ବିଧବା ମା’ ମୁଣ୍ତରେ ଭିନ୍ନକ୍ଷମ ପୁଅର ବୋଝ, ପେଟ ଚାଖଣ୍ତକ ପାଇଁ ବାରଦୁଆର ବୁଲି ହାତ ପାତିବାକୁ ପଡୁଛି

ଓଡ଼ଗାଁ : ଆହା ପଦେ କହିବାକୁ କେହି ନାହିଁ। ସ୍ବାମୀ ଚାଲିଯିବା ପରେ ଏକାକି ଦିବ୍ୟାଙ୍ଗ ପୁଅକୁ ଧରି ସାରା ଜୀବନ ଚାଲିବାକୁ ପଡୁଛି। ଅବସ୍ଥା ଏମିତି ହୋଇଛି ମାଆ ପୁଅଙ୍କ ଦେହରେ ଆଉ ଚାଲିବାକୁ ଶକ୍ତି ନାହିଁ। ପେଟ ଚାଖଣ୍ତକ ପାଇଁ ବାରଦୁଆର ବୁଲି ହାତ ପାତିବାକୁ ପଡୁଛି। ସେ ଏଭଳି ଗାଁ ଗାଁ ବୁଲି ଚାଉଳ, ପଇସା ମାଗି ପେଟ ପୋଷିଥାନ୍ତି। ଓଡ଼ଗାଁ ପାଟଣାସାହିରେ ଏକ ଭଡ଼ା ଘରେ ପଞ୍ଚୁ ସେଠୀଙ୍କ ସ୍ତ୍ରୀ ସୁଶୀଳା ସେଠୀ ଏବଂ ତାଙ୍କ ଦିବ୍ୟାଙ୍ଗ ପୁଅ ଦିଲୀପ ସେଠୀ ରହି ଆସୁଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ସୁଶୀଳାଙ୍କ ଦେଢଶୁର ଏବଂ ଦିଅର ତାଙ୍କ ସହିତ କଳି ଝଗଡା କରି ଘରୁ ବାହାର କରିଦେଲେ। ସେବେଠାରୁ ସେ ଓଡ଼ଗାଁ ପାଟଣାସାହିରେ ୭ ଶହ ଟଙ୍କା ଭଭାଘର ନେଇ ରହୁଛନ୍ତି।

ରୋହିବାଙ୍କ ଗ୍ରାମରେ ତାଙ୍କର ଜାଗାବାଡ଼ି ଥିଲା ଏବଂ ସେ ଆବାସ ଯୋଜନାରେ ଘର ପାଇଥିଲେ। ଠିକାଦାର ଘର କରିଦେବ କହି ସବୁ ଟଙ୍କା ନେଇଯିବା ପରେ ଆଉ ଘର କଲାନାହିଁ। ଏଭଳି ପରିସ୍ଥିତିରେ ମାଆ ପୁଅ ଦୁହେଁ ଘର ଛାଡିବାକୁ ବାଧ୍ୟ ହେଲେ। ପୁଅ ଦିଲୀପ ସେଠୀ ପିଲାଦିନରୁ ପୋଲିଓ ରୋଗରେ ଆକ୍ରାନ୍ତ ହୋଇ ଚାଲବୁଲ କରି ପାରୁନାହାନ୍ତି। ଗୋଟିଏ ବୋଲି ପୁଅର ମୁହଁକୁ ଚାହିଁ ମା’ ବାର ଦୁଆର ବୁଲି ଭିକ୍ଷାବୃତ୍ତି କରୁଛି। ସରକାରଙ୍କ ତରଫରୁ ତାଙ୍କୁ ୩୫ କିଲୋ ଚାଉଳ ଏବଂ ୫ ଶହ ଟଙ୍କା ଲେଖାଏଁ ଭତ୍ତା ବାବଦକୁ ମିଳୁଛି କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ ବୋଲି ସୁଶୀଳା କହିଛନ୍ତି। ରୋହିବାଙ୍କ ପଞ୍ଚାୟତରୁ ତାଙ୍କୁ ଭତ୍ତା ଏବଂ ରାସନ ସାମଗ୍ରୀ ପ୍ରଦାନ କରାଯାଉଛି କିନ୍ତୁ ଓଡ଼ଗାଁରୁ ରୋହିବାଙ୍କ ୧୨ କିଲୋମିଟର ଦୂର ଅଟୋ ଭଡ଼ା କରି ଗଲେ ଥରକୁ ଅଢେଇ ଶହ ଟଙ୍କା ଅଟୋ ଭଡ଼ାରେ ଯାଏ ବୋଲି ସେ କହିଛନ୍ତି। ଏମିତି ପ୍ରତିମାସରେ ଭତ୍ତ‌ା ଏବଂ ରାସନ ପାଇଁ ଦୁଇଥର ଯିବାକୁ ପଡ଼ିଥାଏ। ନିଜ କର୍ମକୁ ଆଦରି ବାଧ୍ୟ ହୋଇ ବାର ଦୁଆର ବୁଲି ଆକୁତାକୁ ହାତ ପାତିବାକୁ ପଡୁଛି। ସକାଳୁ ଉଠି ରୋଷେଇ ବାସ ସାରି ଦିବ୍ୟାଙ୍ଗ ପୁଅକୁ ସାଙ୍ଗରେ ଧରି ମାଆ ଭିକ୍ଷା ମାଗିବାକୁ ଯାଇଥାନ୍ତି। ଚାରିରୁ ପାଞ୍ଚ କିଲୋମିଟର ଚାଲି ଚାଲି ଗଲେ ଚାଉଳ, ପଇସା ବାବଦକୁ ଦୁଇ ଶହରୁ ତିନିଶହ ଟଙ୍କା ମିଳୁଥିବା ସେ କହିଛନ୍ତି।

ଡହଡହ ଖରାରେ ଖାଲି ପାଦରେ ମାଆ ଦିବ୍ୟାଙ୍ଗ ପୁଅକୁ ସାଇକେଲରେ ଠେଲି ଠେଲି ନେଉଥିବା ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ ନିଶ୍ଚୟ କରିବ। ଏହି ମାଆ ପୁଅ ଦୁଇଜଣଙ୍କୁ ପ୍ରଶାସନ ସରକାରୀ ଜାଗା ଯୋଗାଇ ଦେବା ସହିତ ରୋହିବାଙ୍କ ପଞ୍ଚାୟତ ଓଡ଼ଗାଁରୁ ଭତ୍ତା-ରାସନ ଦେବାର ବ୍ୟବସ୍ଥା କଲେ ମା’-ପୁଅ ଦୁହେଁ ଉଦ୍ଧାର ପାଆନ୍ତେ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର