ବଜେଟ୍‌ ଆଞ୍ଚଳିକ ବୈଷମ୍ୟ ସୃଷ୍ଟି କରୁଛି: ନରସିଂହ

କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ ବ୍ରାଣ୍ଡି କରୁଛନ୍ତି: ବିଷ୍ଣୁ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ବଜେଟ୍ ଆଞ୍ଚଳିକ ବୈଷମ୍ୟ ସୃଷ୍ଟି କରୁଛି ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ବୁଧବାର ଦିନ ବଜେଟ୍‌ ଆଲୋଚନାରେ ଭାଗ ନେଇ ଶ୍ରୀ ମିଶ୍ର କହିଥିଲେ ଯେ ପଶ୍ଚିମ ଓଡ଼ିଶାରେ ରାଜ୍ୟର ଜନସଂଖ୍ୟାର ୪ ଭାଗରୁ ଏକ ଭାଗ ଲୋକ ରୁହନ୍ତି। କିନ୍ତୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ମାତ୍ର ୧୮୫ କୋଟି ଟଙ୍କା ଦିଆଯାଇଛି। ଏହା କଦାପି ଆଞ୍ଚଳିକ ବୈଷମ୍ୟ ଦୂର କରିପାରିବ ନାହିଁ। ପରିଷଦକୁ ଅତି କମ୍‌ରେ ୨ ହଜାର କୋଟି ଟଙ୍କା ଦିଆଯାଉ। ସରକାର କିଛି ଅଞ୍ଚଳରେ ଅଧିକ ଖର୍ଚ୍ଚ କରୁଥିଲା ବେଳେ କିଛି ଅଞ୍ଚଳକୁ ଅବହେଳା କରୁଛନ୍ତି। ସରକାରଙ୍କର ଏପରି ନୀତି ପାଇଁ ଗତକାଲି ରାଜଧାନୀରେ କୋଶଳ ରାଜ୍ୟ ନେଇ ଦାବି ଉଠିଥିଲା। ସରକାର ଆଞ୍ଚଳିକ ବୈଷମ୍ୟ ଦୂର କରିବା ପାଇଁ ଠୋସ୍‌ ପଦ‌କ୍ଷେପ ନିଅନ୍ତୁ। ବଲାଙ୍ଗୀରରେ ଦ୍ବିତୀୟ କୃଷି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶ୍ରୀ ମିଶ୍ର ଦାବି କରିଥିଲେ।

ଶ୍ରୀ ମିଶ୍ର ଆହୁରି କହିଥିଲେ, ରାଜସ୍ବ ସଂଗ୍ରହ ବଢ଼ିବା ପାଇଁ ସରକାର ପଦକ୍ଷେପ ନେବା ଜରୁରୀ। ଖଣିଜ ପଦାର୍ଥ ଭରା ଜମି ଉପରେ ଟିକସ ଲାଗୁ କରିବାକୁ ବାରମ୍ବାର ଦାବି କରାଯାଉଛି। ଏ ସଂକ୍ରାନ୍ତରେ ପୂର୍ବରୁ ବିଲ୍ ଆସିଥିଲେ ବି ତାହାର ଠିକ୍ ଭାବେ ପ୍ରସ୍ତୁତ କରାଯାଇ ନ ଥିବାରୁ ହାଇକୋର୍ଟରେ କାଟ୍‌ ଖାଇଲା। ଏହା ପରେ ମାମଲା ସୁପ୍ରିମକୋର୍ଟରେ ୧୬ ବର୍ଷ ହେଲା ଗଡ଼ୁଛି। ସରକାର ସେ ଦିଗରେ କିଛି ପଦକ୍ଷେପ ନେଉ ନାହାନ୍ତି। କୋର୍ଟରୁ ମାମଲା ଉଠାଉ ନାହାନ୍ତି କି ନୂଆ ଆଇନ ଆଣୁନାହାନ୍ତି। ସବୁ ଖଣି ସରକାର ନିଜ ହାତକୁ ନେଇ ପରିଚାଳନା କରିବାର ଆବଶ୍ୟକତା ରହିଛି। କିନ୍ତୁ ସରକାର ଖଣି ମାଲିକଙ୍କ ଚାପରେ ତାହା କରୁ ନାହାନ୍ତି। ଖଣି ମାଲିକଙ୍କ ନିୟନ୍ତ୍ରଣରେ ସରକାର ଚାଲୁଥିବା ସ୍ପଷ୍ଟ ହେଉଛି। ସଞ୍ଜୀବ ହୋତା କମିସନ୍‌ ମଧ୍ୟ ଏହ ପ୍ରସଙ୍ଗରେ କରିଥିବା ସୁପାରିସ୍‌କୁ ସରକାର ଗ୍ରହଣ କରୁନାହାନ୍ତି। ସରକାର ୨ ଲକ୍ଷ କୋଟି ଟଙ୍କାର ବଜେଟ୍‌ ଦେଖାଉଛନ୍ତି। କିନ୍ତୁ ଅଧା ବିଭାଗ ୫୦% ଅର୍ଥ ଖର୍ଚ୍ଚ କରିପାରୁନାହାନ୍ତି। ତେଣୁ ଏହି ଦୁଇ ଲକ୍ଷ କୋଟିର ଅର୍ଥ କ’ଣ? ବର୍ତ୍ତମାନ ବାର୍ଦ୍ଧକ୍ୟ ଭତ୍ତା‌ ୫୦୦ ଟଙ୍କା ଦିଆଯାଉଛି। ଅର୍ଥାତ ଦିନକୁ ୧୭ ଟଙ୍କାରୁ କମ୍ ପଡ଼ୁଛି। ଏହି ଟଙ୍କାରେ ଜଣେ ଚଳିବ କେମିତି? ସରକାର ବାସ୍ତବ ସ୍ଥିତି ହୃଦୟଙ୍ଗମ କରି ବାର୍ଦ୍ଧକ୍ୟ ଭତ୍ତାଟ ଅତି କମ୍‌ରେ ୧୫୦୦ ଟଙ୍କା କରନ୍ତୁ। ୮୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ୨୦୦୦ ଟଙ୍କା ଭତ୍ତା ଦିଅନ୍ତୁ।

ବି‌ରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଥିଲେ, କୋଟିଆରେ ରାଜସ୍ବ ଗ୍ରାମ ଚାଲିଯାଉଛି।ବର୍ଷା ହେଲେ ରାଜଧାନୀ ବୁଡ଼ୁଛି। ଦାନ ମାଝୀ ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ଏପରି ସ୍ଥିତିରେ ଏହି ବଜେଟ୍‌କୁ କିପରି ସମତୁଲ ଓ ଜନାଭିମୁଖୀ ବଜେଟ୍‌ ବୋଲି କୁହାଯାଉଛି? ଫମ୍ପା ମାଠିଆର ଶବ୍ଦ ଅଧିକ। କେବଳ କେନ୍ଦ୍ରୀୟ ଯୋଜନାକୁ ଆଣି ନିଜ ନାମରେ ବ୍ରାଣ୍ଡିଂ କରିବାରେ ଏ ସରକାର ସିଦ୍ଧହସ୍ତ। ଏ ସରକାରରେ ଦୁର୍ନୀତି କେତେ ମାତ୍ରାରେ ହେଉଛି, ତାହା କେବଳ ଚିଟ୍‌ଫଣ୍ଡ୍‌ ଦୁର୍ନୀତିକୁ ଦେଖିଲେ ଜଣାପଡ଼ିଯାଉଛି।
କଂଗ୍ରେସ ସଭ୍ୟ ସୁରେଶ ରାଉତରାୟ କହିଥିଲେ, ନିଜେ ମୁଖ୍ୟମନ୍ତ୍ରୀ ମେଟ୍ରୋ ଟ୍ରେନ୍‌ର ସ୍ବପ୍ନ ଦେଖାଇଥିଲେ। ନନ୍ଦନକାନନ ବିଶ୍ବସ୍ତରର ହେବ ବୋଲି ଘୋଷଣା କରିଥିଲେ। ମହାନଦୀରେ ୯ ହଜାର କୋଟିରେ ବନ୍ଧବାଡ଼ କରିବେ ବୋଲି କହିଥିଲେ। କିନ୍ତୁ ସେସବୁ ମିଥ୍ୟା ପ୍ରତିଶ୍ରୁତି ଥିଲା। ଏ ସରକାର ଖାଲି ପବନ କରୁଛନ୍ତି। ସ୍କୁଲ୍‌ରେ ରଙ୍ଗ ବୋଳିଦିଆଯାଉଛି। କିନ୍ତୁ ଶିକ୍ଷକ ନାହାନ୍ତି କି ପାଠପଢ଼ା ହେଉନି। ଗାଁଗହଳିରେ ଡାକ୍ତର, ନର୍ସ ନାହାନ୍ତି। ସରକାର ଖାଲି ହକି ପଛରେ ପଡ଼ିଛନ୍ତି। କିନ୍ତୁ ଫୁଟ୍‌ବଲ୍‌, କ୍ରିକେଟ୍‌ ପରି ଅନ୍ୟ ଖେଳକୁ ଭୁଲିଗଲେଣି। ସିପିଆଇ(ଏମ୍‌) ସଭ୍ୟ ଲକ୍ଷ୍ମଣ ମୁଣ୍ଡା ଚାଷୀଙ୍କୁ ଏମ୍‌ଏସ୍‌ପି ଉପରେ ଏକ ହଜାର ଟଙ୍କା ବୋନସ୍‌ ଦେବାକୁ ଦାବି କରିଥିଲେ।

ଶାସକ ଦଳ ସଭ୍ୟ ଭୂପିନ୍ଦର ସିଂହ କହିଲେ, ରାଜ୍ୟ ସରକାର ଚାଷ କ୍ଷେତ୍ରରେ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। ଫଳରେ ରାଜ୍ୟରେ ଚାଷୀଙ୍କ ଆୟ ବୃଦ୍ଧି ପାଇଛି। ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଯଥେଷ୍ଟ ପୁଞ୍ଜି ବିନିଯୋଗ ହେଉଛି। ଗତ ୨୨ ବର୍ଷ ମଧ୍ୟରେ ଅର୍ଥନୀତିରେ ବହୁତ ସୁଧାର ଆସିଛି। ଶଶୀଭୂଷଣ ବେହେରା କହିଲେ, ନବୀନ ପଟ୍ଟନାୟକ ସରକାର କ୍ଷମତାକୁ ଆସିଲା ବେଳେ କର୍ମଚାରୀଙ୍କୁ ଦରମା ଦେବାକୁ ସରକାରଙ୍କ ପାଖରେ ଅର୍ଥ ନ ଥିଲା। ସେପରି ଦୁଃସ୍ଥିତିକୁ ଦୂର କରି ଆଜିର ସ୍ଥିତିରେ ଅର୍ଥନୀତି ପହଞ୍ଚିଛି। ବିକାଶ କିପରି ହେଉଛି, ତାହା ସମସ୍ତେ ଅନୁଭବ କରିପାରୁଥିବେ। ରାଜକିଶୋର ଦାସ, ଗଣେଶ ରାମସିଂହ ଖୁଣ୍ଟିଆ, ନାଉରୀ ନାୟକ, ନିତ୍ୟାନନ୍ଦ ଗଣ୍ଡ, ଦାଶରଥୀ ଗମାଙ୍ଗୋ ଓ ସନାତନ ବିଜୁଳି ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର