କାଞ୍ଜିପାଣି ଘାଟିରେ ଜଳିଗଲା ବସ୍‌

ତେଲକୋଇ : କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର କାଞ୍ଜିପାଣି ଘାଟିରେ ଆଜି ଭୋର ପ୍ରାୟ ୩ଟା ବେଳେ ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ଜଳି ଯାଇଛି। ଏଥିରେ କେହି ମୃତାହତ ହୋଇନଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଛି। ବସ୍‌ରେ ଥିବା ୩୦ଜଣ ଯାତ୍ରୀ ଏକ ବଡ଼ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।

ପ୍ରାପ୍ତ ସୂଚନା ଅନୁଯାୟୀ, କେନ୍ଦୁଝରରୁ ଭାୟା କାଞ୍ଜିପାଣି-ଜଗମୋହନପୁର-ପାଲଲହଡ଼ା ଦେଇ ପାଢ଼ୀ ନାମକ ଏକ ଘରୋଇ ବସ୍‌ (ଓଆର୍‌-୦୫-ଏଏନ୍‌-୧୬୦୭) ରାଉରକେଲା ପ୍ରତିଦିନ ଯାତାୟାତ କରିଥାଏ। ଗତକାଲି ରାତି‌ରେ ବସ୍‌ଟି ରାଉରକେଲାରୁ କେନ୍ଦୁଝର ଅଭିମୁଖେ ଆସୁଥିଲା। ଭୋର ପ୍ରାୟ ୩ଟା ବେଳେ ବସ୍‌ଟି କାଞ୍ଜିପାଣି ଘାଟି ଅତିକ୍ରମ କରୁଥିବା ବେଳେ ତାରିଣୀ ମନ୍ଦିର ନିକଟରେ ହଠାତ୍ ଇଞ୍ଜିନରେ ନିଆଁ ଲାଗିଯାଇଥିଲା। ବସ୍‌ରେ ସେତେବେଳେ ୩୦ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ। ସମସ୍ତେ ଶୋଇ ପଡ଼ିଥିଲେ। ବସ୍‌ କର୍ମଚାରୀଙ୍କ ପାଟିଶୁଣି ଯାତ୍ରୀମାନେ ନିଦରୁ ଉଠିବା ସହ ସମ୍ମୁଖ ଭାଗ ଡୋର୍ ଦେଇ ତଳକୁ ଓହ୍ଲାଇ ଯାଇଥିଲେ। ଉକ୍ତ ବସ୍‌ରେ କେନ୍ଦୁଝର ଆସୁଥିବା ସୌମେନ୍ଦ୍ର କୁମାର ଦାସ ନାମକ ଜଣେ ଯାତ୍ରୀଙ୍କ କହିବା ଅନୁଯାୟୀ, ନିଆଁ ଲାଗିଲା ବେଳକୁ ବସ୍‌ରେ ୩୫ଜଣ ଯାତ୍ରୀ ଥିଲେ। ଏପରିକି ବସ୍‌ର ଇଞ୍ଜିନ ପାଖରେ ମଧ୍ୟ କିଛି ଯାତ୍ରୀ ବସିଥିଲେ। ପାଟିତୁଣ୍ଡ ଶୁଣି ସମସ୍ତଙ୍କ ନିଦ ଭାଙ୍ଗି ଯାଇଥିଲା। ଜୀବନ ବଞ୍ଚାଇବାକୁ ସମସ୍ତ ଯ‌ାତ୍ରୀ ତଳକୁ ଓହ୍ଲାଇବାର ମାତ୍ର ୧୫ରୁ ୨୦ ମିନିଟ୍ ପରେ ବସ୍‌ଟି ହୁହୁ ହୋଇ ଜଳି ଉଠିଥିଲା। ଗୋଟାଏ ଘଣ୍ଟା ଭିତରେ ବସ୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ସୌମେନ୍ଦ୍ର କହିଛନ୍ତି।

ବସ୍‌ରେ ଜରୁରିକାଳୀନ ଡୋର୍‌ ଥିଲେ ମଧ୍ୟ ତାକୁ ବ୍ୟବହାର କରାଯାଇ ନଥିଲା। ଫଳରେ ରଜପର୍ବ ପାଇଁ ଜିନିଷପତ୍ର ନେଇ ଫେରୁଥିବା ଅନେକ ଯାତ୍ରୀଙ୍କ ବିଭିନ୍ନ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି। ଖବର ପାଇ କାଞ୍ଜିପାଣି ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳକୁ ବସ୍‌ଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା। କାଞ୍ଜିପାଣି ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର