ବାପାମାଆ ଆର ପାରିରେ, ସାହାରା ସାଜିଥିବା ଅଜା ବି ରୋଗଗ୍ରସ୍ତ; ନାତିନାତୁଣୀ ମୁଣ୍ଡରେ ପରିବାରର ବୋଝ

ପାତ୍ରପୁର : ‌ପିଲା ବେଳେ ଅକାଳରେ ଚାଲିଗଲେ ବାପାମାଆ। ସ୍ନେହ ଓ ମମତାରୁ ବଞ୍ଚିତ ନାତିନାତୁଣୀ ପାଇଁ ସାହାରା ସାଜିଲେ ଅଜା। ସେମାନଙ୍କ ଭରଣପୋଷଣ ଦାୟିତ୍ବ ମୁଣ୍ଡାଇଲେ। ହେଲେ ଦଇବ ପୁଣି ଦାଉ ସାଧିଲା। ଅଜା ବି ରୋଗଗ୍ରସ୍ତ ହୋଇଗଲେ। ଏବେ ୧୨ ବର୍ଷର ନାତି ଶିବରାମ ଓ ୮ ବର୍ଷର ନାତୁଣୀ ସୁମିତ୍ରା ବେସାହାରା ପାଲଟିଛନ୍ତି। ନିରୁପାୟ ସାଜି ପରିବାରର ବୋଝ ମୁଣ୍ଡାଇଛନ୍ତି। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ସାମନ୍ତରାପୁର ପଞ୍ଚାୟତ ଅନ୍ତର୍ଗତ ଆଦିବାସୀଅଧ୍ୟୁଷିତ ତାଳପଦର ଗ୍ରାମରୁ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।

ଶିବରାମ ଓ ସୁମିତ୍ରା ଛୋଟ ଥିବା ବେଳେ ବାପା ଡମ୍ବୁରୁ ଶବର ଓ ମାଆ କୁରି ଦେବୀ ଆରପାରିକୁ ଚାଲିଗଲେ। ଏଭଳି ଘଡ଼ିସନ୍ଧି ସମୟରେ ଅଜା ବଡ଼ୁ ଶବର ଦୁଇ ନାତିନାତୁଣୀଙ୍କ ପ୍ରତିପୋଷଣ ଦାୟିତ୍ବ ମୁଣ୍ଡାଇଲେ। ସୁଖଦୁଃଖରେ ତେଲ ଲୁଣର ସଂସାର ଚାଲିଥିଲା। ହେଲେ ଏବେ ଅଜା ବଡ଼ୁ ଚାରି ମାସ ହେଲା ରୋଗଗ୍ରସ୍ତ ହୋଇ ଘର ବାରଣ୍ତାରେ ସେମିତି ପଡ଼ି ରହିଛନ୍ତି। ଦୁଇ କୁନି ନାତିନାତୁଣୀ ଅଜାଙ୍କ ଦେଖାଶୁଣା କରୁଛନ୍ତି। ଶିବରାମ ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ କ‌ରୋନା କଟକଣା ଯୋଗୁଁ ବିଦ୍ୟାଳୟ ବନ୍ଦ ରହିଥିବାରୁ ଦୁଇ ଓଳା ଦାନା ଯୋଗାଡ଼ କରିବାକୁ ସାହି ପଡ଼ୋଶୀଙ୍କ ଗାଈ ଓ ବଳଦ ଜଗୁଛି। ଆଉ ସୁମିତ୍ରା ପାଠ ପଢ଼ୁ ନଥିବା ବେଳେ ରୋଗଗ୍ରସ୍ତ ଅଜା ଓ ବଡ଼ଭାଇ ପାଇଁ ରୋଷେଇ କରିବା ସହ ଆନୁଷଙ୍ଗିକ କାମ କରୁଛି।

ଅନ୍ୟପକ୍ଷରେ ଏହି ଗରିବ ପରିବାରକୁ ୧୦ କିଲୋ ଚାଉଳ ଓ ବଡ଼ୁଙ୍କୁ ୫୦୦ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ମିଳୁଛି। ତେବେ ଓଳିଏ ଖାଇଲେ ଓଳିଏ ଉପବାସ ରହିବାକୁ ପଡ଼େ ବୋଲି ଶିବରାମ କହିଛି। ଗତ ୩୦ ବର୍ଷ ତଳେ ସରକାର ଏହି ଗ୍ରାମର କିଛି ଆଦିବାସୀ ପରିବାର ପାଇଁ କଲୋନି କରି ଘର ଯୋଗାଇ ଦେଇଥିଲେ। କିନ୍ତୁ ତାହା ବି ଭାଙ୍ଗିଗଲାଣି। ଦୁଇ ନାତିନାତୁଣୀଙ୍କ ପାଠପଢ଼ା ଓ ଅଜାଙ୍କ ଚିକିତ୍ସା ସାଙ୍ଗକୁ ସରକାରୀ ସହାୟତା ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ବଡ଼ୁ ଶବର ତାଙ୍କର ଏକ ମାତ୍ର ଝିଅ କୁରିଦେବୀଙ୍କୁ ବିବାହ କରାଇଥି‌ଲେ। ଝିଅଜ୍ବାଇଁଙ୍କୁ ନିଜ ପାଖରେ ରଖିଥିଲେ। ହେଲେ ପୁଅଝିଅଙ୍କ ଜନ୍ମ ପରେ ପ୍ରଥମେ ଝିଅର ମୃତ୍ୟୁ ହୋଇଥିଲା। ଏକ ବର୍ଷ ପରେ ଜ୍ବାଇଁ ବି ଆଖି ବୁଜିଦେଇଥିଲେ।

ସମ୍ବନ୍ଧିତ ଖବର