ନୟାଗଡ଼/ରଣପୁର : ନୟାଗଡ଼ ଜିଲ୍ଲା ରଣପୁର ତହସିଲ ତଥା ଚାନ୍ଦପୁର ଥାନା ଅଞ୍ଚଳରେ ଜଣେ ମାଙ୍କଡ଼ା ପଥର ଖଣି ମାଲିକଙ୍କୁ ୨୫ ଲକ୍ଷ ଟଙ୍କା ଚାନ୍ଦା ମାଗିବାନେଇ ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ, ରଣପୁର ବଜ୍ରକୋଟର ଦିଲୀପ କୁମାର ସାମନ୍ତରାୟ, ଓସ୍ତପଡ଼ାର ଦୀପକ କୁମାର ରାଉତରାୟ, ଚମ୍ପାଗଡ଼ର ଗଣେଶ୍ବର ମାନ୍ଧାତାଙ୍କ ନାମରେ ଅଭିଯୋଗ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶପରେ ଏନେଇ ଗତ ୧୧ ତାରିଖରେ ଖଣିମାଲିକ ଚମ୍ପାଗଡ଼ର ସୁଶାନ୍ତ କୁମାର ବରାଡ଼(୩୫)ଙ୍କ ଅଭିଯୋଗ ଆଧାରରେ ଚାନ୍ଦପୁର ଥାନାରେ ମାମଲା ରୁଜୁ ହୋଇଛି।
ଗତ ଜାନୁଆରି ୨୬ ଅପରାହ୍ନ ୩ଟାରେ ଜିଲ୍ଲାପାଳଙ୍କ ସମେତ ଏହି ୩ ବ୍ୟକ୍ତି ଓ ଅନ୍ୟ କିଛି ବ୍ୟକ୍ତି ମୟୂରଝାଲିଆସ୍ଥିତ ସୁଶାନ୍ତଙ୍କ ଖଣିକୁ ଯାଇଥିଲେ। ଜିଲ୍ଲାପାଳଙ୍କ ଉପସ୍ଥିତିରେ ୩ ଅଭିଯୁକ୍ତ ସୁଶାନ୍ତଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ୨୫ ଲକ୍ଷ ଟଙ୍କା ନଦେଲେ ଖଣି ବନ୍ଦ କରାଇଦେବାକୁ ଧମକ ଦେଇଥିବା ସୁଶାନ୍ତ ଅଭିଯୋଗ କରିଛନ୍ତି। ଏନେଇ ସୁଶାନ୍ତ ପ୍ରଥମେ ଚାନ୍ଦପୁର ଥାନାରେ ଏତଲା ଦେଇଥିଲେ। ମାତ୍ର, ପୁଲିସ ଏତଲା ରଖିନଥିଲା। ଏହାପରେ ନୟାଗଡ଼ ଏସ୍ପିଙ୍କୁ ଫେରାଦ ହୋଇଥିଲେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ କରାଯାଇନଥିଲା। ପରେ ସୁଶାନ୍ତ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାପରେ ଚାନ୍ଦପୁର ପୁଲିସ ଜିଲ୍ଲାପାଳଙ୍କ ସମେତ ଅନ୍ୟ ୩ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ଆଇପିସି ୨୯୪, ୫୦୬, ୩୮୫, ୧୬୭, ୧୮୧, ୨୦୦, ୨୦୯, ୨୧୯, ୩୪ରେ ମାମଲା ରୁଜୁ ହୋଇଛି।
ଅନ୍ୟପକ୍ଷରେ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି ଜିଲ୍ଲାପାଳ ଶ୍ରୀ ସାହୁ। ଅଭିଯୋଗ କରିଥିବା ବ୍ୟକ୍ତିଙ୍କୁ ସେ ଜାଣିନାହାନ୍ତି କି କେବେ ଦେଖିନାହାନ୍ତି ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/nayagarh-f.jpg)