ଟ୍ରକ ପଛରେ ପିଟିଲା ବସ୍‌, ଦୁଇ ଗୁରୁତର

ରଗଡ଼ି/ରାମଚନ୍ଦ୍ରପୁର: କେନ୍ଦୁଝର-ଯାଜପୁର ଜିଲ୍ଲା ସୀମାନ୍ତ ୨୦ ନମ୍ବର ଜାତୀୟ ରାଜପଥ ଅନ୍ଧାରି ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ କେନ୍ଦୁଝରରୁ ଭୁବନେଶ୍ବର ଯାଉଥିବା ଏକ ‌ଯାତ୍ରୀବାହୀ ବସ୍(ଓଡି୦୨ଭି ୫୦୯୭) ରାସ୍ତା କଡରେ ଠିଆ ହୋଇଥିବା ଏକ ୧୪ ଚକିଆ ଟ୍ରକ(ଓଡି୦୪ ଏନ୍ ୪୨୦୪) ପଛରେ ପିଟି ହୋଇଯିବାରୁ  ଅନେକ ଯାତ୍ରୀ ଆହାତ ହୋଇଛନ୍ତି। ଏଥିରେ  ବସର କଣ୍ତକ୍ଟର ଏବଂ ଖଲାସି ଗୁରୁତର ଆହାତ ହୋଇଛନ୍ତି।

ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି  ଆମ୍ବୁଲାନ୍ସ ଯୋଗେ ସମସ୍ତ ଆହତ ଯାତ୍ରୀଙ୍କୁ ଯାଜପୁର କ୍ଷେତ୍ରୀୟ ହସ୍ପିଟାଲକୁ ପଠାଇଥିଲେ।  ପରେ ଗୁରୁତର ଆହାତ କଣ୍ତକ୍ଟର ଏବଂ ଖଲାସିଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଗୁରୁତର ଆହତ କଣ୍ଟକ୍ଟର ଘସିପୁରା ଥାନା ନୂଆପଡା ଗ୍ରାମର ଭାଗୀରଥି ମଲ୍ଲିକ (୫୦) ଏବଂ ଖଲାସି ଧକୋଠା ଅଞ୍ଚଳର ପବନା ସାହୁ (୩୦)। ସୂଚନା ଅନୁସାରେ ବସ୍‌ ଚାଳକଙ୍କ ଆଖି ଲାଗି ଯିବାରୁ ଏପରି ଦୁର୍ଘଟଣା ଘଟିଥିବା କେତେକ ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର