ପୁରୀ : ବିଶ୍ବପ୍ରସିଦ୍ଧ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବଡ଼ଦାଣ୍ଡରେ ଜଣେ ମୃତ ବ୍ୟକ୍ତିଙ୍କ ମାଲିକାନାରେ ଦୁଇଟି ଟାଉନ୍ ବସ୍ ଗଡ଼ୁଛି ବୋଲି ଅଭିଯୋଗ ହୋଇଛି। ଏହି ଅଭିଯୋଗ ଶ୍ରୀଜଗନ୍ନାଥ ଟାଉନ୍ ବସ୍ ମାଲିକ ସଂଘ ପକ୍ଷରୁ କରାଯାଇଛି। ସଂଘ ପକ୍ଷରୁ ଅଭିଯୋଗ ହୋଇଛି ଯେ ତୀର୍ଥସ୍ଥଳୀ ପୁରୀ ସହରକୁ ବହୁ ଯାତ୍ରୀଙ୍କୁ ସେବା ଯୋଗାଇବାରେ ଟାଉନ ବସ୍ ମାଲିକ ସଂଘ ସର୍ବଦା ତତ୍ପର ଅଛି। ତେବେ ପୁରୀ ବଡ଼ଦାଣ୍ଡରେ ଜଣେ ମୃତ ବ୍ୟକ୍ତିଙ୍କ ମାଲିକାନାରେ ଦୁଇଟି ଟାଉନ ବସ୍ ଓଆର୍-୧୩-ଇ-୫୧୬୧ ଏବଂ ଓଆର୍-୦୨-ଏଆର୍-୦୫୩୩ ନମ୍ବରରେ ଚଳାଚଳ କରୁଥିବା ନେଇ ଅଭିଯୋଗ କରାଯାଇଛି। ଏହି ବସ୍ର ମାଲିକ କୃଷ୍ଣଚନ୍ଦ୍ର ଦାସଙ୍କର ଗତ ୬ ମାସ ପୂର୍ବରୁ ମୃତ୍ୟୁ ହୋଇଥିଲା। ଅଦ୍ୟାବଧି ୬ ମାସ ବିତି ଯାଇଥିବା ବେଳେ ସଂଘର ବାରମ୍ବାର ତାଗିଦ୍ ସତ୍ବେ ଏହାର ମାଲିକାନା ପଦ ବଦଳାଯାଉନାହିଁ। ତେଣୁ ଏଥିପ୍ରତି ଧ୍ୟାନ ଦେବାକୁ ସଂଘ ପକ୍ଷରୁ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଅନୁରୋଧ ହୋଇଛି।
ଏହି ବସ୍ ଦ୍ବାରା ଯଦି କୌଣସି ଦୁର୍ଘଟଣା ଘଟେ ତେବେ କ୍ଷତିପୂରଣ ବା ମାମଲାର ସମ୍ମୁଖୀନ ହେବାକୁ ମୃତ ବ୍ୟକ୍ତି ଆସିବା ଅସମ୍ଭବ। ତେଣୁ ଏହି ବସ୍ ଚଳାଚଳକୁ ବନ୍ଦ କରିବାକୁ ସଂଘ ପକ୍ଷରୁ ଅଡିଟର ଚନ୍ଦ୍ରକୁମାର ପାଢ଼ୀ ଦାବି କରିଛନ୍ତି। ଏ ସମ୍ପର୍କରେ ସଂଘର ସମ୍ପାଦକ ପ୍ରିୟରଞ୍ଜନ ଜେନାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆସନ୍ତାକାଲି ଏନେଇ ଆମେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ସାକ୍ଷାତ କରି ଅଭିଯୋଗ କରିବୁ। ଏ ସମ୍ପର୍କରେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ କହିଛନ୍ତି ଯେ ଏହି ଅଭିଯୋଗ ମିଳିଛି। ଆସନ୍ତାକାଲି ଏ ସମ୍ପର୍କରେ ଯାଞ୍ଚ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।