ଭୁବନେଶ୍ବର : ରାଜ୍ୟ ସରକାର ଦୀର୍ଘ ୧୦ବର୍ଷ ହେଲା ସ୍ବତନ୍ତ୍ର କୃଷି ବଜେଟ୍ କରୁଛନ୍ତି। ହେଲେ କାହିଁକି କୃଷକର ଆୟ ବଢ଼ୁନି କି କୃଷକ ସଶକ୍ତୀକରଣ ହେଉନି। କେବଳ କାଗଜ କଲମରେ ବଜେଟ୍ ବଢ଼ିଚାଲିଛି। ଜମିକୁ ପାଣି ନାହିଁ, ଚାଷୀ ଧାନ ବିକ୍ରି କରିପାରୁନି, ଶୀତଳ ଭଣ୍ଡାର ନଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛି। ବଜେଟ୍‌ରେ ଯେତିକି ଅର୍ଥ ବରାଦ ହେଉଛି ତାହା ବି ଖର୍ଚ୍ଚ ହୋଇପାରୁନି। ଆଜି ଏହିଭଳି ଢଙ୍ଗରେ ବିରୋଧୀ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଖର୍ଚ୍ଚଦାବିକୁ ବିରୋଧ କରିଛନ୍ତି।

Advertisment

ଆଲୋଚନା ଆରମ୍ଭ କରି ବିଜେପି ବିଧାୟକ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ କହିଥିଲେ, କୃଷି ବଜେଟ୍‌ରେ ଗତବର୍ଷ ତୁଳନାରେ ୨୧% ଏବଂ କୃଷି ଅଭିବୃଦ୍ଧି ୭.୩% ହୋଇଥିବା କୁହାଯାଉଛି। ରାଜ୍ୟର ୬୨% ଲୋକ କୃଷି କ୍ଷେତ୍ରରେ ନିୟୋଜିତ ଅଛନ୍ତି। ହେଲେ ୨୩ବର୍ଷ ନିରନ୍ତର ଶାସନରେ ରହିବା ପରେ ଏବେବି ଆମେ କ’ଣ ଚାଷୀର ଆୟ ବୃଦ୍ଧି ଓ ଦାରିଦ୍ର୍ୟ ଦୂରୀକରଣ କଥା ଚିନ୍ତା କରିବା କି? ଲୋକ କାହିଁକି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବେ? ଏବେବି କୃଷି ଉତ୍ପାଦନ ବୃଦ୍ଧି କରିବାକୁ କାହିଁକି ଆଧୁନିକ ଯନ୍ତ୍ରାଂଶ, ବୈଷୟିକ ଜ୍ଞାନ ବ୍ୟବହାର କରାଯାଉନି। ରାଜ୍ୟ ସରକାର ଲୋକପ୍ରିୟତା ପାଇଁ ଶସ୍ତା ଯୋଜନା କରୁଥିବା କାରଣରୁ ଚାଷୀକୁ ଆର୍ଥିକ ସୁଦୃଢ କରିବାକୁ ଯୋଜନା ହେଉନି କି ତା’ର ଆୟ ଦ୍ବିଗୁଣିତ କରାଯାଉନି। ଅନ୍ୟ ରଜ୍ୟରେ କୃଷକର ଆୟ ଯେପରି ବଢ଼ୁଛି, ଓଡ଼ିଶାରେ ସେପରି ବଢ଼ୁନି। ବାହାର ରାଜ୍ୟରେ କୃଷି ପରିବାରର ଆୟ ୫୯% ବଢ଼ିଥିବାବେଳେ ଆମର ମାତ୍ର ୩% ବଢ଼ିଛି। ଚାଷୀର ଆୟ ଜାତୀୟ ସ୍ତରରେ ୧୦୨୧୮ଟଙ୍କା ଥିବାବେଳେ ଆମ ରାଜ୍ୟରେ ୫୧୧୨ଟଙ୍କା କାହିଁକି ରହିବ? ଆନ୍ଧ୍ରପ୍ରଦେଶରେ ଚାଷୀର ଆୟ ୬ବର୍ଷରେ ୫୯୭୯ଟଙ୍କାରୁ ବଢ଼ି ୧୦୪୮୦ ଟଙ୍କା ହେଲାଣି। ବିହାରରେ ଚାଷୀର ଆୟ ଦ୍ବିଗୁଣିତ ହେଲାଣି ଆମର ଏଠି ‌କାହିଁକି ବଢ଼ୁନି। ଆମେ କାହିଁକି ବିଲାତିଆଳୁ, ଆଳୁ, ବାଇଗଣ, କୋବି ପାଇଁ ବି ବାହାର ରାଜ୍ୟ ଉପରେ ନିର୍ଭର କରିବା। ଚାଷୀ କିପରି ଅଧିକ ଆୟ କରିବ ସେ ବ୍ୟବସ୍ଥା କେବେ ହେବ? ମୁକେଶ ମହାଲିଙ୍ଗ କହିଥିଲେ, ୧୦ବର୍ଷର କୃଷି ବଜେଟ୍‌ ଦେଖିଲେ ଏଥିରେ ଗଣିତ ଅଧିକ, ଉତ୍ପାଦନ ନଥିବା ଜଣାପଡ଼ୁଛି। ଗତ ତିନି ଆର୍ଥିକ ବର୍ଷରେ ଯଥାକ୍ରମେ ୪୧%, ୨୫%, ୩୮% ଅର୍ଥ ଖର୍ଚ୍ଚ ହୋଇପାରୁନି। ରାଜ୍ୟରେ ୧୩୦ଲକ୍ଷ ମେଟ୍ରିକ ଟନ୍ ଧାନ ଉତ୍ପାଦନ ହେଉଛି। ହେଲେ ସରକାର ୭୦ଲକ୍ଷ ମେଟ୍ରିକ ଟନ୍ ଧାନ କିଣୁଛନ୍ତି। ଉତ୍ପାଦିତ ଧାନର ଅଧା ଧାନ କାହିଁକି କିଣାଯାଉନି। ବିଶ୍ବସ୍ତରୀୟ ମଣ୍ଡି କୁଆଡ଼େ ଗଲା? ବିଜେପି ସଭ୍ୟ ଶଙ୍କର ଓରାମ ଓ ପ୍ରକା‌ଶ ସୋରେନ୍ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ।

ତାରା ପ୍ରସାଦ ବାହିନୀପତି କହିଥିଲେ, ଛତିଶଗଡ଼, ତେଲେଙ୍ଗାନାରେ ଆମ ରାଜ୍ୟର ଏକ ତୃତୀୟାଂଶ ଲୋକ ଅଛନ୍ତି। ହେଲେ ସେମାନଙ୍କ ଚାଷୀଙ୍କ ଆୟ ଆମ ଠାରୁ ଢେର୍ ଅଧିକ। ସରକାର କି ଅଜବ ନିଷ୍ପତ୍ତି ନେଇଛନ୍ତି ଜଣାପଡ଼ୁନି। ଅଣଜଳସେଚିତ ଅଞ୍ଚଳରେ ଏକର ପିଛା ୧୩କ୍ବିଣ୍ଟାଲ ଧାନ କିଣିବେ, ଜଳସେଚିତ ଅଞ୍ଚଳରେ ଏକର ପିଛା ୧କ୍ବିଣ୍ଟାଲ ଧାନ କିଣିବେ। କେଉଁ ଅଯୋଗ୍ୟ ଲୋକର ଏ ନିଷ୍ପତ୍ତି? ଚାଷୀ ଏକର ପିଛା‌ ୨୫ରୁ ୩୦କ୍ବିଣ୍ଟାଲ ଧାନ ଉତ୍ପାଦନ କରୁଛନ୍ତି। ସେତେବେଳେ ସରକାର କହିବେ ୧କ୍ବିଣ୍ଟାଲ କିଣିବେ। ବାକି ଧାନ ସେ କ’ଣ କରିବ? ଅଧିରାଜ ମୋହନ ପାଣିଗ୍ରାହୀ କହିଥିଲେ, ତେଲେଙ୍ଗାନାରେ କୃଷି ବଜେଟ୍ ୨୮ହଜାର କୋଟିର ହେଉଥିବାବେଳେ ଓଡ଼ିଶାରେ କାହିଁକି ୭୧୩୫କୋଟିର ବଜେଟ୍ ହେଉଛି। ୪୭ଟି ବ୍ଲକରେ ଜଳସେଚନ ବ୍ୟବସ୍ଥା ନାହିଁ। ଚାଷୀ ଟ୍ରାକ୍ଟର କିଣିଲେ ୫୦% ସବ୍‌ସିଡି ଦେବାକୁ ଘୋଷଣା ହୋଇଛି। ଟ୍ରାକ୍ଟର ମୂଲ୍ୟ ୯ରୁ ୧୨ଲକ୍ଷ ଟଙ୍କା ହୋଇଥିବା‌ ବେଳେ ମାତ୍ର ୯୦ହଜାର ଟଙ୍କା ସବ୍‌ସିଡି ଦେଉଛନ୍ତି। ଦାଶରଥୀ ଗମାଙ୍ଗ କହିଥିଲେ, ୬୦ବର୍ଷରୁ ଉର୍ଦ୍ଧ୍ବ ଚାଷୀଙ୍କୁ ୫ହଜାର ଟଙ୍କା ଭତ୍ତା ଦିଆଯାଉ, ଚାଷୀଙ୍କ ଋଣ ଛାଡ଼କରାଯାଉ।

ବିରୋଧୀଙ୍କୁ ପାଲଟା ଜବାବ୍ ଦେଇ ଶାସକ ଦଳ ବିଧାୟକ ଶଶୀଭୂଷଣ ବେହେରା କହିଥିଲେ, ରାଜ୍ୟରେ ଅର୍ଥନୈତିକ ବିକାଶ ପାଇଁ ରାଜ୍ୟ ସରକାର କୃଷି ଓ ଶିଳ୍ପର ବିକାଶ କରୁଛନ୍ତି। ମିଲେଟ୍ ମିସନ ସାରା ବିଶ୍ବରେ ପ୍ରଶଂସିତ ହୋଇଛି। ଚାଷୀଙ୍କ ଆୟ ବଢ଼ାଇବାକୁ ୩୦ଟି ଜିଲ୍ଲାରେ ମିଲେଟ୍ ମିସନ୍ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ହୋଇଛି। ଚନ୍ଦ୍ରସାରଥୀ ବେହେରା କହିଥିଲେ, ଯେଉଁ ସର୍ଭେ ୧୦ବର୍ଷରେ ଥରେ ହେବା କଥା ତାକୁ ୬ବର୍ଷରେ କରି କହୁଛନ୍ତି ଚାଷୀଙ୍କ ଆୟ ବଢ଼ିଲାନି। ଶାସକ ଦଳ ପକ୍ଷରୁ ଧ୍ରୁବଚରଣ ସାହୁ, ସ୍ବରୂପ କୁମାର ଦାସ, ସୁଶାନ୍ତ କୁମାର ବେହେରା ଓ ଦେବୀରଂଜନ ତ୍ରିପାଠୀ ପ୍ରମୁଖ ଭାଗ ନେଇଥିଲେ।