କଟକ : ମାତୃଭବନ-ନୂଆବଜାର ରାସ୍ତାର ତାଳଦଣ୍ଡା କେନାଲ ପାର୍ଶ୍ବ ରାସ୍ତାରେ ସୋମବାର ଦିନ ଏକ ବଡ଼ ଧରଣର ଅଘଟଣ ଘଟିଛି। କାରରେ ଯାଉଥିବା ଦମ୍ପତି କେନାଲକୁ ଖସି ପଡ଼ିବା ଫଳରେ ଘଟଣାସ୍ଥଳରେ ସ୍ବାମୀଙ୍କ ମୃତ୍ୟୁ ଘଟିଛି। ସ୍ତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ସ୍ବାମୀ ହେଉଛନ୍ତି ଜ୍ଞାନ ରଞ୍ଜନ ଜେନା(୬୨)। ଆହତ ପତ୍ନୀ ହେଉଛନ୍ତି ଅଞ୍ଜନା ଜେନା(୫୫)। ଅଞ୍ଜନାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଘଟଣା ପାଇଁ ସଂପୂର୍ଣ୍ଣ ଭାବେ ଆରଆଣ୍ଡବିର ବେପରୱା କାମକୁ ଦାୟୀ କରାଯାଉଛି। ବିଭାଗ ପକ୍ଷରୁ ତାଳଦଣ୍ଡା କେନାଲ ପାର୍ଶ୍ବ ପାଚେରୀ ନିର୍ମାଣ କାମ ହେଉଥିବା ବେଳେ ରାସ୍ତା ମଝିରେ ମାଟି ଠୁଳ ହୋଇଥିଲା। କିନ୍ତୁ କୌଣସି ସତର୍କ ସୂଚନା ନଥିଲା। ସେହି ରାସ୍ତାରେ ଯାଉଥିବା ଏହି ଦମ୍ପତି କୁଢ଼ା ହୋଇଥିବା ମାଟିକୁ ଦେଖି ଗାଡ଼ି ପଛକୁ ଫେରାଉଥିବା ସମୟରେ କେନାଲରେ ଖସି ପଡ଼ିବାରୁ ଏଭଳି ଅଘଟଣ ଘଟିଛି।
ସୂଚନା ଅନୁଯାୟୀ, ପରମହଂସ ପଞ୍ଚାୟତ ମହୁରା ଗାଁର ଜ୍ଞାନ ରଞ୍ଜନ ଓ ଅଞ୍ଜନା ସାର୍ତ୍ତୋଳ ରେଳ ଧାରଣା ନିକଟରେ ଘର ଭଡ଼ା ନେଇ ରହୁଥିଲେ। ନିକଟରେ ଉଭୟ ବାହାରକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ଅଞ୍ଜନା ଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରିଥିଲେ। ସୋମବାର ଦିନ ଉଭୟ ଏକ ମାରୁତି କାର୍(ଓଡି ୦୫ ଏଚୟୁ ୬୨୭୭)ରେ ଘରୁ ସିଡିଏର ଏକ ଘରୋଇ ହସପିଟାଲକୁ ଯାଇଥିଲେ। ଡାକ୍ତର ଆଣ୍ଠୁରେ ଅପରେନସ୍ କରିବାକୁ ପରାମର୍ଶ ଦେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ଉଭୟ ଘରକୁ ଫେରିଥିଲେ। ସିଡିଏରୁ ଏହି ଦମ୍ପତି କଲେଜ ଛକକୁ ଯାଇଥିଲେ। ସେଠାରେ ଥିବା ଏକ ବ୍ୟାଙ୍କରୁ ୨ ଲକ୍ଷ ଟଙ୍କା ଉଠାଇଥିଲେ। କଲେଜ ଛକରୁ ମାତୃଭବନ ଆସି ସେଠାରୁ ନୂଆବଜାର ଆଡ଼କୁ ତାଳଦଣ୍ଡା କେନାଲ ରାସ୍ତାରେ ଯାଉଥିଲେ। ଦିନ ପ୍ରାୟ ଗୋଟାଏ ୫ ବେଳେ ଓଭରବ୍ରିଜରୁ ମାତ୍ର ୧୦୦ ମିଟର ଯିବା ପରେ ରାସ୍ତାରେ ନିର୍ମାଣ କାମ ହେଉଥିବାରୁ ମାଟି କୁଢ଼ାଯାଇଥିବା ଦେଖିବାକୁ ପାଇଥିଲେ। ସେଠାରୁ ସେ ଗାଡ଼ିକୁ ପଛକୁ ଫେରାଇ ଆଣିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସଂପୂର୍ଣ୍ଣ ବିପଦଶଙ୍କୁଳ ସ୍ଥିତିରେ ଥିବା ଏହି ରାସ୍ତାରେ ତାଙ୍କ ଗାଡ଼ି ପ୍ରାୟ ୩୬ ଫୁଟ ତଳକୁ ଖସି ଯାଇ ତାଳଦଣ୍ଡା କେନାଲରେ ପଡିଥିଲା। ଗାଡ଼ିଟି ପାଣି ଭିତରେ ଓଲଟିଯାଇଥିଲା। ଗାଡ଼ିର ସାମନା ପଟ ପଙ୍କରେ ପୋତି ହୋଇଯାଇଥିବା ବେଳେ ପଛପଟ ଉପରକୁ ଉଠି ରହିଥିଲା। ଡ୍ରାଇଭର ସିଟରେ ବସିଥିବା ଜ୍ଞାନ ରଞ୍ଜନ ଓ ପଛପଟେ ବସିଥିବା ପତ୍ନୀ ଅଞ୍ଜନା ଏଥିରେ ଫସି ଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ପାଣି ଭିତରେ ପଶି ଗାଡ଼ି କାଚ ଭାଙ୍ଗି ଦମ୍ପତିଙ୍କୁ ଉଦ୍ଧାର କରିଥିଲେ। ଉଭୟଙ୍କୁ ତୁରନ୍ତ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଜ୍ଞାନ ରଞ୍ଜନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପାଣି ଭିତରେ ଜ୍ଞାନ ରଞ୍ଜନଙ୍କ ହୃଦଘାତ ହୋଇଥିବା ପୁଲିସ ଆଶଙ୍କା କରୁଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ, ଏ ନେଇ ସ୍ପଷ୍ଟ ହୋଇପାରିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।
ଗାଡ଼ିଟିକୁ ବାହାରକୁ କାଢ଼ିବା ପରେ ଏଥିରେ ଏକ କଳା ଜରିରେ ୫୦୦ ଟଙ୍କିଆ ୪ଟି ବିଡ଼ାର ୨ ଲକ୍ଷ ଟଙ୍କା ଥିବା ଜଣାପଡ଼ିଥିଲା। ଏହି ଟଙ୍କା ମଧୁପାଟଣା ଥାନା ପୁଲିସ ପକ୍ଷରୁ ଜବତ କରାଯିବା ପରେ ପରିବାର ଲୋକଙ୍କ ଜିମା ଦିଆଯାଇଛି। ମଧୁପାଟଣା ଆଇଆଇସି ତୁଷାର ସେଠୀଙ୍କ କହିବା ଅନୁଯାୟୀ, ସମ୍ପର୍କୀୟ ପୁତୁରା ବିନ୍ଦୁ ସାଗର ସ୍ବାଇଁ ମଧୁପାଟଣା ଥାନାରେ ଘଟଣା ସମ୍ପର୍କରେ ଅବଗତ କରିଛନ୍ତି। ପିଉସା ଗାଡ଼ି ଚଳାଇବା ସମୟରେ କେନାଲକୁ ଖସିପଡ଼ିଥିବା ନେଇ ଶ୍ରୀ ସ୍ବାଇଁ ଥାନାରେ ଅବଗତ କରିଛନ୍ତି। ଏଥିରେ ସେ କାହାକୁ ଦାୟୀ କରିନାହାନ୍ତି। ପୁଲିସ ଏକ ଅପମୃତ୍ୟୁ ମାମଲା(କେସ୍ ନଂ ୧୩) ରୁଜୁ କରିଥିବା ଆଇଆଇସି ଶ୍ରୀ ସେଠୀ କହିଛନ୍ତି।
ସୂଚନାଯୋଗ୍ୟ ଯେ ଜ୍ଞାନରଞ୍ଜନ ଝାରସୁଗୁଡ଼ା ବ୍ରଜରାଜନଗରରେ ଏକ ପେପର୍ ମିଲରେ ଚାକିରି କରୁଥିଲେ। ସ୍ବେଚ୍ଛାକୃତ ଅବସର ନେବା ପରେ ନିଜେ ବ୍ୟବସାୟ ଆରମ୍ଭ କରିଥିଲେ।