ପୁଣି ଅପରାଧୀଙ୍କ ବେଆଇନ ଆଡ଼ାରେ ଚଢ଼ିଲା ଜେସିବି

ଜବରଦଖଲ ଜାଗାର କୋଠା ଭାଙ୍ଗିଲା

ପାଟଣାଗଡ଼: ପାଟଣାଗଡ଼ରେ ଗତ ୧୧ ତାରିଖରୁ ଅପରାଧୀମାନେ ଜବରଦଖଲ ଜାଗାରେ ନିର୍ମାଣ କରିଥିବା କୋଠାକୁ ପ୍ରଶାସନ ଭାଙ୍ଗିବା ଆରମ୍ଭ କରିଛି। ଗତ ୧୧ ତାରିଖ ଦିନ ସ୍ଥାନୀୟ ବଡ଼ହରିଜନ ପଡ଼ା ନିକଟରେ ଥିବା ଅପରାଧୀ ଜଗା ସେନାପତିର ବେଆଇନ ଆଡ଼ା ଓ ଇଟାଭାଟିକୁ ଜେସିବି ଲଗାଇ ଧୂଳିସାତ କରିଥିଲା। ମଙ୍ଗଳବାର ପାଟଣାଗଡ଼- ପଦ୍ମପୁର ମୁଖ୍ୟ ରାସ୍ତାର ପ‌ାଟଣାଗଡ଼ ତହସିଲ ଅଧୀନ ବାଞ୍ଜିଝାଲ ଛକ ନିକଟ ତଥା ଚିଟକାମାଲ ନିକଟରେ ରାସ୍ତାର ଦୁଇକଡ଼ରୁ ଜବରଦଖଲ ଉଚ୍ଛେଦ କରାଯାଇଛି।

ସେଠାରେ କୋଠା ନିର୍ମାଣ କରି ବେଆଇନ କାମ ଚାଲିଥିଲା ବୋଲି ପୁଲିସ ଓ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବାଞ୍ଜିଝାଲ ଛକ ନିକଟ ତଥା ଚିଟକାମାଲ ଗ୍ରାମ ନିକଟରେ ଥିବା ସମ୍ପୃକ୍ତ ବେଆଇନ ଆଡ଼ା ସଂକୀର୍ତ୍ତନ ଘିଭେଲାର। ସଂକୀର୍ତ୍ତନ ନାମରେ ପାଟଣାଗଡ଼, ଟିଟିଲାଗଡ଼, ବଲାଙ୍ଗୀର ଆଦି ଥାନାରେ ହତ୍ୟା, ହତ୍ୟା ଉଦ୍ୟମ, ଚୋରି ଡକାୟତି, ମାଡ଼ପିଟ ଆଦି ୬ଟି ମାମଲା ରହିଛି। ସେହିପରି ସେ ୨୦୧୯ରେ ଘଟିଥିବା ଚିଟକାମାଲ ଡବଲ ମର୍ଡରରେ ମୁଖ୍ୟ ଅଭିଯୁକ୍ତ ଥିଲା। ସେ ଏହି ଆଡ଼ାରେ ମଦ, ଗଞ୍ଜେଇ ଆଦି ବିଭିନ୍ନ ବେଆଇନ କାମ କରୁଥିଲା ବୋଲି ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା ଓ ତହସିଲଦାର ଲକ୍ଷ୍ମଣ ମାଝୀ କହିଛନ୍ତି। ସେହିପରି ଲରମ୍ଭା ବସ୍‌ଷ୍ଟାଣ୍ଡ ମୁଖ୍ୟ ରାସ୍ତା କଡ଼ରେ ଆର୍‌ଆଇ ଅଫିସ ପରିସରକୁ ଜବରଦଖଲ କରି ଗୋବିନ୍ଦ ଚନ୍ଦ୍ର ସିଂହ, ଦୁର୍ଯ୍ୟୋଧନ ଭୁଏ, ସୁଧୀର ପାଣି, ରମାଇଁ ଚନ୍ଦ୍ର ରଥ, ଚଣ୍ଡୀ ଶେଖର ରଥ ଦୋକାନ ଘର ତିଆରି କରିଥିବା ଅଭି‌ଯୋଗ ହୋଇଥିଲା। ଏମାନଙ୍କ ଦୋକାନକୁ ମଧ୍ୟ ଭାଙ୍ଗି ଚୂରମାର କରାଯାଇଥିଲା।

ଏହି ସବୁ ସ୍ଥାନରେ ଜେସିବି ଲଗାଇ ଭାଙ୍ଗିବା ସମୟରେ ପାଟଣାଗଡ଼ ତହସିଲଦାର ଲକ୍ଷ୍ମଣ ମାଝୀ ମାଜି‌ଷ୍ଟ୍ର‌େଟ ଦାୟିତ୍ବରେ ଥିବା ବେଳ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା, ଥାନାଧିକାରୀ ଅନନ୍ତ ପଧାନ, ଏସ୍‌ଆଇ ବି. କେ, ପଣ୍ଡାଙ୍କ ସହ ତହସିଲ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର