ବାଲି ମାଫିଆଙ୍କ କବ୍‌ଜାରେ ବୁଢ଼ାବଳଙ୍ଗ ଓ କତରା ନଦୀ

ବେଆଇନ୍‌ ବାଲି ଉତ୍ତୋଳନ ପାଇଁ ନଦୀପଥ ପରିବର୍ତ୍ତନ

କଳାବାଡ଼ିଆ: ବାଙ୍ଗିରିପୋଷି ବ୍ଲକ୍‌ ଦେଇ ପ୍ରବାହିତ ବୁଢ଼ାବଳଙ୍ଗ ଓ କତରା ନଦୀକୁ ଏକପ୍ରକାର କବ୍‌ଜା କରି ନେଲେଣି ବାଲି ମାଫିଆ। ଏବେ ଉଭୟ ନଦୀରେ ଶୁଖିବା ପରିସ୍ଥିତିରେ ଅଛି। ବର୍ଷା ନଥିବାରୁ ଶିମିଳିପାଳର ଉପରମୁଣ୍ଡ ଗୋଦରଗଡ଼ାରୁ ବାହାରିଥିବା ବୁଙ୍ଗାବଳଙ୍ଗ ନଦୀ ଶଯ୍ୟା ଶୁଖିଲା ପଡ଼ିଛି। ଏପରିକି ନଦୀ ଗର୍ଭରେ ଠାଏ ଠାଏ ପଥର ଦିଶିଲାଣି। ଆଉ ଏହାର ଭରପୁର ଫାଇଦା ନେଉଛନ୍ତି ବାଲି ମାଫିଆ। ଏହି ଦୁଇ ନଦୀ ସମେତ ସଂକରାଇ ନାଳରୁ ରାତି ହେଲେ ଗାଡ଼ି ଆଲୁଅରେ ଚାଲୁଛି ବାଲି ଉତ୍ତୋଳନ।

ବ୍ଲକ୍‌ର କାଳିଆମି, ଚନ୍ଦନପୁର, ନିତେଇ, ପଥୁରୀ, କଳାବାଡିଆ, କତରା ନିକଟସ୍ଥ ନଦୀଘାଟରେ ବାଲି ଉତ୍ତୋଳନ ହେଉଛି। ସରକାର ରାଜସ୍ବ ହରାଉଥିବା ବେଳେ ମାଫିଆ ମାଲାମାଲ ହେଉଛନ୍ତି। ବେଆଇନ ବାଲି ଉତ୍ତୋଳନ ପାଇଁ ବୁଢ଼ାବଳଙ୍ଗ ଓ କତରା ନଦୀ ଦିଗ ପରିବର୍ତ୍ତନ କଲାଣି। ଯାହାର ପରିଣାମ ଭୋଗୁଛନ୍ତି ଗୋଲାମୁଣ୍ଡାକଟା, ଦଶରାପଦା, ବଣକାଟୀ, କାଳିଆମି, ଜାମଦାପାଳ, ପଥୁରୀ, ନିତେଇ, ନାଫ୍ରି ପଞ୍ଚାୟତର ଲୋକ। ଜନବସତି ଆଡ଼କୁ ନଦୀ ମାଡ଼ି ଆସୁଥିବାରୁ ଏ ସବୁ ପଞ୍ଚାୟତ ନଦୀ ଆଁରେ ପଡ଼ିବା ଅଶାଙ୍କା ଉପୁଜିଲାଣି। ସେହିପରି ଏହି ତହସିଲ ଅଞ୍ଚଳରେ ବେଆଇନ ମୋରମ ଉତ୍ତୋଳନ ସୀମା ଟପିଲାଣି। ଏମିତିକି ଚୋରାରେ ମୋରମ ଉଠାଇ ସରକାରୀ ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ହେଉଥିବାର ଦେଖାଯାଉଛି। ତେବେ ପ୍ରଶାସନ ପକ୍ଷରୁ ‌ଚୋରା ଲଘୁ ଖଣିଜ ଚାଲାଣ ରୋକିବାକୁ ସବୁ ପ୍ରକାର ଉଦ୍ୟମ ହେଉଛି ଓ ପ୍ରାୟ ସମୟରେ ଚଢ଼ଉ ଜାରି ରହିଛି ବୋଲି ତହସିଲଦାର ସତ୍ୟବାନ ନାୟକ କହିଛନ୍ତି।

 

ସମ୍ବନ୍ଧିତ ଖବର