ସମ୍ବଲପୁର: ‘ଶ୍ୟାମ ମେଟାଲିକ୍ସ ହେଉକି ଅନ୍ୟ କୌଣସି ଶିଳ୍ପାନୁଷ୍ଠାନ, ଯେଉଁମାନେ ସରକାରୀ ଜମି ଜବରଦଖଲ କରିଛନ୍ତି, କାହାରିକୁ ବି ଛଡ଼ାଯିବ ନାହିଁ। ବଡ଼ ବଡ଼ ଲୋକମାନଙ୍କ ମୁଖା ଖୋଲିବ। ଯେଉଁ ପ୍ରଭାବଶାଳୀ ଶିଳ୍ପାନୁଷ୍ଠାନଗୁଡ଼ିକ ଜମି, ଜଙ୍ଗଲ, ଜଳ ଆଉ ବାୟୁ କେବଳ ଆମର ବୋଲି ଭାବୁଥିଲେ ଏବଂ ଜମି ଦଖଲ ପାଇଁ ପ୍ରୟାସ କରୁଥିଲେ, ସେମାନଙ୍କ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଛି। ସେଠାରେ ବୁଲ୍ଡୋଜର ଚାଲିବ। କେହି ଛାଡ଼ ପାଇବେ ନାହିଁ’ ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ପ୍ରକାଶଯୋଗ୍ୟ ଯେ ହୀରାକୁଦ ଜଳଭଣ୍ଡାର ଜମିରେ ପାଉଁଶ ପୋତି ଘରୋଇ କମ୍ପାନି ଶ୍ୟାମ ମେଟାଲିକ୍ସ ଆଣ୍ଡ ଏନର୍ଜି ବେଆଇନ ଭାବେ କାରଖାନା ସଂପ୍ରସାରଣ କରିଚାଲିଛି। ହୀରାକୁଦ ଜଳଭଣ୍ଡାର ଭଳି ଏକ ଜାତୀୟ ସ୍ତରର ପ୍ରକଳ୍ପର ଜମି ହଡପ୍ ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଜବରଦଖଲ ଉଚ୍ଛେଦ ପାଇଁ ରେଙ୍ଗାଲି ତହସିଲଦାରଙ୍କ ୪ଟି ନୋଟିସ୍ ପରେ ବି ଏପର୍ଯ୍ୟନ୍ତ କମ୍ପାନି ସେହି ଜମି ଛାଡ଼ି ନାହିଁ।
ଶ୍ରୀ ପୂଜାରୀ କହିଛନ୍ତି, ସ୍ବାଧୀନତାର ୭୫ ବର୍ଷ ମଧ୍ୟରେ ମୁଁ ଦେଖିଛି, ଗରିବ ଲୋକମାନଙ୍କ ଘର ଭଙ୍ଗା ହେଉଥିଲା। ସେମାନେ ଜବରଦଖଲକାରୀ ନୁହନ୍ତି। ଜବରଦଖଲକାରୀ ତ ସେମାନେ, ଯେଉଁ ପ୍ରଭାବଶାଳୀ ବ୍ୟକ୍ତିମାନେ ସମାଜର ଆଖିରେ ସଫାସୁତରା, କିନ୍ତୁ ସରକାରୀ ଜାଗାରେ ମାଡ଼ି ବସି ବଡ଼ ବଡ଼ ଅଟ୍ଟାଳିକା ନିର୍ମାଣ କରିଛନ୍ତି। ସେହିପରି ବହୁ ବଡ଼ ବଡ଼ ଅଧିକାରୀ ବି ରହିଛନ୍ତି, ବଡ଼ ବଡ଼ ଜାଗା ଦଖଲକରି ନଭଶ୍ଚୁମ୍ବୀ ଅଟ୍ଟାଳିକା ତିଆରି କରିଛନ୍ତି। ସେଠାରେ ବି ଚାଲିବ ବୁଲ୍ଡୋଜର। ଯେଉଁମାନଙ୍କ ପାଖରେ ଆଇନ ପହଞ୍ଚି ପାରୁନଥିଲା, ଭାବୁଥିଲେ ଯେ ଦେଶର ଆଇନ ସେମାନଙ୍କ ସ୍ବାର୍ଥରକ୍ଷା ପାଇଁ ହୋଇଛି, ଏଥର ସେମାନେ ଆଇନ କ’ଣ ତାହା ଅନୁଭବ କରିବେ। ଗରିବ ଲୋକମାନେ ସ୍ବାଧୀନତାର ସ୍ବାଦ ପାଇବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ମନ୍ତ୍ରୀ ଶ୍ରୀ ପୂଜାରୀ ଆଜି ସମ୍ବଲପୁର ଗୁଡ଼େଶ୍ବର ବାବା ମନ୍ଦିର ରାସ୍ତାରେ ଆୟୋଜିତ ‘ମା ପାଇଁ ଗଛଟିଏ’ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଜବରଦଖଲ ଉଚ୍ଛେଦ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/suresh-pujari.jpg)