ନାକରେ କାନ୍ଦିଲା ରାଜଧାନୀ: ସବୁଆଡୁ ଜାମ କରିଦେଲେ, ସମସ୍ତେ ନାକେଦମ

ଭୁବନେଶ୍ବର: ରାତି ପାହିବା ବେଳକୁ ଠେଙ୍ଗା ବାଡ଼ି ଧରିଥିବା ଡ୍ରାଇଭରମାନେ ରାଜଧାନୀ ରାଜରାସ୍ତାକୁ ସବୁଆଡ଼ୁ ଜାମ୍‌ କରିଥିଲେ। ଯୁଆଡ଼େ ଚାହିଁଲେ ଖାଲି ଖାକି ପୋଷାକକ ପିନ୍ଧା ଡ୍ରାଇଭର ଆଉ ଡ୍ରାଇଭର। ପଳାସୁଣୀରୁ ବରମୁଣ୍ଡା ପର୍ଯ୍ୟନ୍ତ ଜାତୀୟ ରାଜପଥ ଜାମ୍‌। ଆଚ‌ାର୍ଯ୍ୟ ବିହାରରୁ ଏଜି ଛକ, ଜୟଦେବ ବିହାରରୁ ପାୱାରହାଉସ୍‌, କଟକରୋଡ୍‌, ମାଷ୍ଟରକ୍ୟା‌ଣ୍ଟିନ୍‌, ରାଜମହଲ ଛକ ସବୁଆଡ଼େ ମାଳମାଳ ଠେଙ୍ଗାଧାରୀ ଗାଡ଼ିଚାଳକ। ସହରର ଗଳିକନ୍ଦି ରାସ୍ତାରେ ବି ସେମାନଙ୍କ ଭିଡ଼। ଗାଡ଼ି ଗଡ଼ିବା ତ ଦୂରର କଥା ପାଦରେ ଚାଲିଚାଲି ଯିବା କଷ୍ଟକର ହୋଇପଡ଼ିଲା। ଯିଏ‌ ଯେଉଁ କାମରେ ବାହାରିଥିଲେ ବି ଅଧାବାଟରେ ଅଟକି ରହିଯାଇଥିଲେ। ଗୋଟିଏ ପଟେ ୪୦ ଡିଗ୍ରିରେ ରାଜଧାନୀ ଖଇ ଫୁଟୁଥିବା ବେଳେ ରାସ୍ତା ମାଝିରେ ଗାଡ଼ି ଚାଳକଙ୍କ ଉତ୍ପାତରେ ଅସ୍ତବ୍ୟସ୍ତ ହୋଇପଡ଼ିଲେ ରାଜଧାନୀବାସୀ। କାହାର ହୋସ୍‌ ଉଡ଼ିଗଲା ତ ଆଉ କିଏ ପାଣି ମୁନ୍ଦାଏ ପାଇଁ ରାସ୍ତା ଉପରେ ଆଉଟୁପାଉଟୁ ହେଲା। ମଧ୍ୟାହ୍ନରେ ଟାଇଁ ଟାଇଁ ଖରାରେ ରାସ୍ତା ଉପରେ ସିଜିଥିଲେ ଲକ୍ଷାଧିକ ଲୋକେ। କିଏ ବାଣୀବିହାରରେ ଫସିଥିଲେ ତ ଆଉ କିଏ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ।

ଟ୍ରାଫିକ୍‌ ବ୍ୟବସ୍ଥା ବିଗିଡ଼ି ଯାଇଥିଲା। ଏହି ସମୟରେ କୌଣସି ବି ଗୋଟିଏ ଟ୍ରାଫିକ୍‌ ପୋଷ୍ଟ ଠିକ୍‌ ଭାବେ କାର୍ଯ୍ୟ କରିନଥିଲା। ଟ୍ରାଫିକ୍‌ ପୁଲିସ ଅଧିକାରୀ ହାତ ଟେକି ଦେଇଥିଲେ। ପୋଷ୍ଟରେ ଟ୍ରାଫିକ୍‌ ପରିଚାଳନା କରିବା ବଦଳରେ ଛାଇ ତଳେ ବିଶ୍ରାମ ନେଇଥିଲେ। ଟ୍ରାଫିକ୍‌ ଭିଡ଼ ରୋକିବାକୁ ତଥା ନିୟନ୍ତ୍ରଣ କରିବାକୁ ସାହାସ ଜୁଟାଇପାରି ନ ଥିଲେ। ଯେଉଁଥିପାଇଁ ପ୍ରତି ମିନିଟ୍‌ରେ ରାଜଧାନୀର ସମସ୍ତ ଛକରେ ଶତାଧିକ ଗାଡ଼ି ଅଟକି ରହିଥିଲା। ଶବ୍ଦ ପ୍ରଦୂଷଣରେ ସମସ୍ତେ ଅଣନିଃଶ୍ବାସୀ ହୋଇପଡ଼ିଥିଲେ।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ବିଧାନସଭା ସମ୍ମୁଖ ପରି ସମ୍ବେଦନଶୀଳ ଅଞ୍ଚଳରେ ହଜାର ହଜାର ଗାଡ଼ି ଡ୍ରାଇଭର ନିଜର ଶକ୍ତି ପ୍ରଦର୍ଶନ କରିଥିଲେ ମଧ୍ୟ ପୁଲିସ ପୂର୍ବରୁ ଆକଳନ କରିପାରିନଥିଲା। ଅନ୍ୟ ସଙ୍ଗଠନଗୁଡ଼ିକର ଆନ୍ଦୋଳନ ବେଳେ ପୁଲିସ ଯେତିକି ସକ୍ରିୟ ରହେ, ଆଜି ପୁଲିସ ତା’ଠୁ ଅଧିକ ନିରବତା ଅବଲମ୍ବନ କରିଥିଲା। କିଛି ସମୟ ପାଇଁ ଚାଳକମାନେ ଆତଙ୍କରାଜ ଚଳାଇଲେ ବି ପୁଲିସ ଚୁପ୍‌ ରହିଥିଲା। ବିଶେଷକରି ଅପରାହ୍ଣ ପ୍ରାୟ ୨ଟା ବେଳେ ଚାଳକମାନେ ହଠାତ୍‌ ବାଣୀବିହାର ଛକରେ ଆତଙ୍କ ଖେଳାଇବା ସହ ରାଜପଥରେ ଆସୁଥିବା ଗାଡ଼ିକୁ ଅଟକାଇ ଭଙ୍ଗାରୁଜା କରିଥିଲେ। ଦୋକାନ ବଜାରରରେ ପଶି ଭାଙ୍ଗିଥିଲେ। ସେମାନଙ୍କ ଆତଙ୍କ ଦେଖି ଭୟରେ ଲୋକେ ଦୌଡ଼ାଦୌଡ଼ି କରିଥିଲେ। କିଛି ଲୋକ ବାଟ ଭାଙ୍ଗି ପଳାଇଥିଲେ। ୧୬ ନମ୍ବର ଜାତୀୟ ରାଜପଥରେ ଅଖଚକ ବନ୍ଦ ହୋଇଯାଇଥିଲା। ତେବେ ପୁଲିସ ହସ୍ତକ୍ଷେପ କରରିବା ପରେ ସ୍ଥିତି ଆୟତକୁ ଆସିଥିଲା।

୧୨ ଅଟକ, ରୁଜୁ ହେଲା ମାମଲା

ଚାଳକମାନେ ରାଜଧାନୀରେ ଉଗ୍ର ସ୍ବଭାବ ଢଙ୍ଗରେ ପ୍ରତିବାଦ କଲେ। କେଉଁଠି ଗାଡ଼ି ଭାଙ୍ଗିଲେ ତ କେଉଁଠି ପୁଲିସ ସହ ଠେଲାପେଲା କରି ବ୍ୟାରିକେଡ୍‌ ଭାଙ୍ଗି ବିଧାନସଭା ଆଡ଼କୁ ଧସେଇ ପଶିବାକୁ ଚେଷ୍ଟା କଲେ। ଲୋକଙ୍କୁ ନାଲିଆଖି ଦେଖାଇଲେ। ଏନେଇ କ୍ୟାପିଟାଲ୍‌ ଥାନା ଠାରୁ ଆରମ୍ଭ କରି ଖାରବେଳନଗର, ସହିଦନଗର, ମଞ୍ଚେଶ୍ବର ବିଭିନ୍ନ ଥାନାରେ ଏକାଧିକ ମାମଲା ରୁଜୁ କରାଯାଇଛି। ସେହିପରି ପୁଲିସ ୧୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଉତ୍ତେଜନା ଘଟିଥିବା ବିଭିନ୍ନ ସ୍ଥାନରେ ଥିବା ସିସିଟିଭିକୁ ମଧ୍ୟ ଯାଞ୍ଚ କରାଯାଉଛି। ସମ୍ପୃକ୍ତ ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି।

ଆମ୍ବୁଲାନ୍ସକୁ ଛାଡ଼ିଲେନି

ଭିଡ଼ ଭିତରେ ଫଶିଥିଲା ଆମ୍ବୁଲାନ୍ସ। ରୋଗୀଙ୍କୁ ନେଇ ମେଡିକାଲ ଯାଉଥିବା ଆମ୍ବୁଲାନ୍ସ ଅଧା ବାଧରେ ଅଟକି ରହିଥିଲା। ଜନପଥରେ ରାସ୍ତା ଜାମ୍‌ ଯୋଗୁଁ ରୋଗୀଙ୍କୁ ନେଇ ଯାଉଥିବା ଗାଡ଼ି ଆଗକୁ ବଢ଼ିପାରି ନ ଥିଲା। ଆନ୍ଦୋଳନରତ ଗାଡ଼ି ଡ୍ରାଇଭରମାନେ ସ୍କୁଟିକୁ ଆମ୍ବୁଲାନ୍ସ ଆଗକୁ ଠେଲିବାର ଦୃଶ୍ୟ ସାମ୍ନାକୁ ଆସିଥିଲା। ସର୍ବ ସମ୍ମୁଖରେ ଏଭଳି ସ୍ଥିତି ଉପୁଜିଥିଲେ ମଧ୍ୟ କେହି ରୋକିବାକୁ ସାହାସ ଜୁଟାଇପାରି ନ ଥିଲେ। ଆନ୍ଦୋଳନକାରୀଙ୍କ ହାତରେ ଠେଙ୍ଗା ଥିବାରୁ ପୁଲିସ ବି ଭୟରେ ପଛଘୁଞ୍ଚା ଦେଇଥିଲା।

ସମ୍ବନ୍ଧିତ ଖବର