ଭୁବନେଶ୍ବର: ଖଣ୍ଡଗିରି-ବରମୁଣ୍ଡା ଜାତୀୟ ରାଜପଥରେ ଆଜି ବସ୍ ଧକ୍କାରେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଏକାଦଶ (ବିଜ୍ଞାନ) ଶ୍ରେଣୀର ଛାତ୍ରୀ ସସ୍ମିତା ପ୍ରଧାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସେ ବସ୍ଟି ଏକ ସ୍କୁଲ୍ ବସ୍ ବୋଲି କୁହାଯାଉଛି। ସସ୍ମିତାଙ୍କ ମା’ କନକ ପ୍ରଧାନଙ୍କ ସମେତ ଦୁଇଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଏମ୍ସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଫେରାର ଅଛି। ଅପରାହ୍ନ ପ୍ରାୟ ୩.୩୦ରୁ ୪ଟା ମଧ୍ୟରେ ଘଟିଥିବା ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ଯେ ଏହି ରାସ୍ତାଟି ଦୁର୍ଘଟଣାପ୍ରବଣ ପାଲଟି ସାରିଛି। ଏହାର ସମାଧାନ ପାଇଁ ଅନେକ ଦିନ ହେଲା ଦାବି କରାଯାଉଥିଲେ ହେଁ କେହି ଶୁଣୁ ନାହାନ୍ତି। ଏହି ରାସ୍ତାରେ ପୂର୍ବରୁ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ କାମ କରୁଥିବା ଜଣେ ମାଳି, ଜଣେ ଶିକ୍ଷକ ଓ ଜଣେ ଛାତ୍ରଙ୍କ ସମ୍ପର୍କୀୟାଙ୍କ ଜୀବନ ଅକାଳରେ ଯାଇଛି।
ବସ୍ ଧକ୍କାରେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଛାତ୍ରୀଙ୍କ ମୃତ୍ୟୁ
ଖୋର୍ଧା ଜିଲ୍ଲା ମନ୍ଦାରବସ୍ତର ଝିଅ ସସ୍ମିତା ଡାକ୍ତର ହେବାର ସ୍ବପ୍ନ ନେଇ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ହଷ୍ଟେଲରେ ରହି ପାଠ ପଢୁଥିଲେ। ଆସନ୍ତାକାଲି ତାଙ୍କ ଜେଜେ ମା’ଙ୍କ ଶ୍ରାଦ୍ଧ ବାର୍ଷିକୀ। ସେଥିପାଇଁ ତାଙ୍କୁ ଘରକୁ ନେବାପାଇଁ ସ୍କୁଟିରେ ମା’ ଖୋର୍ଧାରୁ ଆସିଥିଲେ। ମା, ଝିଅ ସ୍କୁଟିରେ ରାସ୍ତା ପାର ହେଉଥିଲେ। ଠିକ୍ ସେହି ସମୟରେ ଆଉ ଗୋଟିଏ ବାଇକ୍କୁ ପଛରେ ଆସୁଥିବା ବସ୍ ଧକ୍କା ଦେଇଥିଲା। ଫଳରେ ବାଇକ୍ଟି ସନ୍ତୁଳନ ହରାଇ ଏହି ମା, ଝିଅ ଯାଉଥିବା ସ୍କୁଟିକୁ ଧକ୍କା ଦେଇଥିଲା। ଫଳରେ ସସ୍ମିତା ତଳେ ପଡ଼ି ଯାଇଥିଲେ ଏବଂ ପଛରୁ ମାଡ଼ି ଆସୁଥିବା ବସ୍ଟି ତାଙ୍କ ଉପରେ ଚଢି ଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ସସ୍ମିତା, ତାଙ୍କ ମା ଏବଂ ବାଇକ୍ ଆରୋହୀଙ୍କୁ ଏମ୍ସକୁ ନେଇ ଯାଇଥିଲା। ଏମ୍ସରେ ଡାକ୍ତର ସସ୍ମିତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସେମାନଙ୍କ ପରିବାର ଲୋକ ଏମ୍ସର ଜରୁରିକାଳୀନ ବିଭାଗରେ ପହଞ୍ଚିଥିଲେ। ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ସସ୍ମିତାଙ୍କ ବାପାଙ୍କ ନାଁ ପର୍ଶୁରାମ ପ୍ରଧାନ। କିଛିଦିନ ପୂର୍ବରୁ ସେ ବାପାଙ୍କୁ ଫୋନ୍ କରି ତାଙ୍କୁ ଦେଖିବା ପାଇଁ ଇଚ୍ଛା ହେଉଛି ବୋଲି କହିଥିଲେ। ବାପା ମଧ୍ୟ ଶୀଘ୍ର ଯାଇ ତାଙ୍କୁ ଘରକୁ ନେଇ ଆସିବେ ବୋଲି ଜଣାଇଥିଲେ। ସସ୍ମିତା ଥିଲେ ବାପା ମା’ଙ୍କର ଏକମାତ୍ର ଝିଅ ଏବଂ ପରିବାରର ସବୁଠୁ ସାନ। ତାଙ୍କର ଦୁଇ ଭାଇ ଅଛନ୍ତି।
ଫୁଟ୍ ଓଭର୍ବ୍ରିଜ୍ ପାଇଁ ଦାବି
ଖଣ୍ଡଗିରି ଥାନାର ସୂଚନା ଅନୁସାରେ, ଦୁର୍ଘଟଣା ଘଟିଥିବା ଖଣ୍ଡଗିରି-ବରମୁଣ୍ଡା ଜାତୀୟ ରାଜପଥରେ ରାସ୍ତା ପାରିହେବା ଉଚିତ ନୁହେଁ। ମାତ୍ର ଲୋକେ ସେମିତି ନିୟମିତ ଭାବରେ କରୁଛନ୍ତି। ଖଣ୍ଡଗିରିରେ ଜାତୀୟ ରାଜପଥ ଧାରରେ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସହିତ ତପୋବନ ଉଚ୍ଚ ବିଦ୍ୟାଳୟ, ମଦର୍ସ ପବ୍ଲିକ ସ୍କୁଲ ଓ ବିକେ ଆର୍ଟ କଲେଜ ରହିଛି। ଲୋକେ ରାସ୍ତା ପାର୍ ହେବା ବେଳକୁ ବିଭିନ୍ନ ସମୟରେ ସେଠାରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଏଠାରେ ଫୁଟ୍ ଓଭର୍ବ୍ରିଜ୍ ନିର୍ମାଣ ସହିତ ଧୀରଗତିରେ ଗାଡ଼ି ଚଳାଇବା ପାଇଁ ସାଇନ୍ ବୋର୍ଡ ଲଗାଇବା ଲାଗି ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପକ୍ଷରୁ ଅନୁରୋଧ କରାଯାଇଛି।