ମାଲକାନଗିରି : ବଡ଼ ଅଘଟଣକୁ ଟାଳି ଦେଇଛନ୍ତି କମ୍ବିଂ ଅପରେସନରେ ବାହାରିଥିବା ବିଏସ୍‌ଏଫ୍‌ ଯବାନ। ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ପୂର୍ବରୁ ସତର୍କତା ଯୋଗୁ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ୍‌ ବାପନପାଲ୍ଲୀ ପଞ୍ଚାୟତର ରାଦନାପାଲୀ ଗାଁ ନିକଟରେ ଏହି ଘଟଣା ଘଟିଛି। ନିୟମିତ ଭାବେ ଏହି ଅଞ୍ଚଳରେ କମ୍ବିଂ ଅପରେସନ ଚାଲିଥିବାରୁ ଆଗକୁ ଆଉ ଏମିତି ନ କରିବାକୁ ଗ୍ରାମବାସୀଙ୍କୁ ସଚେତନ କରାଯାଇଛି। ସୂଚନା ଅନୁଯାୟୀ, ବର୍ତ୍ତମାନ ଧାନ ପାଚିବା ଆରମ୍ଭ ହୋଇଛି। ତେଣୁ ଜମିରେ ପଶି ବାର୍‌ହା ଫସଲ ନଷ୍ଟ କରୁଛନ୍ତି। ଏମିତି ସ୍ଥିତିରେ ଫସଲର ସୁରକ୍ଷା ପାଇଁ ଚାଷୀ ଜମି ଚାରି ପଟେ ତାର ବିଛାଇ ସେଥିରେ ବିଦ୍ୟୁତ ସଂଯୋଗ କରୁଛନ୍ତି।

Advertisment

ପଡିଆରୁ ଶନିବାର ସକାଳେ ବିଏସଏଫ ଯବାନ କମ୍ବିଂ ଅପରେସନରେ ବାହାରିଥିଲେ। ରାଦନପାଲୀ ଗାଁ ନିକଟରେ ଯବାନମାନେ ପହଞ୍ଚିବା ବେଳକୁ ଲୋକେ ତରବରିଆ ଭାବେ ଚାଷ ଜମିକୁ ଦୌଡ଼ିଥିଲେ। ବାପନପାଲୀ ଠାରୁ ସିଲାକୋଟାକୁ ଯାଇଥିବା ଲାଇନ୍‌ରେ ସଂଯୋଗ ହୋଇଥିବା ଅତ୍ୟନ୍ତ ପତଳା ତାରରୁ ବିଦ୍ୟୁତ ବିଚ୍ଛିନ୍ନ କରିଥିଲେ। ଏହାପରେ ତାର ଗୁଡ଼ିକୁ ବାହାର କରିଥିଲେ ସୁଦ୍ଧା ସବୁ ତାର ବାହାରି ନଥିଲା।

ଯବାନମାନେ ଅଣଓସାରିଆ ରାସ୍ତାରେ ଚାଲି ଚାଲି ଯିବା ସମୟରେ କିଛି ତାର ସେମାନଙ୍କ ନଜରକୁ ଆସିଥିଲା। ସନ୍ଦେହ ହେବାରୁ ତାର ଗୁଡ଼ିକୁ ଯାଞ୍ଚ କରିଥିଲେ। ତେବେ ତାହା ବିର୍‌ହା ଶିକାର ପାଇଁ ବିଛା ଯାଇଥିବା ଜଣାପଡ଼ିଥିଲା। ନିୟମିତ ଭାବେ ଏହି ଅଞ୍ଚଳରେ ଯବାନମାନେ କମ୍ବିଂ ଅପରେସନ କରୁଥିବାରୁ ଅଘଟଣ ଘଟିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଏଭଳି କଲେ ଅକାରଣରେ ମୂଲ୍ୟବାନ ଜୀବନ ଚାଲିଯିବ ବୋଲି ଗ୍ରାମବାସୀଙ୍କୁ ବୁଝାଇଥିଲେ। ଆଗକୁ ଆଉ ଏମିତି ନ କରିବାକୁ ଅନୁରୋଧ କରିଥିଲେ।