ଲକ୍ଷ୍ମଣରେଖା ଟପିଛି ଅମଲାତନ୍ତ୍ର: ବିଜେପି

ବିଜେଡି ସଭାପତିଙ୍କୁ ଅଫିସରମାନେ ଭେଟି ପୌର ଓ ପଞ୍ଚାୟତ ଫଳାଫଳ ପାଇଁ ଶୁଭେଚ୍ଛା ଜଣାଇବା ପ୍ରସଙ୍ଗ

ଭୁବନେଶ୍ୱର : ରବିବାର ଓଡିଶାର ପ୍ରଶାସନିକ ଅଧିକାରୀମାନେ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ଯେଉଁଭଳି ଭାବେ ଭେଟି ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜୟ ପାଇଁ ଶୁଭେଚ୍ଛା ଜଣାଇଲେ, ଏହା ଓଡିଶାର ଗଣତନ୍ତ୍ରକୁ ଉପହାସ କଲା ଭଳି ମନେ ହେଉଛି। ବିଜେପି ଏହାକୁ କଡା ଶବ୍ଦରେ ନିନ୍ଦା କରୁଛି ବୋଲି ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ସୋମବାର ଦିନ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଶାସନ ବ୍ୟବସ୍ଥାରେ କାର୍ଯ୍ୟପାଳିକାକୁ ଲୋକଙ୍କ ସେବା ପାଇଁ ବିଶେଷ ଅଧିକାର ଦିଆଯାଇଛି ଏବଂ ସେଥିପାଇଁ ସେମାନଙ୍କ ଠାରୁ ନିରପେକ୍ଷତା ଆଶା କରାଯାଏ। ହେଲେ ଗତକାଲି ମୁଖ୍ୟ ଶାସନ ସଚିବ ଓ ଡିଜିପିଙ୍କ ସମେତ ଓଡିଶା ପ୍ରଶାସନିକ ସେବା ସଂଘ ସମେତ ବିଭିନ୍ନ ସଂଘ ସମେତ ଅନ୍ୟ ସରକାରୀ ଅଧିକାରୀ ଯେପରି ବିଜେଡି ସଭାପତିଙ୍କୁ ଭେଟି ନିର୍ବାଚନ ବିଜୟ ପାଇଁ ଅଭିନନ୍ଦନ ଜଣାଇଲେ, ତାହା ଓଡିଶା ପ୍ରଶାସନିକ ଇତିହାସରେ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି। ଏହା ଦ୍ୱାରା ରାଜ୍ୟର କାର୍ଯ୍ୟପାଳିକା ବ୍ୟବସ୍ଥା ଓଡିଶାବାସୀଙ୍କ ବିଶ୍ୱାସକୁ ହରାଉଛି। ଓଡିଶାରେ ଏଭଳି ଏକ ଖରାପ ପରମ୍ପରା ତିଆରି କରାଯାଇଛି। ଏହା ଓଡିଶା ପାଇଁ ଶୁଭଙ୍କର ନୁହେଁ। ଶାସକ ବିଜେଡି ଏବଂ ପ୍ରଶାସନିକ ଅଧିକାରୀଙ୍କ ଭିତରେ ଚାଲିଥିବା ମଧୁଚନ୍ଦ୍ରିକା ଆଜି ପଦାରେ ପଡିଛି। ଶାସକ ବିଜେଡି ଅମଲାତାନ୍ତ୍ରିକ ବ୍ୟବସ୍ଥାକୁ ଅପବ୍ୟବହାର କରି ନିର୍ବାଚନ ଜିତିଥିବା ଆଜି ପ୍ରମାଣିତ ହୋଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ରାଜ୍ୟର ପ୍ରଶାସନିକ ଅଧିକାରୀମାନେ ରାଜ୍ୟରେ ଜନସେବା ପାଇଁ ଅଛନ୍ତି ନା ବି‌େଜଡିର ସେବା ପାଇଁ? ସରକାରୀ ବାବୁମାନେ ବିଜେଡି ନେତା ଏବଂ ବିଧାୟକଙ୍କ ବଚସ୍କର ସାଜିଥିବାରୁ ରାଜ୍ୟରେ ଭ୍ରଷ୍ଟାଚାର ବ୍ୟାପକ ହୋଇଛି। ଆଗାମୀ ଦିନରେ ଏହାର ପରିଣାମ ଭୟଙ୍କର ହୋଇପାରେ। ନେଡ଼ି ଗୁଡ଼ କହୁଣୀକୁ ବୋହିଯିିବା ପୂର୍ବରୁ ଗଣତନ୍ତ୍ରକୁ ବିପଦରେ ନପକାଇ ଏହାକୁ ମଜବୁତ୍ କରିବା ଦିଗରେ କାର୍ଯ୍ୟ କରନ୍ତୁ। ଚାଟୁକାରିତାର ନମୁନା ପ୍ରଦର୍ଶନ କରିଥିବା ଅଫିସର ସଂଘମାନେ ଓଡିଶାର ଜନ ସାଧାରଣଙ୍କୁ କ୍ଷମା ମାଗିବାକୁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।

ପରାଜୟ ପ୍ରସଙ୍ଗରୁ କର୍ମୀଙ୍କ ନଜର ହଟାଇବାକୁ ବିଜେପିର ଉଦ୍ୟମ: ବିଜେଡି

ଭୁବନେଶ୍ୱର : ନିକଟରେ ଶେଷ ହୋଇଥିବା ଜିଲ୍ଲା ପରିଷଦ ଏବଂ ପୌର ନିର୍ବାଚନରେ ଓଡ଼ିଶାର ଲୋକଙ୍କ ଆତ୍ମବିଶ୍ୱାସ ହାସଲ କରିବାରେ ବିଫଳ ହେବା ପରେ ବିଜେପି ଆଜି ପୁଣିଥରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଶସ୍ତା ରାଜନୀତି ଖେଳିବାର ପୁରୁଣା ଅଭ୍ୟାସକୁ ଦୋହରାଇଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି। ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ ଓଡ଼ିଶା ବିଜେପି ବୋଧହୁଏ ଜାଣି ନାହିଁ ଯେ ନିକଟରେ ବିଜେପି ଶାସିତ ରାଜ୍ୟରେ ମଧ୍ୟ ନିର୍ବାଚନ ହେବା ପରେ ବରିଷ୍ଠ ଅଧିକାରୀମାନେ ଯାଇ ସେହି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କର ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଏଥିରେ କିଛି ଭୁଲ୍ ନାହିଁ। ଏହା ସମଗ୍ର ଭାରତରେ ଘଟେ ଏବଂ ଏହା ଏକ ପରମ୍ପରା। ସମଗ୍ର ଦେଶରେ ଭାରତୀୟ ଗଣତନ୍ତ୍ରରେ, ପ୍ରତ୍ୟେକ ନିର୍ବାଚନରେ ବିଜୟ ପରେ ଅମଲାତନ୍ତ୍ର ତଥା ସମାଜର ଅନ୍ୟାନ୍ୟ ବର୍ଗ ଯାଇ ଜନତାଙ୍କ ଦ୍ୱାରା ନିର୍ବାଚିତ ନେତାଙ୍କୁ ଅଭିନନ୍ଦନ ଜଣାଇଥାନ୍ତି। ଓଡ଼ିଶା ବିଜେପି ନିକଟରେ କୌଣସି ପ୍ରସଙ୍ଗ ନାହିଁ, ତେଣୁ ସେମାନଙ୍କର ରାଜନୈତିକ ପ୍ରାସଙ୍ଗିକତା ବଜାୟ ରଖିବା ପାଇଁ ଅଣପ୍ରସଙ୍ଗକୁ ପ୍ରସଙ୍ଗ କରିବାକୁ ଚେଷ୍ଟା କରୁଛନ୍ତି। ବିଶେଷକରି ନିର୍ବାଚନରେ ବୃହତ ପରାଜୟ ପରେ ସେମାନେ ନିଜ ଦଳର ହତାଶ ତଥା ମନୋବଳ ଭାଙ୍ଗିଯାଇଥିବା କର୍ମୀଙ୍କୁ ଉତ୍ସାହିତ କରିବାକୁ ଚେଷ୍ଟା କରୁଥିବା ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର