ମତଦାନ ପୂର୍ବ ରାତିରେ ଗୁଳି ଫୁଟିଲା

ବରପାଲି: ବରଗଡ଼ ଜିଲ୍ଲା ବରପାଲି ବ୍ଲକ୍‌ରେ ପଞ୍ଚାୟତ ନିର୍ବାଚନ ପ୍ରଚାରକୁ ନେଇ ଲେଣ୍ଡା ପଞ୍ଚାୟତ ମହୁଲପାଲି ଗାଁରେ ଗୁଳି ଫୁଟିଛି। ପ୍ରଚାର ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ତିନି ରାଉଣ୍ଡ ଗୁଳି ଫୁଟିଥିବା ସୂଚନା ମିଳିଛି। ହେଲେ ଏଥିରେ କେହି ମୃତାହତ ହୋଇନାହାନ୍ତି। ମହୁଲପାଲି ସରପଞ୍ଚ ପ୍ରାର୍ଥୀ ରାଜକୁମାର ସାହୁଙ୍କ ଘର ସମ୍ମୁଖରେ ଏହି ଘଟଣା ଘଟିଛି।

ଶ୍ରୀ ସାହୁ ଶନିବାର ରାତିରେ ପରିବାର ସଦସ୍ୟଙ୍କ ସହ ଘର ଆଗରେ ଛିଡ଼ା ‌ହୋଇଥିଲେ। ଏତିକି ବେଳେ ୪ଟି ଗାଡ଼ିରେ ପ୍ରାୟ ୩୦ଜଣ ବ୍ୟକ୍ତି ଆସି ତାଙ୍କୁ ଗାଳିଗୁଲଜ କରିବା ସହ ପ୍ରଥମେ ଗୋଟିଏ ରାଉଣ୍ଡ ଗୁଳି ଫୁଟାଇ ଥିଲେ। ଗୁଳି ଫୁଟିବା ଦେଖି ସମସ୍ତେ ଘରେ ପଶି କବାଟ ବନ୍ଦ କରି ଦେଇଥିଲେ। ଦୁର୍ବୃତ୍ତମାନେ ଆଉ ଦୁଇ ରାଉଣ୍ଡ ଗୁଳି ଫୁଟାଇବା ସହ ଶ୍ରୀ ସାହୁଙ୍କ ଗାଡ଼ିକୁ ଭଙ୍ଗାରୁଜା କରି ପଳାଇଥିଲେ। ଶ୍ରୀ ସାହୁ ବରପାଲି ଥାନାକୁ ଫୋନ୍ ଯୋଗେ ସୂଚନା ଦେବା ପରେ ପିସିଆର ଭ୍ୟାନ ଘଟଣାସ୍ଥଳରେ ପହଞ୍ଚିଥିଲା। ଏନେଇ ବରପାଲି ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ୍ ଘଟଣାର ତଦନ୍ତ କରୁଥିଲେ ମଧ୍ୟ ଦୁର୍ବୃତ୍ତଙ୍କ ପତ୍ତା ମିଳି ପାରିନାହିଁ।

ସମ୍ବନ୍ଧିତ ଖବର