ବାରିପଦା: ଫେବ୍ରୁଆରି ମାସ ଅଧାରୁ ମୟୂରଭଞ୍ଜ ଜିଲ୍ଲାରେ ଭୀଷଣ ଖରା ଅନୁଭୂତ ହେଲାଣି। ଦିନ ୧୦ଟା ବେଳକୁ ଏପରି ଖରା ହେଉଛି ଯେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଆଜି ଶନିବାର ଦିନ ତାପମାତ୍ରା ୩୧ ଡିଗ୍ରି ଉପରେ ରହିଥିଲା। ଆସନ୍ତା ୭ଦିନ ଖରା ଆହୁରି ଟାଣ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି। ଆଉ ଖରା ବଢ଼ିବା ସହ ଶିମିଳିପାଳ ଜଙ୍ଗଲ ମଧ୍ୟ ଜଳିବା ଆରମ୍ଭ ହୋଇଗଲାଣି।

Advertisment

ଚଳିତ ମାସ ୧ ତାରିଖରୁ ୧୫ ତାରିଖ ମଧ୍ୟରେ ଜିଲ୍ଲାରେ ମୋଟ ୭୦ଟି ସ୍ଥାନରେ ଫାୟାର ପଏଣ୍ଟ ଚିହ୍ନଟ ହୋଇଛି। ସେଥିମଧ୍ୟରୁ ବାରିପଦା ସର୍କଲରେ ୪୪ଟି ସ୍ଥାନରେ ଏବେ ବି ଜଙ୍ଗଲ ଜଳୁଛି। ଏହି ୧୫ ଦିନରେ ପ୍ରାୟ ୪୫ ହେକ୍ଟର ଜଙ୍ଗଲ ନଷ୍ଟ ହେଲାଣି। ବାରିପଦା, କରଞ୍ଜିଆ ଓ ରାଇରଙ୍ଗପୁର ଡିଭିଜନ୍‌ରେ ସର୍ବାଧିକ ଜଙ୍ଗଲ ନଷ୍ଟ ହୋଇଛି। ବାରିପଦା ଡିଭିଜନରେ ଦିନକରେ ୫୮ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ରାସ‌ଗୋବିନ୍ଦପୁର, ଦେଉଳି, ବେତନଟୀ, ଉଦଳା ବନାଞ୍ଚଳରେ ଏକାଧିକ ସ୍ଥାନରେ ନିଆଁ ଲାଗିଛି। ସେହିପରି, କରଞ୍ଜିଆ ଡିଭିଜନର ରରୁଆଁ, ଘାଗରବେଡ଼ା ଅଞ୍ଚଳର ୪ଟି ସ୍ଥାନ, ରାଇରଙ୍ଗପୁର ଡିଭିଜନର ଗୋରୁମହିଷାଣି ଓ ହାଟବାଦଡ଼ା ଅଞ୍ଚଳରେ ୬ଟି ସ୍ଥାନରେ ନିଆଁ ଲାଗିଛି। ଆଗକୁ ଭୀଷଣ ଗ୍ରୀଷ୍ମ ପ୍ରବାହ ଆସୁଥିବାରୁ ଏହି ଫାୟାର ପଏଣ୍ଟ ସଂଖ୍ୟା ବଢ଼ିଚାଲିବ ବୋଲି ଆଶଙ୍କା କରାଯାଉଛି। ଏନେଇ ଡିଏଫ୍‌ଓ ଏ. ଉମା ମହେଶ କହିଛନ୍ତି ଯେ; ବାରିପଦା, ରାଇରଙ୍ଗପୁର, କରଞ୍ଜିଆ ଅଞ୍ଚଳରେ ନିଆଁ ଲାଗୁଥିବା ଖବର ହସ୍ତଗତ ହୋଇଛି। ଆମ ଟିମ୍‌ ସତର୍କତା ପୂର୍ବକ କାର୍ଯ୍ୟ କରୁଛି ଓ ବନାଗ୍ନି ନିୟନ୍ତ୍ରଣ ପାଇଁ ସମସ୍ତ ଉଦ୍ୟମ ‌କରାଯାଉଛି।