ବ୍ୟବସାୟୀଙ୍କୁ ଉଠାଇଆଣିଲା କମିସନରେଟ୍ ପୁଲିସ: ୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ପୁଲିସକୁ ଆକ୍ରମଣ କରି ସ୍ତ୍ରୀ ଗିରଫ

ଆନନ୍ଦପୁର: ବ୍ୟବସାୟୀ ତଥା ଆନନ୍ଦପୁର ଅଞ୍ଚଳର ଉମେଶ ପାଢ଼ୀଙ୍କୁ ଭୁବନେଶ୍ବର କମିସନରେଟ୍ ପୁଲିସ୍ ଉଠାଇଆଣିଛି। ତାଙ୍କ ବିରୋଧରେ ୨୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ରହିଛି। ସେ ଘସିପୁରା ଥାନା ୧୩ ନମ୍ବର ୱାର୍ଡ ସିଂହସାହିରେ ଏକ ଭଡ଼ାଘରେ ରହୁଥିଲେ। ଆଜି ସକାଳେ ଘସିପୁରା ପୁଲିସ ଓ କମିସନରେଟ୍ ପୁଲିସ ମିଳିତ ଚଢ଼ଉ କରି ତାଙ୍କୁ ଗିରଫ କରିଛି। ତାଙ୍କ ଘରୁ ଏକ କାର୍‌ ମଧ୍ୟ ଜବତ ହୋଇଛି। ଉମେଶଙ୍କୁ ଗିରଫ ସମୟରେ ତାଙ୍କ ପତ୍ନୀ ଶର୍ମିଳା ପ୍ରଥମେ ପୁଲିସକୁ ଗାଳିଗୁଲଜ କରିଥିଲେ। ଏହାପରେ ଆକ୍ରମଣ ମଧ୍ୟ କରିଥିଲେ। ଫଳରେ ପୁଲିସକୁ ଦୁଇଘଣ୍ଟା ନାକେଦମ ହେବାକୁ ପଡ଼ିଥିଲା। ତାଙ୍କୁ ମଧ୍ୟ ଗିରଫ କରି କୋର୍ଟଚାଲାଣ କରାଯାଇଛି। ଉମେଶ ଭୁବନେଶ୍ବର ନୀଳାଦ୍ରି ବିହାରର ସନ୍ତୋଷ କୁମାର ସାହୁଙ୍କଠାରୁ ଔଷଧ ବ୍ୟବସାୟ କରିବା ଉଦ୍ଦେଶ୍ୟରେ ୨୦ ଲକ୍ଷ ଟଙ୍କା ଆଣିଥିଲେ। ଏହାପରେ ଆଉ ଧରାଛୁଆଁ ଦେଇନଥିଲେ। ଏ ନେଇ ସନ୍ତୋଷ ଚନ୍ଦ୍ରଶେଖରପୁର ଥାନ‌ାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଉମେଶ ଅନ୍ୟ କେତେକ ବ୍ୟକ୍ତିଙ୍କଠାରୁ ଟଙ୍କା ଠକି ନେଇଥିବା ସୂଚନା ମିଳିଛି ବୋଲି ଘସିପୁରା ଥାନା ଅଧିକାରୀ ଶ୍ୟାମଘନ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର