ଶ୍ରୀମନ୍ଦିର ବଜେଟ୍‌ ୩୦୦ କୋଟି, ଅର୍ଥ ସବ୍‌କମିଟି ବୈଠକରେ ମଞ୍ଜୁରି

ବ୍ୟୟ ତୁଳନାରେ ୩୮.୩୦ କୋଟି ଅଧିକ ଆୟ, ଅନୁଦାନ ବୃଦ୍ଧି ପାଇଁ ବସିବ ଉଚ୍ଚସ୍ତରୀୟ ବୈଠକ

ଶ୍ରୀମନ୍ଦିର ବଜେଟ୍‌ ୩୦୦ କୋଟି, ଅର୍ଥ ସବ୍‌କମିଟି ବୈଠକରେ ମଞ୍ଜୁରି

ପୁରୀ : ଶ୍ରୀମନ୍ଦିର ଅର୍ଥ ସବ୍‌କମିଟି ବୈଠକ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୩୦୦.୭୯ କୋଟି ଟଙ୍କାର ବଜେଟ୍‌ ପ୍ରସ୍ତୁତ ‌ହୋଇଛି। ଯେଉଁଥିରେ, ଉଭୟ ରାଜସ୍ବ ଓ ପୁଞ୍ଜି ଆୟ ପରିମାଣ ୩୦୦.୭୯ କୋଟି ଥିବାବେଳେ ଉଭୟର ବ୍ୟୟ ପରିମାଣ ୨୬୨.୪୯ କୋଟି ଟଙ୍କା ରହିଛି।

ପ୍ରତିବର୍ଷ ଆୟ ଓ ବ୍ୟୟ ପରିମାଣ ପ୍ରାୟ ସମାନ ରହିଥାଏ। କିନ୍ତୁ, ଚଳିତବର୍ଷ ବ୍ୟୟଠାରୁ ଆୟ ପରିମାଣ ୩୮.୩୦ କୋଟି ଟଙ୍କା ଅଧିକ ରହିଛି। କେବଳ ଶ୍ରୀମନ୍ଦିର ପରିଚାଳନା କମିଟିରେ ଚୂଡ଼ାନ୍ତ ମୋହର ବାଜିବାକୁ ବାକି ରହିଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ କହିଛନ୍ତି। ଅନ୍ୟପଟେ, ରାଜ୍ୟ ସରକାରଙ୍କ ପକ୍ଷରୁ ମିଳୁଥିବା ଅନୁଦାନ ନିଅଣ୍ଟ ପଡ଼ୁଥିବାରୁ ଏହାକୁ ବୃଦ୍ଧି ପାଇଁ ରାଜ୍ୟ ମୁଖ୍ୟ ସଚିବ, ଆଇନ ବିଭାଗ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଭୁବନେଶ୍ବରରେ ଏକ ଉଚ୍ଚସ୍ତରୀୟ ବୈଠକ କରିବାକୁ ନିଷ୍ପତ୍ତି ହୋଇଛି।

ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ଅର୍ଥ ସବ୍‌କମିଟିର ଅଧ୍ୟକ୍ଷ ଶ୍ରୀ ଯାଦବଙ୍କ ସଭାପତିତ୍ବରେ ଅନୁ‌ଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି, ମାଧବ ପୂଜାପଣ୍ଡାଙ୍କ ସମେତ ଆଇନ ବିଭାଗ ଅତିରିକ୍ତ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ।

ବୈଠକରେ ଶ୍ରୀମନ୍ଦିର ଆୟ-ବ୍ୟୟକୁ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜସ୍ବ ଆୟ ୧୮୭.୭୩ କୋଟି ଓ ପୁଞ୍ଜି ଆୟ ୧୧୩.୦୬ କୋଟି ଟଙ୍କାର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ସେହିଭଳି ରାଜସ୍ବ ଖର୍ଚ୍ଚ ୧୪୩.୩୪ କୋଟି ଓ ପୁଞ୍ଜି ଖର୍ଚ୍ଚ ୧୧୯.୧୫ କୋଟି ଟଙ୍କା ଧାର୍ଯ୍ୟ ହୋଇଛି ବୋଲି ଶ୍ରୀ ଯାଦବ କହିଛନ୍ତି। ଅର୍ଥ ସବ୍‌କମିଟି ମଞ୍ଜୁର କରିଥିବା ପ୍ରମୁଖ ଆୟ ଉପରେ ନଜର ପକାଇଲେ, ଖଣିଖାଦାନରୁ ୧୫ କୋଟି, ହୁଣ୍ଡି ଓ ଦାନ ଅର୍ଥରୁ ୩୧.୩୯ କୋଟି, କର୍ପସ ପାଣ୍ଠି, ମୂଳ ପାଣ୍ଠି ଓ ଶ୍ରୀମନ୍ଦିର ପାଣ୍ଠିରୁ ୬୦.୩୨ କୋଟି, ଜମି ଅଧିଗ୍ରହଣ କ୍ଷତିପୂରଣରୁ ୫୦ କୋଟି, ସରକାରୀ ଅନୁଦାନ ବାବଦକୁ ୧୧୮.୯୪ କୋଟି, ଭକ୍ତ ନିବାସରୁ ୧୦.୩୦ କୋଟି, ଅନ୍ୟାନ୍ୟ ବାବଦରୁ ୧୪.୮୪ କୋଟି ଟଙ୍କା ଆୟ ଲକ୍ଷ୍ୟ ରଖାଯାଇଛି। ପ୍ରମୁଖ ରାଜସ୍ବ ଖର୍ଚ୍ଚ ଉପରେ ନଜର ପକାଇଲେ, ରଥଯାତ୍ରା ଓ ସ୍ନାନଯାତ୍ରାରେ ୧୬.୬୨ କୋଟି, ଦୈନିକ ପାଳିଆ ପୁରସ୍କାର ବାବଦକୁ ୧୮ କୋଟି, ପିଣ୍ଡିକା, ପରିମାଣିକ ଓ ଭିତରକାଠ ଦର୍ଶନ ବାବଦକୁ ୭ କୋଟି, ନୀତିକାନ୍ତି ପାଇଁ ୮.୮୯‌ କୋଟି, ପ୍ରଶାସନିକ ଖର୍ଚ୍ଚ ପାଇଁ ୩୦.୫୬ କୋଟି, କର୍ମଚାରୀଙ୍କୁ ଦରମା ଓ ଅନ୍ୟାନ୍ୟ ଖର୍ଚ୍ଚ ସହ ପରିମଳ କର୍ମଚାରୀଙ୍କ ଖର୍ଚ୍ଚ ବାବଦକୁ ୪୫.୯୩ କୋଟି, ସେବକ ସ୍ବାସ୍ଥ୍ୟ ବୀମା ପାଇଁ ୫ କୋଟି, ସେବକ ମଙ୍ଗଳ(ପେନସନ୍‌, ମେଧାବୃତ୍ତି ଆଦି) ପାଇଁ ୨୬.୦୮ କୋଟି, ଶ୍ରୀଜଗନ୍ନାଥ ସଂସ୍କୃତି ଓ ଏହାର ପ୍ରଚାରପ୍ରସାର, ଦାନ ଆଦି ପାଇଁ ୩.୦୭ କୋଟି, ମୂଳପାଣ୍ଠି ଜମା ବାବଦକୁ ୨୧.୫୦ କୋଟି, କର୍ପସ ପାଣ୍ଠି ଜମା ପାଇଁ ୫୯.୪୬ କୋଟି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବାବଦ ଦାନ ପାଇଁ ୧୭ଲକ୍ଷ, ସେବକ ମଙ୍ଗଳ ପାଣ୍ଠି ପାଇଁ ୫ କୋଟି, ଅନ୍ୟାନ୍ୟ ବାବଦକୁ ୧.୨୦ କୋଟି ଟଙ୍କା ଖର୍ଚ୍ଚ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe