ପ୍ରାଧ୍ୟାପକଙ୍କ ଅବସର ବୟସ ୬୫ ବର୍ଷକୁ ବୃଦ୍ଧି ମାମଲା: ଆଇନ ଅନୁସାରେ ଦାବି ଗ୍ରହଣୀୟ ନୁହେଁ ବୋଲି କହିଲେ ହାଇକୋର୍ଟ

କଟକ: ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଅଧ୍ୟାପକ/ପ୍ରାଧ୍ୟାପକଙ୍କ ଅବସର ବୟସ ସୀମା ୬୫ ବର୍ଷକୁ ବୃଦ୍ଧି ପ୍ରସଂଗକୁ ନେଇ ଦାୟର ସମସ୍ତ ମାମଲା ହାଇକୋର୍ଟରେ ଖାରଜ ହୋଇଛି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ଆର.‌କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ଏପ୍ରିଲ ୫ରେ ମାମଲାର ଶୁଣାଣି ଶେଷକରି ରାୟ ସଂରକ୍ଷିତ ରଖିଥିଲାବେଳେ ଆଜି ରାୟ ପ୍ରକାଶ କରିଛନ୍ତି। ଆଇନ୍‌ ଅନୁସାରେ ଆବେଦନକାରୀଙ୍କ ଦାବି ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି।

ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟ ଅନୁସାରେ ଓଡ଼ିଶାରେ ମଧ୍ୟ ଅଧ୍ୟାପକ/ପ୍ରାଧ୍ୟାପକଙ୍କ ଅବସର ବୟସ ୬୫ ବର୍ଷ ଧାର୍ଯ୍ୟ କରାଯାଉ ବୋଲି ଡକ୍ଟର ଏ.କେ.ଜେନାମଣି ଓ ଅନ୍ୟମାନଙ୍କ ତରଫରୁ ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା। ଓଡ଼ିଶା ଏଜୁକେସନ୍ (ରିକ୍ରୁଟମେଣ୍ଟ ଆଣ୍ଡ କଣ୍ଡିସନ୍ସ ଅଫ୍ ସର୍ଭିସ୍ ଅଫ୍ ଟିଚର୍ସ ଆଣ୍ଡ ମେମ୍ବର୍ସ ଅଫ୍ ଦି ଷ୍ଟାଫ୍ ଅଫ୍ ଏଡେଡ୍ ଏଜୁକେସନାଲ୍ ଇନଷ୍ଟିଚ୍ୟୁସନ୍ସ) ରୁଲ୍ସର ନିୟମ ୧୯ ଅନୁସାରେ ଶିକ୍ଷାନୁଷ୍ଠାନର ସବୁ କର୍ମଚାରୀ ୬୦ ବର୍ଷ ବୟସରେ ଅବସର ଗ୍ରହଣ କରିବେ। ଏହି ନିୟମକୁ ଅସିଦ୍ଧ ଘୋଷଣା କରାଯାଉ ନଚେତ୍ ଏଥିରେ ସଂଶୋଧନ କରାଯାଇ କର୍ମଚାରୀଙ୍କ ଅବସର ବୟସ ୬୫ ବର୍ଷ ବୋଲି ଧାର୍ଯ୍ୟ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଥିଲେ। କେନ୍ଦ୍ର ସରକାରଙ୍କ ୨୦୦୮, ଡିସେମ୍ବର ୩୧ର ବିଜ୍ଞପ୍ତି ଅନୁସାରେ ଅଧ୍ୟାପକ/ପ୍ରାଧ୍ୟାପକଙ୍କ ଅବସର ବୟସ ୬୫ ବର୍ଷ ହେବା କଥା। କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ରାଜ୍ୟ ସରକାର ଆଂଶିକ ଭାବେ କାର୍ଯ୍ୟ କରିଛନ୍ତି।

କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରିବା ଉଚିତ ଓ ଅଧ୍ୟାପକ/ପ୍ରାଧ୍ୟାପକଙ୍କ ଅବସର ବୟସ ୬୫ ବର୍ଷକୁ ବୃଦ୍ଧି କରିବା ଆବଶ୍ୟକ। ଯୁଜିସି ପକ୍ଷରୁ ବିଶ୍ବବିଦ୍ୟାଳୟ ଓ କଲେଜଗୁଡିକରେ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ପ୍ରସଂଗ ସହିତ ଉଚ୍ଚଶିକ୍ଷା ମାନ ସଂପର୍କିତ ୨୦୧୦ର ନିୟମାବଳୀରେ ଅବସର ବୟସ ସୀମା ୬୫ ବର୍ଷ ବୋଲି ଉଲ୍ଲେଖ କରାଯାଇଥିଲା। ଏଭଳି ନିୟମାବଳୀ ସହିତ ସୁପ୍ରିମକୋର୍ଟଙ୍କ ପ୍ରୀତିଶ ଶ୍ରୀବାସ୍ତବ ମାମଲାର ରାୟ ରାୟ ଅନୁସାରେ ଆବେଦନକାରୀଙ୍କୁ ୬୫ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରି ଅବସର ନେବାକୁ ଅନୁମତି ଦିଆଯିବା ଉଚିତ। ଏ ନେଇ ରାଜ୍ୟ ଉଚ୍ଚଶିକ୍ଷା ସଚିବ ଓ ନିର୍ଦ୍ଦେଶକଙ୍କୁ ଆଦେଶ ଦିଆଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ୨୦୨୦, ମାର୍ଚ୍ଚ ୨୦ରେ ଏହି ପ୍ରସଂଗରେ ଆବେଦନକାରୀ ଉଚ୍ଚଶିକ୍ଷା ସଚିବଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ ମଧ୍ୟ କିଛି ଫଳ ମିଳି ପାରି ନଥିଲା। ହେଲେ, ଆଇନ୍‌ ଅନୁସାରେ ଆବେଦନକାରୀଙ୍କ ଦାବି ଗ୍ରହଣୀୟ ନୁହେଁ ବୋଲି କୋର୍ଟ କହିବା ସହ ମାମଲାକୁ ଖାରଜ କରିଦେଇଥିଲେ। ଏହି ମାମଲାରେ ରାଜ୍ୟ ଉଚ୍ଚଶିକ୍ଷା ସଚିବ, ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଓ ୟୁଜିସିକୁ ପକ୍ଷଭୁକ୍ତ କରାଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଡକ୍ଟର ପୁରୁଷୋତ୍ତମ ଚୁଳି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର