ଭୁବନେଶ୍ବର: ମୁଣ୍ଡ ନେବାରେ ଲାଗିଛି ରାଜଧାନୀର ମୁକୁଳା ନାଳ। ପ୍ରତିବର୍ଷ କେହି ନା କେହି ମୁକୁଳା ନାଳରେ ପଡ଼ି ମରୁଛନ୍ତି। ବିଶେଷ କରି ବର୍ଷା ଦିନରେ ଏଭଳି ଅଘଟଣ ଅଧିକ। ଗତ ୧୦ ବର୍ଷ(୨୦୧୫ରୁ ୨୦୨୫ ମସିହା) ଭିତରେ ରାଜଧାନୀରେ ୧୦ରୁ ଅଧିକ ମୁଣ୍ଡ ନେଲାଣି ଏହି ମୁକୁଳା ନାଳ। ଯାହାର ସ୍ଥାୟୀ ପ୍ରତିକାର ଅତ୍ୟାବଶ୍ୟକ ହୋଇପଡ଼ିଛି। ଶୀଘ୍ର ମୌସୁମୀ ଓଡ଼ିଶା ଛୁଉଁଥିବାବେଳେ ଏଭଳି ଅଘଟଣକୁ ନେଇ ରାଜଧାନୀବାସୀଙ୍କ ଚିନ୍ତା ବଢ଼ିଛି। ସେପଟେ ପ୍ରତିବର୍ଷ ନାଳରେ ପଡ଼ି କାହାର ମୃତ୍ୟୁ ହେଲେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ତମ୍ବିତୋଫାନ ହେଉଛି। ସବୁ ନାଳରେ ସ୍ଲାବ୍ ପକାଇବାକୁ ନିର୍ଦ୍ଦେଶ ହେଉଛି। ଖୋଲା ନାଳ ଅନୁଧ୍ୟାନ ପାଇଁ ସ୍ବତନ୍ତ୍ର କମିଟି ଗଠନ କରାଯାଉଛି। କିନ୍ତୁ ଏହା କେବଳ ଭାଷଣବାଜି ଓ କାଗଜକଲମରେ ସୀମିତ ରହୁଛି। ପ୍ରକୃତ ସ୍ଥିତି ସଂପୂର୍ଣ୍ଣ ଭିନ୍ନ। ଅଦ୍ୟାବଧି ମୁଖ୍ୟନାଳ ପାର୍ଶ୍ବ ସଂପୂର୍ଣ୍ଣ ବ୍ୟାରିକେଡିଂ ହୋଇପାରିନି କି ଶାଖା ନାଳରେ ସ୍ଲାବ୍ ପକାଇବା ସଂପୂର୍ଣ୍ଣ ହୋଇପାରିନି। ନିକଟରେ ଖୋଲା ଡ୍ରେନ୍ରେ ପଡ଼ି ଖଣ୍ଡୁଆବସ୍ତିର ଶାନ୍ତନୁ ରାଉତ(୩୫)ଙ୍କ ମୃତ୍ୟୁ ହେବା ପରେ ଚଳିତବର୍ଷର ବର୍ଷାଦିନକୁ ନେଇ ରାଜଧାନୀବାସୀ ଚିନ୍ତା ପ୍ରକଟ କରିଛନ୍ତି। ମୁକୁଳା ନାଳର ମୃତ୍ୟୁ ଉପରେ ନଜର ପକାଇଲେ, ଶାନ୍ତନୁଙ୍କ ପୂର୍ବରୁ ଗତବର୍ଷ ଜଣେ ୯ ବର୍ଷର ଛାତ୍ରଙ୍କ ମୃତ୍ୟୁ ହୋଇଥିଲା, ଯାହା ରାଜ୍ୟ ରାଜନୀତିକୁ ହୁଲସ୍ତୁଲ କରିଥିଲା। ୨୦୨୪ ଜୁନରେ ୟୁନିଟ୍-୩ ମସ୍ଜିଦ୍ କଲୋନିରେ ନାଳରେ ଭାସିଯାଇ ଏସ୍ କେ ରାଜେଶ(୯)ଙ୍କ ମୃତ୍ୟୁ ହୋଇଥିଲା। ବେଲୁନ୍ ଆଣିବାକୁ ଯାଇ ନାଳରେ ପଡ଼ି ଭାସିଯାଇଥିଲେ ରାଜେଶ। ଏହି ଘଟଣାରେ ଭୁବନେଶ୍ବର ମହାନଗର ନିଗମର ଜଣେ ଆସିଷ୍ଟାଣ୍ଟ୍ ଇଂଜିନିୟରଙ୍କୁ ନିଲମ୍ବିତ କରାଯାଇଥିଲା।
ପ୍ରତିବର୍ଷ ଅକାଳରେ ଝଡ଼ିଯାଉଛି ଜୀବନ
୬୮.୭ କିଲୋମିଟର ମୁଖ୍ୟ ଓ ୨୭ କିଲୋମିଟର ଶାଖାନାଳ ମୁକୁଳା ପଡ଼ିଛି
ବର୍ଷା ପାଇଁ ପ୍ରସ୍ତୁତ ଅଛୁ: ସିଟି ଇଂଜିନିୟର
ଏହା ପୂର୍ବରୁ ୨୦୨୨ ମସିହାରେ ପତିତପାବନନଗରରେ ଗୌତମ ରେଡ୍ଡି(୪), ୨୦୨୧ ମସିହାରେ ଶିରିପୁର ଶତାଦ୍ଦୀନଗରରେ ଦଶମଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶ ବେହେରା(୧୫), ୨୦୧୯ରେ ଏକାମ୍ରଭିଲ୍ଲା ରୋଡ୍ରେ ଏ. ଆପଲାମା, ୨୦୧୮ରେ ୟୁନିଟ୍-୬ ପିଚୁପଦିଆରେ ହରି ପଟ୍ଟନାୟକ, ୨୦୧୭ରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଦୁଇଜଣ, ୨୦୧୫ରେ ନୟାପଲ୍ଲୀ ମମତାଜ୍ ଅଲ୍ଲୀ ହାଇସ୍କୁଲ ନିକଟରେ ଜଣେ ୯ ବର୍ଷର ବାଳକଙ୍କ ନାଳରେ ଭାସି ମୃତ୍ୟୁ ହୋଇଥିଲା। ଏହା ବାଦ୍ ଆହୁରି ଅନେକଙ୍କ ବି ନାଳରେ ପଡ଼ି ମୃତ୍ୟୁ ହୋଇଛି। ଭୁବନେଶ୍ବର ମହାନଗର ନିଗମ ଅଧୀନରେ ୧୪୦୦ କିଲୋମିଟର, ପୂର୍ତ୍ତ ବିଭାଗ ଅଧୀନରେ ୩୬୦ କିଲୋମିଟର, ଇଡ୍କୋ ଅଧୀନରେ ୬୫ କିଲୋମିଟର ଓ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଅଧୀନରେ ୩୪.୫ କିଲୋମିଟର ନାଳ ରହିଛି। ୧୧ଟି ମୁଖ୍ୟ ନାଳ ରହିଛି, ଯାହାର ଲମ୍ବ ୭୭ କିଲୋମିଟର। ଗତ ସେପ୍ଟେମ୍ବର ବିଧାନସଭା ଅଧିବେଶନ ବେଳେ ଭୁବନେଶ୍ବରର ମୁକୁଳା ନାଳରେ ପଡ଼ି ମୃତ୍ୟୁକୁ ନେଇ ତମ୍ବିତୋଫାନ ହୋଇଥିଲା। ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ଦେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଥିଲେ, ଭୁବନେଶ୍ବର ମହାନଗର ନିଗମରେ ୬୮.୭ କିଲୋମିଟର ମୁଖ୍ୟ ନାଳ ଓ ୨୭ କିଲୋମିଟର ଶାଖା(ଇଣ୍ଟରନାଲ୍) ନାଳ ମୁକୁଳା ରହିଛି।
ସରକାର ଏହି ଖୋଲା ନାଳର ବ୍ୟାରିକେଡିଂ ଓ ସ୍ଲାବ୍ ପକାଇବା ପାଇଁ ଯୋଜନା କରିଛନ୍ତି। କିନ୍ତୁ ଏବେ ବି ବହୁ ଜାଗାରେ ନାଳ ମୁକୁଳା ପଡ଼ିଛି। ବିଏମ୍ସି ସିଟି ଇଂଜିନିୟର ଇଂ. ବିଳାଶ କୁମାର ବେହେରା କହିଛନ୍ତି, ବର୍ଷା ପୂର୍ବରୁ ଆମେ ପୂର୍ଣ୍ଣ ପ୍ରସ୍ତୁତ ଅଛୁ। ଯେଉଁ ମୁକୁଳା ଡ୍ରେନ୍ ଥିଲା, ସବୁ ପ୍ରାୟ ସ୍ଲାବ ପକା ସରିଛି। ବିଏମ୍ସିର ୧୪୦୦ କିଲୋମିଟର ନାଳରୁ ଆଉ ମାତ୍ର ୭/୮ କିଲୋମିଟର ନାଳ ସ୍ଲାବ ପଡ଼ିବା ବାକି ରହିଛି। ଯାହା କିଛି ଗଳିରେ ରହିଛି ଓ ଏହି ନାଳ ସବୁର ଗଭୀରତା ଦେଢ଼ ମିଟର ହେବ। ଏହାର ଟେଣ୍ଡର ସରିଛି, କାମ ବି ଯଥାଶୀଘ୍ର ଆରମ୍ଭ ହେବ। ବାକି ମୁଖ୍ୟ ନାଳରେ ସ୍ଲାବ ନ ପକାଇବାକୁ ଏନ୍ଜିଟିଙ୍କ ନିର୍ଦ୍ଦେଶ ରହିଛି। ଏଣୁ ଏହାର ଦୁଇପାର୍ଶ୍ବରେ ବ୍ୟାରିକେଡିଂ କରାଯାଇଛି। ଯାହା ବାକି ଅଛି, ତାକୁ ସାରିବା ଦିଗରେ ଆମେ ପଦକ୍ଷେପ ନେଉଛୁ। ବର୍ଷାରେ ନାଳର ସ୍ଥିତି ଅନୁଧ୍ୟାନ, ନିୟମିତ ସଫେଇ ଆଦି ଦେଖିବାକୁ ସ୍ବତନ୍ତ୍ର ଟିମ ୱାର୍ଡୱାରି ନିୟୋଜିତ ହୋଇଛନ୍ତି ବୋଲି ଇଂ. ବେହେରା କହିଛନ୍ତି।