୁଣ୍ଡ ଗୁଞ୍ଜିବା ଲାଗି ପଲିଥିନ୍ ଖଣ୍ଡେ ମଧ୍ୟ ଦେଇନଥିଲେ।

ଉପରୋକ୍ତ ବାସ୍ତୁହରାମାନଙ୍କ ଗୁହାରୀ ପ୍ରତି ସ୍ଥାନୀୟ କିମ୍ବା ଜିଲ୍ଲା ପ୍ରଶାସନ କର୍ଣ୍ଣପାତ ନକରିବାରୁ ସେମାନେ ଶେଷରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେମାନଙ୍କୁ ୬ ସପ୍ତାହ ମଧ୍ୟରେ ନ୍ୟାୟ ଦେବାକୁ ହାଇକୋର୍ଟ ୨୦୧୯ ଜାନୁଆରି ୪ରେ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଦୀର୍ଘ ୩ ବର୍ଷ ପରେ ବି ପ୍ରଶାସନ ତାହାକୁ ଗୁରୁତ୍ବ ନଦେଇ କୋର୍ଟ ଅବମାନନା କରିଚାଲିବା ବିସ୍ମୟଜନକ ନୁହେଁ କି? ମୋଟା‌େମାଟି ଭାବେ ମାନବାଧିକାର ସୁରକ୍ଷା ଆୟୋଗଙ୍କ ଠାରୁ ନ୍ୟାୟ ପାଇବାକୁ ଚାହିଁ ବସିଛନ୍ତି ଘସିପୁରା ଅଞ୍ଚଳର ସେହି ଭୂମିହୀନ ଆଦିବାସୀମାନେ।

ସମ୍ବନ୍ଧିତ ଖବର