ନୂଆପଡ଼ା : ସରକାର ବାରମ୍ବାର ବିଭିନ୍ନ ସମୟରେ ରୋଗୀମାନଙ୍କୁ ସାହାଯ୍ୟ କରିବା ପାଇଁ ସଚେତନ କରୁଛନ୍ତି। ବିଭିନ୍ନ ସମୟରେ ଅନେକ ସଂଗଠନ ଓ ବ୍ୟକ୍ତିବିଶେଷ ରୋଗୀ ଓ ଅସହାୟଙ୍କୁ ସହାୟତା କରି ମାନବିକତା ଦେଖାଇବା ସହ ପ୍ରଶଂସିତ ହେଉଛନ୍ତି। କିନ୍ତୁ ସୋମବାର ନୂଆପଡ଼ା ସହରରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏକ ଘରୋଇ ବସ୍ର କର୍ମଚାରୀମାନେ ମାନବିକତା ହରାଇ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଯାତ୍ରୀଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ରାସ୍ତାରେ ଓହ୍ଲାଇ ଦେଇଥିବା ବେଳେ କିଛି ସମୟ ପରେ ଉକ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଛି।
ପ୍ରାପ୍ତ ସୂଚନାନୁସାରେ ବରଗଡ଼ ଜିଲ୍ଲା ପାଇକମାଳ ଥାନା ଛେତେଗାଁ ଗ୍ରାମର ମହେନ୍ଦ୍ର ପଟେଲ (୩୫) ଜଣେ ସହଯୋଗୀଙ୍କ ସହ ଆଜି ସକାଳେ ପାଇକମାଳରୁ ଏକ ଘରୋଇ ବସ୍ରେ ରାୟପୁର ବାହାରିଥିଲେ। ମାତ୍ର ପାଇକମାଳ ଥାନା ବରତୁଣ୍ଡା ନିକଟରେ ମହେନ୍ଦ୍ରଙ୍କୁ ନିଃଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହେବା ସହ ଛାତିରେ ଯନ୍ତ୍ରଣା ହୋଇଥିଲା। ଏହା ଦେଖି ମଧ୍ୟ ବସ୍ କର୍ମଚାରୀମାନେ ଡାକ୍ତରଖାନା ନେବା ପରିବର୍ତ୍ତେ ମହେନ୍ଦ୍ର ଓ ସହଯୋଗୀଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରୁ ୨୦୦ ମିଟର ଦୂର ଏକତା ଛକରେ ଓହ୍ଲାଇ ଦେଇ ଚାଲି ଯାଇଥିଲେ। ସହଯୋଗୀ ଜଣଙ୍କ ତାଙ୍କୁ ଡାକ୍ତରଖାନାକୁ ନେଇପାରି ନଥିଲେ। କିଛି ସମୟ ପରେ ନୂଆପଡ଼ା ଥାନା ପୁଲିସ୍ ସେଠାରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ମହେନ୍ଦ୍ରଙ୍କୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାଥମିକ ତଦନ୍ତରୁ ମହେନ୍ଦ୍ରଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଉକ୍ତ ବସ୍ଟି ବଡ଼ପଣ୍ଡା ଟ୍ରାଭେଲ୍ସ ବୋଲି ଜଣାପଡ଼ିଛି। ତେଣେ ବସ୍ କର୍ମଚାରୀଙ୍କ ଏତାଦୃଶ ଅମାନବୀୟ କାଣ୍ଡକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି।