କେନାଲ୍‌ ପାଣି ବନ୍ଦ, ଜଳାଶୟ ଶୁଖିଲା

ବରଗଡ଼: ବରଗଡ଼ ସହରରେ ବର୍ଦ୍ଧିତ ଜନସଂଖ୍ୟା ଦୃଷ୍ଟିରୁ ଭିତ୍ତିଭୂମିର ବିକାଶ ଘଟୁଛି। କୋଠାବାଡ଼ି ସମେତ ଦୋକାନ ବଜାର ଗଢ଼ି ଉଠୁଛି। ଏସବୁ ଭିତରେ ସାଂଘାତିକ ଜବରଦଖଲ ଜାରି ରହିଛି। ପରିତ୍ୟକ୍ତ ପଡ଼ିଆ, ସରକାରୀ ଜାଗା ଏପରିକି ଜଳାଶୟଗୁଡ଼ିକ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହିଁ। ସହରରେ ଏମିତି ବେଆଇନ୍‌ ବସ୍ତି ଗଢ଼ି ଉଠିଛି ଯେ ସରକାରୀ ଖାତାରେ ସେଗୁଡ଼ିକର ନାମ ମଧ୍ୟ ନାହିଁ। ଜଳାଶୟ ଗୁଡ଼ିକ ବର୍ତମାନ ନିଶ୍ଚିହ୍ନ ହେବା ଉପରେ। ସହରରେ ବର୍ତମାନ ୨୦ରୁ ଅଧିକ ପୋଖରୀ ରହିଛି। ଏକଦା ଏଗୁଡ଼ିକ ଲୋକଙ୍କ କାମରେ ଲାଗୁଥିଲା।

ଗାଧୁଆପାଧୁଆ ସହ ଲୋକେ ପାଣି ମଧ୍ୟ ପିଉଥିଲେ। ପୋଖରୀଗୁଡ଼ିକୁ ଜଳଭର୍ତି କରିବା ସକାଶେ କେନାଲ୍‌ରୁ ଛୋଟ ନାଳାରେ ପାଣି ଆସୁଥିଲା। କାଳକ୍ରମେ ଏସବୁ ନାଳା ଏବେ ନର୍ଦ୍ଦମାରେ ପରିଣତ ହେଲାଣି। ପୂର୍ବରୁ ମାଛ ଚାଷ ହେଉଥିବା ପୋଖରୀଗୁଡ଼ିକ ପୋତି ହୋଇଗଲାଣି। ସବୁ ଟାଂଗରା ଜମି ଭଳି ପରିଲକ୍ଷିତ ହେଉଛି। ବର୍ତମାନ ରବି ଧାନ ଅମଳ ଚାଲିଥିବାରୁ କେନାଲ୍‌ରେ ପାଣି ଛାଡ଼ିବା  ବନ୍ଦ ରହିଛି। ପ୍ରାୟ ମାସେରୁ ଅଧିକ ସମୟ ଧରି କେନାଲ୍‌ରେ ପାଣି ଆସିବ ନାହିଁ। ସହରର ଅଧିକାଂଶ ବସ୍ତିବାସିନ୍ଦା କେନାଲ୍‌ ପାଣିକୁ ଗାଧୋଇବା ପାଇଁ ବ୍ୟବହାର କରୁଥିଲେ। ଆଗକୁ ଖରା ବଢ଼ିବ, କିନ୍ତୁ ଏବେ ଗା‌େଧାଇବା ପାଇଁ ପାଣି ନିଅଣ୍ଟ। ସହର ଭିତରେ ଥିବା ଜଳାଶୟ ଶୁଖି ଯାଇଛି। ‌ସେହିପରି ଅଧିକାଂଶ ଜଳାଶୟ ଏବେ  ଜବରଦଖଲକାରୀଙ୍କ କବ୍‌ଜାରେ।

ୱାର୍ଡ ନମ୍ବର ୬‌ରେ ରହିଛି ରାଜାରାଣୀ ବନ୍ଧ ଓ ଦୋରା ବନ୍ଧ। ୨୦୨୦ ମସିହାରେ ଦୋରାବନ୍ଧର ପୁନରୁଦ୍ଧାର କରାଯାଇଥିଲା। କିନ୍ତୁ ଏବେ ହିଡ଼ର ଚାରିପଟେ ପଥର, ଇଟା ପକାଯାଇ ପୋଖରୀ ଭିତରେ ଜବରଦଖଲ ହୋଇଛି। ସେହିପରି ୱାର୍ଡ ନମ୍ବର ୩ର ମଝଲି ବନ୍ଧ, ୱାର୍ଡ ନମ୍ବର ୨ର ନିଲି ବନ୍ଧ, ୱାର୍ଡ ନମ୍ବର ୧ର ଭୁରସୁଲ ବନ୍ଧର ଚାରିପଟ ଅକ୍ତିଆର ହୋଇସାରିଛି। ଏସବୁ ଜଳାଶୟ ସଂପୂର୍ଣ୍ଣ ଟାଂଗରା ଦେଖାଯାଉଛି। ଏଣେ କେନାଲ୍‌ରେ ଜଳଯୋଗାଣ ବନ୍ଦ ଥିବାରୁ ଲୋକେ ନାହିଁ ନଥିବା ଜଳକଷ୍ଟର ସମ୍ମୁଖୀନ ହେଉଛନ୍ତି।

ସମ୍ବନ୍ଧିତ ଖବର