ପୁରୀ : ଏଣିକି ଦିନବେଳା ମଧ୍ୟ ସ୍ଲିପର୍ ବସ୍ ଦୂର ସ୍ଥାନକୁ ଯାତ୍ରା କରିପାରିବେ। ଦିନରେ ଦୂରକୁ ଯାତ୍ରା କରିବାକୁ ଚାହୁଁଥିବା ଗାଡ଼ିମାଲିକଙ୍କୁ ଏଣିକି ପରମିଟି ମିଳିବ। ବସ୍ ମାଲିକମାନେ ସେମାନଙ୍କ ବସ୍ ବିକ୍ରି କରିବାକୁ ଚାହୁଁଥିଲେ, ବସ୍ ସହ ପରମିଟ ମଧ୍ୟ ବିକ୍ରି କରିପାରିବେ। ବସ୍ ଚଳାଚଳ ଓ ଏହି ବ୍ୟବସାୟ କ୍ଷେତ୍ରକୁ ମଜବୁତ ଓ ସ୍ବଚ୍ଛତା ଲାଗି ‘ପରିବହନ ନୀତି’ ବାବଦରେ ସରକାରଙ୍କ ସହ ଆଲୋଚନା କରାଯିବ ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି। ରାଜ୍ୟ ବସ୍ ମାଲିକ ସଂଘର ରାଜ୍ୟସ୍ତରୀୟ ଅଧିବେଶନକୁ ଉଦ୍ଘାଟନ କରି ଶ୍ରୀମତୀ ସାହୁ ଏହା କହିଛନ୍ତି।
ଟାଉନ ହଲ୍ରେ ସଂଘର ସଭାପତି ଲୋକନାଥ ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦୁଇଦିନିଆ ଅଧିବେଶନରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଅତିଥି ଭାବେ ଯୋଗଦେଇ କହିଲେ, ପ୍ରଶାସକ ଓ ଅଧିକାରୀଙ୍କ ଦ୍ବାରା ପରିବହନ ନୀତି ପ୍ରସ୍ତୁତ ନହୋଇ ବସ୍ ଚଳାଉଥିବା ସଂଘର ସଦସ୍ୟ ପ୍ରତିନିଧିଙ୍କୁ ନେଇ ନୀତି ପ୍ରସ୍ତୁତ ହେବା ଉଚିତ ବୋଲି କହିଥିଲେ। ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁ ଗୋଟିଏ ବସ୍କୁ ୧୫ ବର୍ଷ ପରିବର୍ତ୍ତେ ୨୦ ବର୍ଷ ପର୍ଯ୍ୟନ୍ତ ଚାଲିବାକୁ ଅନୁମତି ଦେବାକୁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ସଂଘର କୋଷାଧ୍ୟକ୍ଷ ବରଦା ପ୍ରସନ୍ନ ଆଚାର୍ଯ୍ୟ ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନରେ କର ପଇଠ ବ୍ୟବସ୍ଥା କରିବାକୁ ଦାବି କରିଥିଲେ। ଏହି ଅବସର ସଂଘର ମୁଖପାତ୍ର ଦେବାଶିଷ ନାୟକ,ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ, ସଂଘର ଦେବବ୍ରତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ସଂଘର ଏକ ୱେବ୍ସାଇଟ୍ ଓ ଲୋଗୋ ଅତିଥିଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। କର୍ଣ୍ଣାଟ କେଶରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।