ଜଙ୍ଗଲରୁ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

୧୮ରୁ ନିଖୋଜ ଥିଲେ, ହତ୍ୟା ସନ୍ଦେହ

ରାଇରଙ୍ଗପୁର: ବହଳଦା ଥାନା ତିଖିଆ ଗାଁ ନିକଟସ୍ଥ ବାଣ୍ଠା ଜଙ୍ଗଲରୁ ଆଜି ଜଣେ ଯୁବକଙ୍କର ଗଳିତ ମୃତଦେହ ଜବତ କରିଛି ବହଳଦା ପୁଲିସ। ସକାଳେ ଗାଁ’ର କିଛି ପିଲା ଛେଳି ଚରାଇବାକୁ ଜଙ୍ଗଲକୁ ଯାଇଥିବା ବେଳେ ସେଠାରେ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ। ମୃତ ଯୁବକ ହେଲେ ଗୋରୁମହିଷାଣୀ ଥାନା ସାନମୌଦା ଗ୍ରାମର ସ୍ବର୍ଗତ ଚାରୁ ସୋରେନଙ୍କ ପୁଅ ଚାନ୍ଦ୍ରାଇ ସୋରେନ (୨୩)।

ଗତ ୧୮ ତାରିଖରୁ ଚାନ୍ଦ୍ରାଇ ଘରୁ ନିଖୋଜ ଥିବା ସଂପର୍କରେ ପରିବାର ଲୋକେ ଗତକାଲି ଗୋରୁମହିଷାଣୀ ଥାନାରେ ଅଭିଯୋଗ କରିଥିଲେ। ବହଳଦା ଥାନା ପୁଲିସ ଶବକୁ ଜବତ କରିଥିବାବେଳେ ମୃତକଙ୍କ ବଡ଼ଭାଇ ଶବାନ ସୋରେନ ଘଟଣାସ୍ଥଳକୁ ଆସି ମୃତଦେହଟି ତାଙ୍କ ସାନଭାଇଙ୍କର ବୋଲି ଚିହ୍ନଟ କରିଛନ୍ତି। ପୁଲିସ ଘଟଣାର ଛାନ୍‌ଭିନ୍‌ ଜାରି ରଖିବା ସହିତ ବାରିପଦାରୁ ସାଇଣ୍ଟିଫିକ ଟିମ୍‌କୁ ଡକାଇ ତଦନ୍ତ କରିଛନ୍ତି। ଏ ନେଇ ବହଳଦା ଥାନା କେସ୍‌ ନଂ ୧୭/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତେବେ ଚାନ୍ଦ୍ରାଇଙ୍କ ମୃତ୍ୟୁ ହତ୍ୟା କି ଆତ୍ମହତ୍ୟା, ତାହା ଏଯାଏ ସ୍ପଷ୍ଟ ହୋଇ ପାରିନାହିଁ। ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଓ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ଘଟଣା ସ୍ପଷ୍ଟ ହେବ ବୋଲି ବହଳଦା ଥାନା ଏସ୍‌ଆଇ ଏସ.ଆର.ସ୍ବାଇଁ କହିଛନ୍ତି।

ସମ୍ବନ୍ଧିତ ଖବର