ଜଗନ୍ନାଥପ୍ରସାଦ: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଭାବସରସ୍ଥିତ ପ୍ରୋଜେକ୍ଟ୍ ଅପରପ୍ରାଇମେରି ସ୍କୁଲ୍ରେ ପାଠପଢ଼ା ସମୟରେ ଶ୍ରେଣୀକକ୍ଷ ଛାଡ଼ି ମଧ୍ୟାହ୍ନଭୋଜନ ରୋଷେଇ ପାଇଁ କାଠ ବୋହୁଛନ୍ତି ଛାତ୍ରଛାତ୍ରୀ। ଛାତ୍ରୀମାନଙ୍କୁ ପାଇଖାନା ସଫେଇ କାମରେ ନିୟୋଜିତ କରାଯାଉଛି। ଖୋଦ୍ ପ୍ରଧାନଶିକ୍ଷୟିତ୍ରୀ କୋମଳମତି ପିଲାମାନଙ୍କ ହାତରେ ଏ ସମସ୍ତ କାର୍ଯ୍ୟ ସଂପାଦନ କରୁଛନ୍ତି ବୋଲି ଗୁରୁତର ଅଭିଯୋଗ ହୋଇଛି।
ଏହାର ଫଟୋ ଓ ଭିଡିଓ ଜଗନ୍ନାଥପ୍ରସାଦ ଗୋଷ୍ଠୀ ଶିକ୍ଷାଧିକାରୀ ସୁଶ୍ରୀ କଲ୍ୟାଣୀ ପାଢ଼ୀଙ୍କ ହସ୍ତଗତ ହୋଇଛି। ଏନେଇ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗକୁ ଅବଗତ କରାଯିବା ସହ ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ସେହିପରି ପ୍ରତି ବିଦ୍ୟାଳୟକୁ ମଧ୍ୟାହ୍ନଭୋଜନ ରୋଷେଇ ପାଇଁ ଗ୍ୟାସ୍ ସିଲିଣ୍ଡର୍ ଯୋଗାଇ ଦିଆଯାଇଛି। କାଠ ଜାଳିବା ବେନିୟମ କାର୍ଯ୍ୟ। ସେହିପରି ପିଲାମାନଙ୍କୁ ଶ୍ରେଣୀକକ୍ଷରୁ ବାହାର କରି କାଠ ବୁହାଇବା କାର୍ଯ୍ୟରେ ନିୟୋଜିତ କରିବା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ତେବେ ଆଗକୁ ଶିକ୍ଷା ବିଭାଗ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଛି।
ବ୍ଲକ୍ ଶିକ୍ଷାଧକାରୀଙ୍କ କାର୍ଯ୍ୟାଳୟରୁ ମାତ୍ର ୪ କିଲୋମିଟର ଦୂରରେ ଏହି ବିଦ୍ୟାଳୟ ରହିଛି। ବିଦ୍ୟାଳୟ ପରିସରରେ ମଧ୍ୟାହ୍ନଭୋଜନ ରୋଷେଇ ପାଇଁ ଟ୍ରାକ୍ଟର୍ରେ ଜାଳେଣି କାଠ ଅଣାଯିବା ପରେ ଅନ୍ଲୋଡ଼୍ ହେଉଛି। ଯାହାକୁ ଛାତ୍ରଛାତ୍ରୀମାନେ ନିଜ ହାତରେ ବୋହି ନେଇ ଏକ ପରିତ୍ୟକ୍ତଗୃହରେ ଗଦା କରୁଛନ୍ତି। ଅପରାହ୍ନ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ଛାତ୍ରଛାତ୍ରୀ ଏହି କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଗ୍ରାମର କିଛି ଯୁବକ ଏହାର ଫଟୋ ଓ ଭିଡିଓ ଉତ୍ତୋଳନ କରିଥିଲେ, ଯାହାକି ଶିକ୍ଷାଧିକାରୀଙ୍କ ହସ୍ତଗତ ହୋଇଛି।